ଅକ୍ଟୋବର ଶେଷ ସୁଦ୍ଧା କଂଗ୍ରେସର ନୂଆ ମୁଖିଆ ! ରାହୁଲ ଗାନ୍ଧିଙ୍କୁ ଦାୟିତ୍ୱ ଦେବା ନେଇ ସୂଚନା ଦେଲେ ସୋନିଆ ଗାନ୍ଧି

40

କନକ ବ୍ୟୁରୋ : ଖୁବ ଶୀଘ୍ର କଂଗ୍ରେସର ମଙ୍ଗ ଧରିବେ ରାହୁଲ ଗାନ୍ଧି । ଦୀପାବଳୀ ପରେ ଏ ନେଇ ବିଧିବଦ୍ଧ ଘୋଷଣା ହେବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏ ବାବଦରେ ଗ୍ରୀନ ସିଗ୍ନାଲ ଦେଇଥିବା ଜଣାପଡିଛି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଏକ ପୁସ୍ତକ ଉନ୍ମୋଚନ ଅବସରରେ ସୋନିଆ ଗାନ୍ଧି ଏହି ସଙ୍କେତ ଦେଇଛନ୍ତି । ଏହି ଅବସରରେ ଉପସ୍ଥିତ ରାହୁଲ ଗାନ୍ଧି ଏହି ପ୍ରସଙ୍ଗକୁ ଏଡାଇଯାଇଥିବା ଦେଖାଯାଇଥିଲା । ଦଳ ଯଦି ଚାହିଁବ ତେବେ ସେ ଏହି ଦାୟିତ୍ୱ ନେବାକୁ ପ୍ରସ୍ତୁତ ବୋଲି ଦଳୀୟ ନେତାଙ୍କୁ କହିଥିବା ସୂଚନା ମିଳିଛି ।

ଚଳିତ ମାସ ଶେଷ ସୁଦ୍ଧା ରାହୁଲ ଗାନ୍ଧିଙ୍କୁ ଏହି ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ପୂର୍ବରୁ ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ୍ ଦୀପାବଳି ପରେ ରାହୁଲ ଏଆଇସିସିର ଅଧ୍ୟକ୍ଷ ହେବେ ବୋଲି କହିଥିଲେ । ରାହୁଲ ଗାନ୍ଧି ପୂର୍ବାପେକ୍ଷା ଏବେ ରାଜନୀତିରେ ଅଧିକ ପରିପକ୍ୱ ହୋଇଛନ୍ତି । ତାଙ୍କ କଥା କହିବାର ଶୈଳୀ ମଧ୍ୟ ବଦଳିଛି । ସୋସିଆଲ ମିଡିଆରେ ମଧ୍ୟ କଂଗ୍ରେସ ଅଧିକ ସକ୍ରିୟ ହୋଇଛି । ଗୁଜରାଟରେ ଅଧିକ ଆକ୍ରମଣ ମୁଡରେ ଅଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ଓଡିଶା ସମେତ ବିଭିନ୍ନ ରାଜ୍ୟ ପିସିସି ପ୍ରସ୍ତାବ ଗ୍ରହଣ କରି ଏଆଇସିସିକୁ ପ୍ରସ୍ତାବ ପଠାଇଛନ୍ତି ।