କଂଗ୍ରେସରେ ରାହୁଲ ରାଜ୍ ! ସଭାପତି ପଦ ପାଇଁ ନାମାଙ୍କନ କଲେ ରାହୁଲ ଗାନ୍ଧୀ, ଦଳରେ ଉତ୍ସବର ମାହୋଲ

59

କନକ ବ୍ୟୁରୋ : କଂଗ୍ରେସରେ ଆରମ୍ଭ ହେବ ରାହୁଲ ରାଜ । କଂଗ୍ରେସ ପାଇବ ନୂଆ ଅଧ୍ୟକ୍ଷ । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ ମୁଖ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସର ଏହି ଯୁବରାଜ । ବରିଷ୍ଠ ନେତାଙ୍କ ଉପସ୍ଥିତିରେ ରାହୁଲ ପାର୍ଥୀପତ୍ର ଦାଖଲ କରିଛନ୍ତି । ଆଉ କେହି ନାମାଙ୍କନ ଦାଖଲ କରିନଥିବାରୁ ରାହୁଲ ସଭାପତି ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ଦଳର ସମ୍ବିଧାନ ଅନୁସାରେ, ସଭାପତି ପଦ ପାଇଁ ଏଆଇସିସିର ୧୦ ସଦସ୍ୟ ପ୍ରସ୍ତାବକ ରହିଛନ୍ତି ।

ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ହେବା ପରେ ବି ତାଙ୍କ ରାସ୍ତା ଏତେ ସହଜ ହେବନାହିଁ । କାରଣ ତାଙ୍କ ଆଗରେ ରହଛି ଅନେକ ଚ୍ୟାଲେଞ୍ଜ । ଏବେ ଆସନ୍ତୁ ଦେଖିବା ରାହୁଲଙ୍କ ସାମନାରେ କଣ ସବୁ ଚ୍ୟାଲେଞ୍ଜ ରହିଛି ।
– ରାହୁଲଙ୍କ ସାମନାରେ ରହିଛି ଅନେକ ଗୁରୁତ୍ୱପୂର୍ଣ ଆହ୍ୱାନ

– ରାହୁଲଙ୍କ ପ୍ରଥମ ଚ୍ୟାଲେଞ୍ଜ ହେବ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ

– ମୋଦିଙ୍କ ଗଡ ଗୁଜରାଟରେ ବିଜେପିକୁ ମୁକାବିଲା କରୁଛନ୍ତି ରାହୁଲ ଗାନ୍ଧି

– ଗୁଜରାଟ ନିର୍ବାଚନୀ ଫଳାଫଳ କଂଗ୍ରେସ ସପକ୍ଷରେ ଗଲେ ରାହୁଲଙ୍କ ପାଇଁ ରାସ୍ତା ସହଜ ହେବ

– ଗୁଜରାଟରେ କଂଗ୍ରେସର ବିଫଳତା ରାହୁଲଙ୍କ ପାଇଁ ସୃଷ୍ଟି କରିବ ବଡ ଚ୍ୟାଲେଞ୍ଜ

– ମାତ୍ର ୬ଟି ରାଜ୍ୟରେ କ୍ଷମତାରେ ରହିଛି କଂଗ୍ରେସ, ସାରା ଦେଶରେ ସଂଗଠନକୁ ମଜବୁତ କରିବା ସହ ଦଳ ଉପରେ ନିୟନ୍ତ୍ରଣ, ରାହୁଲଙ୍କ ପାଇଁ ଆହ୍ୱାନ

– ବିଜେପିକୁ ଚ୍ୟାଲେଞ୍ଜ କରିବାକୁ ଅନ୍ୟ ଦଳଙ୍କ ସହ ମେଂଟ ସମ୍ଭାବନା ପାଇଁ ଖୋଜିବାକୁ ହେବ ରାସ୍ତା

– ଆସନ୍ତା ବର୍ଷ ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ରାହୁଲଙ୍କ ନେତୃତ୍ୱର ପରୀକ୍ଷା

– ଅଧ୍ୟକ୍ଷ ହେବା ପରେ ରାହୁଲଙ୍କ ଉପରେ ଶାଣିତ ହୋଇପାରେ ବିଜେପିର ଆକ୍ରମଣ

– ରାଜନେତା ଭାବେ ନିଜର ନନ୍ ସିରିୟସ ଛବିକୁ ସଜାଡିବା ହେବ ରାହୁଲଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ

ରାହୁଲ ଗାନ୍ଧିଙ୍କ ରିପୋର୍ଟ କାର୍ଡ ଉପରେ ଏକ ନଜର ପକାନ୍ତୁ –
୨୦୧୩ରେ କଂଗ୍ରେସ ଉପସଭାପତି ହେବା ପରେ ଦଳ ୨୪ଟି ନିର୍ବାଚନ ହାରିଥିବାବେଳେ ମାତ୍ର ୭ଟି ରାଜ୍ୟରେ ବିଜୟ ହାସଲ କରିଛି । ୨୦୧୪ ଲୋକସଭା ନିର୍ବାଚନରେ ଦଳକୁ ମିଳିଥିଲା ମାତ୍ର ୪୪ଟି ଆସନ । ଏହା ଦଳର ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ ଥିଲା । ଦଳ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇବାକୁ ବି ଯୋଗ୍ୟ ହୋଇନଥିଲା । ୨୦୧୩ରେ କଂଗ୍ରେସ କର୍ଣ୍ଣାଟକ,ମିଜୋରାମ ଓ ମେଘାଳୟ ଜିତିଥିଲା । କିନ୍ତୁ ମଧ୍ୟପ୍ରଦେଶ, ଛତିଶଗଡ ଓ ନାଗାଲାଣ୍ଡ ଭଳି ରାଜ୍ୟରେ ହାରିଯାଇଥିଲା । ୨୦୧୪ରେ କଂଗ୍ରେସ ଅରୁଣାଚଳ ପ୍ରଦେଶରେ ଜିତିଥିଲା ।

