ଦାନ କରିବାକୁ ୫୦୦ ଟଙ୍କା ବାହାର କଲେ, ଦାନବାକ୍ସରେ ନ ପକାଇ ପୁଣି ପକେଟରେ ପୁରାଇ ଦେଲେ । ଗୁରୁଦ୍ୱାରରେ କାହିଁକି ଏଭଳି କଲେ ରାହୁଲ ଗାନ୍ଧି

95

ମଧ୍ୟପ୍ରଦେଶ ଗସ୍ତର ଦ୍ୱିତୀୟ ଦିନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର ଗ୍ୱାଲିୟରର ଗୁରୁଦ୍ୱାର ଦାତାବନ୍ଦୀ ଛୋଡରେ ପୂଜାର୍ଚ୍ଚନା କରିବାକୁ ଯାଇଥିବା ବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ସ୍ଥାନୀୟ ଗଣମାଧ୍ୟମ ମୁତାବିକ, ରାହୁଲ ପୂଜାର୍ଚ୍ଚନା କରିବାକୁ ଗୁରୁଦ୍ୱାର ପହଞ୍ଚିଥିବା ବେଳେ ସେଠାରେ ଥିବା ଦାନବାକ୍ସରେ ଟଙ୍କା ପକାଇବାକୁ ୫୦୦ ଟଙ୍କା ବାହାର କରିଥିଲେ । କିନ୍ତୁ କିଛି କ୍ଷଣ ମଧ୍ୟରେ ଦାନବାକ୍ସରେ ଟଙ୍କା ନ ପକାଇ ପକେଟରେ ପୁରାଇ ଦେଇଥିଲେ ରାହୁଲ । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ।

ରାହୁଲ ଗୁରୁଦ୍ୱାରରେ ପୂଜା କରିବା ପରେ ଦାନ ପେଟିରେ ଟଙ୍କା ପକାଇବା ପାଇଁ ବାହାରିବା ବେଳକୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କୁ ଏଭଳି ନ କରିବାକୁ ପରାମର୍ଶ ଦେଇଥିଲେ । ମଧ୍ୟପ୍ରଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ସାରି ଥିବାରୁ ତାଙ୍କୁ ଦାନବାକ୍ସରେ ଟଙ୍କା ନ ପକାଇବାକୁ କହିଥିଲେ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ । ତେଣୁ ଦାନବାକ୍ସରେ ପକାଇବାକୁ ବାହାର କରିଥିବା ଟଙ୍କା ପୁଣିଥରେ ନିଜର ପକେଟରେ ପୂରାଇ ଦେଇଥିଲେ ରାହୁଲ ।

ରାହୁଲ ଗଚରୁଦ୍ୱାରରେ ପୂଜା କରିବା ସହ ଗ୍ୱାଲିୟର ଓ ଚମ୍ବଲ ଅଞ୍ଚଳରେ ନିର୍ବାଚନ ପ୍ରଚାରର ଆରମ୍ଭ କରିଛନ୍ତି । ଏହି ସମୟରେ ରାହୁଲଙ୍କ ସହ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲନାଥ ଓ ନିର୍ବାଚନ ପ୍ରଚାର ସମିତି ଅଧ୍ୟକ୍ଷ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପସ୍ଥିତ ଥିଲେ ।