ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍ ! କହିଲେ, ପାଇଲଟ୍ ଦେଶର ରକ୍ଷା କରୁଛନ୍ତି, ଆଉ ଚୌକିଦାର ତାଙ୍କ ଟଙ୍କା ଚୋରି କରି ଅମ୍ବାନୀଙ୍କୁ ଦେଉଛନ୍ତି ।

413

ପୁଣି ରାହୁଲଙ୍କ ମୁହଁରେ ମୋଦିଙ୍କୁ ସମାଲୋଚନାର କଥା । ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ ରାଫେଲ୍ ପ୍ରସଙ୍ଗ ଉଠାଇବା ସହ ଜନତାଙ୍କ ମୁହଁରୁ ‘ଚୌକିଦାର ଚୋର ହେ’ ର ନାରା ଲଗାଇଥିଲେ । ରାହୁଲ କହିଛନ୍ତି ଯେ, ମୋଦିଙ୍କୁ ଏପରି କହି ଏବେ ତାଙ୍କୁ ଖରାପ ଲାଗିଲାଣି । କାରଣ ଅନେକ ଜାଗାରେ ଦେଶର ଚୌକିଦାର କହୁଛନ୍ତି ଯେ, ସେ ଚୋର ନୁହନ୍ତି । ତେବେ ମୋଦିଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି ଯେ, ଚୌକିଦାର ଚୋର ଅଟନ୍ତି ଏହାର ଅର୍ଥ ହେଉଛି, ନରେନ୍ଦ୍ର ମୋଦି ଚୋର ଅଟନ୍ତି ।

କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କର ଉତ୍ସାହିତ ଭିଡକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ, ସାଢେ ୪ ବର୍ଷରେ ନରେନ୍ଦ୍ର ମୋଦି ସରକାରଙ୍କ ପତନ ଘଟିଛି । ପୂର୍ବରୁ ଲୋକମାନେ ମୋଦି ସରକାରଙ୍କ ପାଇଁ ‘ଅଚ୍ଛେଦିନ ଆୟେଙ୍ଗେ’ର ନାରା ଦେଉଥିଲେ କିନ୍ତୁ ଏବେ ସେହି ନାରା ‘ଚୌକିଦାର ଚୋର ହେ’ ରେ ପରିବର୍ତ୍ତନ ହୋଇଛି । ନିକଟରେ ପାକିସ୍ତାନରେ ହୋଇଥିବା ସେନାର ଅପରେସନର କଥା ଉଠାଇ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ, ବାୟୁସେନା ହିନ୍ଦୁସ୍ତାନର ରକ୍ଷା କରିଛି । ଏବଂ ଦେଶର ଚୌକିଦାର ସେହି ବାୟୁସେନାର ୩୦ ହଜାର କୋଟି ଟଙ୍କା ଚୋରି ଅନିଲ ଅମ୍ବାନିଙ୍କୁ ଦେଇଛନ୍ତି । ଏହା ଠାରୁ ଲଜ୍ୟାଜନକ ଘଟଣା ଆଉ କିଛି ନହୋଇପାରେ ବୋଲି ରାହୁଲ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଚୌକିଦାର କେବଳ ସେନାର ଟଙ୍କା ଚୋରି କରିନାହାନ୍ତି, ବରଂ ସେ କୃଷକ ଏବଂ ଶ୍ରମିକମାନଙ୍କର ଟଙ୍କା ମଧ୍ୟ ଚୋରି କରିଛନ୍ତି । ରାହୁଲ କହିଛନ୍ତି, ଯଦି ଆଗାମୀ ଦିନରେ ଦେଶରେ କଂଗ୍ରେସ ସରକାର ଆସେ, ତେବେ ଦେଶର ସମସ୍ତ ଗରିବଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ଦିଆଯିବ । ବିନା କୌଣସି ପ୍ରଶ୍ନରେ ଗରିବଙ୍କ ଖାତାରେ ଟଙ୍କା ଟ୍ରାନ୍ସଫର କରାଯିବ ।