ଦ୍ୱିତୀୟ ଆସନରୁ ଛିଡା ହେବା ନେଇ ସଂକେତ ଦେଲେ ରାହୁଲ ! ସେପଟେ ପ୍ରିୟଙ୍କାଙ୍କ ଉପରେ ରଖିଲେ ବୟାନ, କହିଲେ ନିର୍ବାଚନକୁ ଓହ୍ଲାଇବା ନେଇ ପ୍ରିୟଙ୍କା ନିଜେ କରିବେ ନିଷ୍ପତି ।

120

କନକ ବ୍ୟୁରୋ : ଦ୍ୱିତୀୟ ଆସନରୁ ଲଢି ପାରନ୍ତି ରାହୁଲ ଗାନ୍ଧି । ଏଭଳି ସମ୍ଭାବନାକୁ ଏଡାଇ ଯାଇନାହାନ୍ତି କଂଗ୍ରେସ ଅଧ୍ୟକ୍ଷ । ସଂବାଦ ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ରାହୁଲ କହିଛନ୍ତି, କେରଳ ଓ କର୍ଣ୍ଣାଟକରେ ଦଳୀୟ କର୍ମୀ ଓ ନେତା ତାଙ୍କୁ ଲଢିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ହେଲେ ଏନେଇ ଦଳ ନିଷ୍ପତି କରିବା ସେ ପ୍ରତିକ୍ରିୟା ରଖିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରାହୁଲ ଗାନ୍ଧି ନିଜ ପାରମ୍ପରିକ ଆସନ ଆମେଠିରୁ ଲଢିବା ନେଇ ଘୋଷଣା ହୋଇଥିଲା । ତେବେ ରାହୁଲ କହିଛନ୍ତି କଂଗ୍ରେସ ସମେତ ଅନ୍ୟ ଦଳର ନେତାମାନେ ମଧ୍ୟ ୨ଟି ଆସନରୁ ଲଢିବାର ନଜିର ରହିଛି ।

ଏପରିକି ୨୦୧୪ରେ ପ୍ରଧାନମନ୍ତ୍ରୀ ବାରଣାସୀ ଓ ଭଦୋଦରାରୁ ଲଢିଥିଲେ । ରାହଲଙ୍କ ମାଆ ସୋନିଆ ଗାନ୍ଧି ପୂର୍ବରୁ କର୍ଣ୍ଣାଟକର ବେଲାରୀ ଲୋକସଭା ଆସନରୁ ଲଢିଥିଲେ । ସେହିପରି ତାଙ୍କ ଜେଜେମା ଇନ୍ଦିରା ଗାନ୍ଧି ଚିକିମାଙ୍ଗଲୁରୁରୁ ପ୍ରତିଦ୍ୱନ୍ଦିତା କରିଥିଲେ । ଏଥି ସହିତ ପ୍ରିୟଙ୍କା ଗାନ୍ଧି ନିର୍ବାଚନୀ ମୈଦାନକୁ ଓହ୍ଲାଇବା ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ଏ ବାବଦରେ ପ୍ରିୟଙ୍କା ନିଜେ ହିଁ ନିଷ୍ପତି କରିବେ ବୋଲି ରାହୁଲ ସ୍ପଷ୍ଟ କରିଦେଇଛନ୍ତି । କିଛି ଦିନ ତଳେ କର୍ମୀଙ୍କୁ ସମ୍ୱୋଧିତ କରି ବାରଣାସୀରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିଥିଲେ ପ୍ରିୟଙ୍କା । ଯାହାକୁ ନେଇ ପ୍ରିୟଙ୍କା ନିର୍ବାଚନକୁ ଓହ୍ଲାଇ ପାରନ୍ତି ବୋଲି ଜୋରଦାର ଚର୍ଚା ହୋଇଥିଲା ।