ସୈନିକ ରାମକିଶନଙ୍କ ଆତ୍ମହତ୍ୟାକୁ ନେଇ ଜୋର ଧରିଲା ରାଜନୀତି : ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାହୁଲ ଗାନ୍ଧି ଓ ଅରବିନ୍ଦ କେଜ୍ରିୱାଲ

44

କନକ ବ୍ୟୁରୋ : ପୂର୍ବ ସୈନିକଙ୍କ ଆତ୍ମହତ୍ୟାକୁ ନେଇ ଜୋର ଧରିଲା ରାଜନୀତି । ମୃତ ଯବାନଙ୍କ ପୈତୃକ ଗ୍ରାମ ବାମଲାରେ ଆଜି ହେବ ଅନ୍ତିମ ସଂସ୍କାର । ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମିଲ ହେବେ । ଏଥିପାଇଁ କଂଗ୍ରେସ ଯୁବରାଜ ହରିୟାଣାରେ ପହଂଚିଛନ୍ତି । ତେବେ ଗତକାଲି ମୃତ ଯବାନଙ୍କ ପରିବାରବର୍ଗଙ୍କୁ ଭେଟିବା ପାଇଁ ଯାଇଥିବା ସମୟରେ ରାହୁଲ ଓ କେଜ୍ରିୱାଲଙ୍କୁ ଅଟକ ରଖିଥିଲା ଦିଲ୍ଲୀ ପୁଲିସ ।

ମଙ୍ଗଳବାର ଦିନ ପୂର୍ବତନ ସୈନିକ ରାମକିଶନ ବିଷପିଇ ଆତ୍ମହତ୍ୟା କରିଥିଲେ । ରାମକିଶନ ସରକାରଙ୍କ ଓଆରଓପି ନିଷ୍ପତିକୁ ନେଇ ଅସନ୍ତୁଷ୍ଟ ଥିଲେ । ତେଣୁ ସୋମବାରଠାରୁ ଦିଲ୍ଲୀ ଯନ୍ତରମନ୍ତରଠାରେ ଧାରଣାରେ ବସିଥିଲେ । ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେବାକୁ ଯିବା ବାଟରେ ବିଷ ପିଇଦେଇଥିଲେ ରାମକିଶନ ।

ରାମକିଶନଙ୍କୁ ନିକଟସ୍ଥ ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ବି.କେ. ସିଂ କହଛନ୍ତି ରାମ କିଶନଙ୍କ ମାନସିକ ଅବସ୍ଥା ଠିକ୍ ଥିଲା କି ନାହିଁ ତାହା ସ୍ପଷ୍ଟ ହେବା ଦରକାର ।