ଆକ୍ସନ ମୋଡରେ ରାହୁଲ ଗାନ୍ଧି ! ପୁଣି ଥରେ ସଂଗଠନକୁ ମଜଭୁ୍ତ କରିବାକୁ ଲାଗିଛନ୍ତି ରାହୁଲ, ସେପଟେ ଅଧ୍ୟକ୍ଷ ପଦ ଛାଡିବା ନେଇ ବଢୁଛି ଅନିଶ୍ଚିତତା ।

214

କନକ ବ୍ୟୁରୋ : ଆକ୍ସନ ମୋଡରେ ରାହୁଲ ଗାନ୍ଧୀ । କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ପାଇଁ ମନ ବଳାଇଥିବା ରାହୁଲ ପୁଣି ଥରେ ସଂଗଠନକୁ ମଜଭୁ୍ତ କରିବାରେ ଲାଗିପଡିଛନ୍ତି । ହରିୟାଣାରେ ରାହୁଲ ଏକ ରାଲିକୁ ସମ୍ବୋଧନ ଦେବାର କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ନିର୍ବାଚନ ହେବାକୁ ଥିବା ରାଜ୍ୟର ନେତାଙ୍କ ସହ ରାହୁଲ ସାକ୍ଷାତ କରିପାରନ୍ତି । ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଅନିଶ୍ଚିତତା ଆହୁରି ବଢିଯାଇଛି ।

୨୦୧୯ ନିର୍ବାଚନରେ ପରାଜୟ ପରେ ପୁଣି ଆକ୍ସନ ମୋଡରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଲୋକସଭା ନିର୍ବାଚନରେ ହାରିବା ପରେ ପୁଣି ଥରେ ସଙ୍ଗଠନକୁ ଦୃଢ କରିବାକୁ ଲାଗିପଡିଛନ୍ତି ରାହୁଲ । ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ମନ ବଳାଇଥିବା ରାହୁଲ ପୁଣି ଥରେ ଦଳୀୟ କାର୍ଯ୍ୟକ୍ରମକୁ ଫୋକସ କରୁଥିବା ଦେଖିବାକୁ ମିଳିଛି । ଆସନ୍ତା ୨୭ତାରିଖରେ ହରିୟାଣାରେ ରାହୁଲ ଏକ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଯେଉଁ ସବୁ ରାଜ୍ୟରେ ନିର୍ବାଚନ ବାକି ଅଛି ସେହି ରାଜ୍ୟର ନେତାଙ୍କ ସହ ରାହୁଲ ସାକ୍ଷାତ କରିପାରନ୍ତି ।

ସେପଟେ ହରିୟାଣାର ରାଜ୍ୟ ସମନ୍ୱୟ ସମିତି ସହ ନିଜ ବାସଭବନରେ ଏକ ବୈଠକ ଡାକିଥିଲେ ରାହୁଲ । ଏହାପରେ ଗୁରୁବାର ମହାରାଷ୍ଟ୍ରର ବରିଷ୍ଠ ନେତାଙ୍କ ସହ ରାହୁଲ ଗାନ୍ଧୀ ତୃଣମୂଳ ସ୍ତରରେ କଂଗ୍ରେସକୁ ବଳ ଯୋଗାଇବା ପାଇଁ ବୈଠକ ଡକାଇଥିବା ଜଣାପଡିଛି । ଏହାବାଦ୍ ଗତ ନିର୍ବାଚନରେ ଦିଲ୍ଲୀରେ ପରାଜିତ ହୋଇଥିବା ଶିଲା ଦୀକ୍ଷିତଙ୍କ ସହ ମଧ୍ୟ ଶୁକ୍ରବାର ଏକ ସମୀକ୍ଷା ବୈଠକ ଡାକିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଅନ୍ୟପଟେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅଡି ବସିରହିଥିବା ରାହୁଲ ଏନେଇ ମୁହଁ ଖୋଲି ନାହାନ୍ତି । କିନ୍ତୁ ହଠାତ୍ ରାହୁଲ ଆକଟିଭ ମୋଡରେ ଆସିବା ଓ ସଂଗଠନକୁ ମଜଭୁତ କରିବା ପାଇଁ ବୈଠକର ଆୟୋଜନ କରିବା କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଅନିଶ୍ଚିତତାକୁ ବଢାଇଦେଇଛି । ତେବେ ରାହୁଲ ଏବେ ମଧ୍ୟ ପଦରୁ ଓହରିବା ପାଇଁ ଅଡି ବସିଥିବା ଚର୍ଚ୍ଚା ହେଉଛି । ଆସନ୍ତା କାର୍ଯ୍ୟକାରିଣୀ ବୈଠକରେ ଦଳର ବରିଷ୍ଠ ନେତା ପୁଣି ଥରେ ରାହୁଲଙ୍କୁ ମନାଇବାକୁ ଚେଷ୍ଟା କରିବେ ନଚେତ୍ ନୂଆ ଅଧ୍ୟକ୍ଷ ନିଯୁକ୍ତି କରାଯିବ ବୋଲି ସୂଚନା ମିଳିଛି ।