କିନ୍ତୁ ପରେ ଏହି ରାଜ୍ୟରୁ ମଧ୍ୟ ଶାସନଭାର ଚାଲିଯାଇଥିଲା । ଏହି ମସିହାରେ କଂଗ୍ରେସ ହାତରୁrahul-gandhi ଚାଲିଯାଇଥିଲା ମହାରାଷ୍ଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ହରିୟାଣା, ଜାମ୍ମୁ-କାଶ୍ମୀର ଓ ଝାଡଖଣ୍ଡ ଭଳି ରାଜ୍ୟ । ୨୦୧୫ରେ କଂଗ୍ରେସ ଜେଡିୟୁ ଓ ଆରଜେଡି ସହ ମିଶି ବିହାର ଦଖଲ କରିଥିଲା । କିନ୍ତୁ ୨୦୧୭ରେ ଏହି ମେଂଟ ଭାଙ୍ଗିଯାଇଥିଲା । ଜେଡିୟୁ ବିଜେପି ସହିତ ହାତ ମିଳାଇଥିଲା । ୨୦୧୫ରେ ଦିଲ୍ଲୀ ମଧ୍ୟ କଂଗ୍ରେସ ହାତରୁ ଚାଲିଯାଇଥିଲା । ୨୦୧୬ରେ କଂଗ୍ରେସ ପୁଡୁଚେରୀ ଜିତିଲା, କିନ୍ତୁ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ଆସାମରେ ପରାଜୟର ସମ୍ମୁଖୀନ ହୋଇଥିଲା । ୨୦୧୭ରେ ପଞ୍ଜାବରେ କଂଗ୍ରେସ ବଡ ବିଜୟ ହାସଲ କରିଥିଲେ ବି ଗୋଆ, ୟୁପି, ଉତରାଖଣ୍ଡରେ ହାରିଯାଇଥିଲା । ଏପରିକି ଗୋଆରେ ବଡ ଦଳ ହୋଇଥିଲେ ବି ସରକାର ଗଢିପାରିନଥିଲା ।

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦି । କଂଗ୍ରେସ ବରିଷ୍ଠ ନେତା ମଣିଶଙ୍କର ଅୟରଙ୍କ ଏକ ମନ୍ତବ୍ୟକୁ ଟାର୍ଗେଟ କରି କଂଗ୍ରେସ ଦଳକୁ ଔରଙ୍ଗଜେବ ଶାସନ କାଳର ବୋଲି କହିଛନ୍ତି ମୋଦି । ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଦାୟିତ୍ୱ ଗ୍ରହଣକୁ ମଣିଶଙ୍କର ଅୟର ମୋଗଲ ଶାସନ ସହ ତୁଳନା କରିଥିଲେ । ଗୁଜରାଟର ଧରମପୁରରେ ପ୍ରଧାନମନ୍ତ୍ରୀ ମୋଦି ଏକ ରାଲିକୁ ଉଦବୋଧନ ଦେଇ କହିଛନ୍ତି ଯେ, ବାଦଶାହାଙ୍କୁ ଜଣାଥାଏ ଯେ ତାଙ୍କ ସନ୍ତାନ କ୍ଷମତାଶୀନ ହେବ । ଏବଂ ଖୋଦ୍ କଂଗ୍ରେସର ବରିଷ୍ଠ ନେତା ମାନିଛନ୍ତି ଯେ, କଂଗ୍ରେସ ଦଳ ନୁହେଁ ବରଂ ଏକ ଗୋଷ୍ଠୀ । ଏହାସହ କଂଗ୍ରେସକୁ ଔରଙ୍ଗଜେବ ରାଜୁତିର ଶୁଭେଚ୍ଛା ବୋଲି ମୋଦି କହିଛନ୍ତି ।

ସେପଟେ ଆଜି ପୁଣି କଂଗ୍ରେସ ବିରୋଧରେ ବର୍ଷିଛନ୍ତି ଦଳର ଅସନ୍ତୁଷ୍ଟ ନେତା ସେହଜାଦ୍ ପୁନାୱାଲା । ଦଳର ନିର୍ବାଚନ ପ୍ରକ୍ରିୟାକୁ ସେ କେବଳ ଦେଖାଇବା ପାଇଁ ବୋଲି କହିଛନ୍ତି । କଂଗ୍ରେସର ବଂଶବାଦ ଉପରେ ବି ସେ ପ୍ରଶ୍ନଉଠାଇଛନ୍ତି । ରାହୁଲ ଗାନ୍ଧିଙ୍କ ଅଫିସ ତାଙ୍କୁ ଅପମାନ କରିଥିବା ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ଏହି କଂଗ୍ରେସ ନେତା ।