ରାଜ୍ୟ ନେତାଙ୍କୁ ରାହୁଲଙ୍କ ମନ୍ତ୍ର ! ମୋଦି ସରକାରଙ୍କ ଜନ ବିରୋଧୀ ନୀତିକୁ ଲୋକଙ୍କୁ ଅବଗତ କରାଅ ।

68

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସ ନେତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରାମର୍ଶ । ମୋଦି ସରକାରଙ୍କ ଜନବିରୋଧୀ ନୀତିକୁ ଲୋକଙ୍କୁ ଅବଗତ କରାଅ । ସୂଚନା ମୁତାବକ କଂଗ୍ରେସ ରାଜ୍ୟ ସଭାପତିମାନଙ୍କୁ ପରାମର୍ଶ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ । ପ୍ରତି ରାଜ୍ୟରେ ଦଳର ନିର୍ବାଚନୀ ପ୍ରସ୍ତୁତି ଏବଂ ରଣନୀତି ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଏବଂ ବରିଷ୍ଠ ନେତାମାନଙ୍କ ବୈଠକ ଡାକିଥିଲେ ରାହୁଲ । ଆଗାମୀ ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା ବୋଲି ରାହୁଲ ଟୁଇଟ୍ କରି କହିଛନ୍ତି ।

ଏହି ବୈଠକରେ ମୋଦି ସରକାରଙ୍କ କୃଷକବିରୋଧୀ, ଯୁବବିରୋଧୀ, ମହିଳା ବିରୋଧୀ ନୀତିକୁ ଲୋକଙ୍କ ସମ୍ମୁଖକୁ ଆଣିବା ଲାଗି କଂଗ୍ରେସ ଅଧ୍ୟକ୍ଷ ପରାମର୍ଶ ଦେଇଥିବା ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି । ବିଶେଷ କରି କୃଷକଙ୍କ ସମସ୍ୟା, ବେରୋଜଗାରି , ଏବଂ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରିବା ଆଦି ପ୍ରସଙ୍ଗକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ପଦାକୁ ଆଣିବା ଉପରେ ରାହୁଲ ଜୋର ଦେଇଥିଲେ । ନିର୍ବାଚନ ପ୍ରସ୍ତୁତି ନେଇ ଦଳର ସାଧାରଣ ସମ୍ପାଦକମାନଙ୍କୁ ଭେଟିବାର ଦୁଇ ଦିନ ପରେ ରାହୁଲ ରାଜ୍ୟ ନେତାମାନଙ୍କୁ ଭେଟିଛନ୍ତି ।

ପୂର୍ବରୁ ମୋଦି ସରକାରଙ୍କୁ ବଭିନ୍ନ ପ୍ରସଙ୍ଗରେ ନିଶାନା କରୁଥିବା ରାହୁଲ ଗାନ୍ଧି ଆଗାମୀ ନିର୍ବାଚନ ପାଇଁ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ତେଣୁ ପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ସମସ୍ତ ମୁଖିଆଙ୍କୁ ମୋଦି ବିରୋଧୀ ମନ୍ତ୍ର ଦେଇଛନ୍ତି ରାହୁଲ । ମତଦାତାଙ୍କ ଉପରେ ମୋଦି ମ୍ୟାଜିକକୁ ଫିକା କରି ଭୋଟ୍ ବ୍ୟାଙ୍କ୍ ହାତେଇବା ପାଇଁ ପ୍ରୟାସ କରୁଛି କଂଗ୍ରେସ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।