ଭୋଟ୍ ପାଇଁ ବଡ଼ ପ୍ରତିଶ୍ରୁତି ଦେଲେ ରାହୁଲ ଗାନ୍ଧି ! କହିଲେ, କଂଗ୍ରେସ କ୍ଷମତାକୁ ଆସିଲେ ଗରିବଙ୍କ ବ୍ୟାଙ୍କ ଖାତାକୁ ଯିବ ବାର୍ଷିକ ୭୨ ହଜାର ଟଙ୍କା ।

342

କନକ ବ୍ୟୁରୋ : ସରକାରକୁ ଆସିଲେ ଦେଶର ୫କୋଟି ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦେବ କଂଗ୍ରେସ । ନିର୍ବାଚନ ପୂର୍ବରୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବଡ ଘୋଷଣା କରି ସମସ୍ତଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଂଟି ଦେଇଛନ୍ତି । ନ୍ୟାୟ ନାଁରେ ନୂଆ ସ୍କିମ ଘୋଷଣା କରି ରାହୁଲ କହିଛନ୍ତି, ଦେଶର ୨୦ ପ୍ରତିଶତ ଅତି ଗରିବଙ୍କୁ ମାସିକ ୧୨ ହଜାର ଟଙ୍କାର ସର୍ବନିମ୍ନ ଆୟ ଯୋଗାଇ ଦିଆଯିବ । ଏବଂ ଏହି ସ୍କିମ ଆରମ୍ଭ ହେଲେ ଦେଶରେ ଆଉ କେହି ଗରିବ ରହିବେ ନାହିଁ ।

ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧିଙ୍କ ବଡ ଘୋଷଣା । ଗରିବଙ୍କୁ ମିଳିବ ସର୍ବନିମ୍ନ ଆୟର ଗ୍ୟାରେଂଟି । ୫ କୋଟି ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା । ୨୦୧୯ ନିର୍ବାଚନର ୧୫ ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମାଷ୍ଟରଷ୍ଟ୍ରୋକ । ସରକାରକୁ ଆସିଲେ ମାସିକ ୧୨ ହଜାର ଟଙ୍କାର ସର୍ବନିମ୍ନ ଆୟ ଗ୍ୟାରେଂଟି ଦେବ କଂଗ୍ରେସ । ମାସିକ ୧୨ ହଜାର ଟଙ୍କାରୁ କମ୍ ଆୟ କରୁଥିବା ପରିବାର ଏହି ସ୍କିମରେ ଅନ୍ତର୍ଭୁକ୍ତ ହୋଇପାରିବେ । ଦେଶର ୫ କୋଟି ପରିବାରର ୨୫ କୋଟି ଲୋକଙ୍କୁ ମିଳିବ ଏହାର ଲାଭ । ରାହୁଲ ଏହି ସ୍କିମର ନାଁ ରଖିଛନ୍ତି, ନ୍ୟାୟ ।

ଦେଶର ୨୦ ପ୍ରତିଶତ ସବୁଠୁ ଗରିବ ପରିବାର କଂଗ୍ରେସର ଏହି ସ୍କିମ୍ ଦ୍ୱାରା ଉପକୃତ ହେବେ । ହିତାଧିକାରୀଙ୍କ ଆକାଉଂଟକୁ ସିଧାସଳଖ ପ୍ରତିବର୍ଷ ଟଙ୍କା ପହଁଚିଯିବ । ପ୍ରତ୍ୟକ ପରିବାରର ସର୍ବନିମ୍ନ ଆୟ କେତେ ରହିବ ସେନେଇ ବିଶେଷଜ୍ଞଙ୍କୁ ନେଇ କଂଗ୍ରେସ ଏକ ସର୍ଭେ କରି ରିପୋର୍ଟ ପ୍ରସ୍ତୁତ କରିଛି । ରାହୁଲ କହିଛନ୍ତି, ମାସିକ ୧୨ ହଜାର ଟଙ୍କା ଆୟ କରିପାରୁନଥିବା ପରିବାର ଦେଶରେ ସବୁଠୁ ଗରିବ । ତେଣୁ କଂଗ୍ରେସର ଏହି ସ୍କିମ ଆସିଲେ ଦେଶରେ ଆଉ କେହି ଗରିବ ରହିବେ ନାହିଁ ।

ଗେମ୍ ଚେଂଜର ହେବ ରାହୁଲଙ୍କ ଘୋଷଣା? ‘ମନରେଗା’ର ଉଦାହରଣ ଦେଲେ କଂଗ୍ରେସ ଅଧ୍ୟକ୍ଷ । କଂଗ୍ରେସର ନୂଆ ସ୍କିମକୁ ଯଥାର୍ଥ ଦର୍ଶାଇବାକୁ ଯାଇ ମନରେଗାର ଉଦାହରଣ ଦେଇଛନ୍ତି ରାହୁଲ । କହିଛନ୍ତି, କଂଗ୍ରେସ ଆଣିଥିବା ମନରେଗା ସ୍କିମ ଦ୍ୱାରା ଦେଶର ୧୪ କୋଟି ଗରିବ ଉପକୃତ ହୋଇଥିଲେ । ନ୍ୟାୟ ସ୍କିମ ଆସିଲେ ଦେଶରେ ଆଉ କେହି ଗରିବ ରହିବେ ନାହିଁ ।