ଓଡିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ! ଭବାନୀପାଟଣା ଓ ରାଉରକେଲାରେ ପରିବର୍ତ୍ତନ ସଂକଳ୍ପ ସମାବେଶ

116

କନକ ବ୍ୟୁରୋ : ଭବାନୀପାଟଣାରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶାରେ ପହଞ୍ଚିଛନ୍ତି ରାହୁଲ । ଭବାନୀପାଟଣା ଓ ରାଉରକେଲାରେ ହେବାକୁ ଥିବା ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି ରାହୁଲ । ଭବାନୀପାଟଣାର ଶ୍ରୀକୃଷ୍ଣନଗର ପଡ଼ିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସହିତ ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି ।

ମାତ୍ର ୧୫ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିଛନ୍ତି ରାହୁଲ । ଦଳର ମୁଖିଆଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି । ଅପରାହ୍ନ ପ୍ରାୟ ୨ଟାରେ ସେ ସୁନ୍ଦରଗଡ ଜିଲ୍ଲା ଇସ୍ପାତ ନଗର ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଉଦବୋଧନ ଦେବେ । ଉଭୟ ସ୍ଥାନ ଜନଜାତି ବହୁଳ ହୋଇଥିବାରୁ ସେମାନଙ୍କ ସମସ୍ୟା ପ୍ରସଙ୍ଗ ଉଠାଇପାରନ୍ତି ରାହୁଲ । ଦୁଇ ବିଧାୟକ ନବ ଦାସ ଓ ଯୋଗେଶ ସିଂ ଦଳ ଛାଡିବା ପରେ କଂଗ୍ରେସର ଗଡ ଥିବା ପଶ୍ଚିମ ଓଡିଶାରେ ଦଳ ଦୁର୍ବଳ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଠିକ୍ ଏହିଭଳି ସମୟରେ ପଶ୍ଚିମ ଓଡିଶାରେ ସମାବେଶ କରି ଦଳକୁ ଶକ୍ତିଶାଳୀ କରିବାକୁ ରାହୁଲ ଆସିଛନ୍ତି । ତେବେ ଓଡିଶା ଗସ୍ତରେ ରାହୁଲ କଣ କହିବେ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି ।