ରାହୁଲ ଧରିବେ କଂଗ୍ରେସର ମଙ୍ଗ । ଅଧ୍ୟକ୍ଷ ହେବା ନିଶ୍ଚିତ, ଆଜି ନାମାଙ୍କନର ହେବ ଯାଂଚ

25

କନକ ବ୍ୟୁରୋ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଆଜି ତାଙ୍କ ନାମାଙ୍କନ ପତ୍ରର ଯାଂଚ୍ ହେବ । ରାହୁଲ ଗାନ୍ଧୀ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କ ଦାଖଲ କରିଥିବାରୁ ସେ ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ କାର୍ଯ୍ୟକାରୀ କମିଟିର ସମସ୍ତ ବରିଷ୍ଠ ନେତାଙ୍କ ସହ ନାମାଙ୍କନ ବେଳେ ଉପସ୍ଥିତ ଥିଲେ ୬ଟି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ସେହିପରି ବିଭିନ୍ନ ରାଜ୍ୟର ପ୍ରଦେଶ କଂଗ୍ରେସ ସଭାପତି ମଧ୍ୟ ଉପସ୍ଥିତ ଥିଲେ ।

ରାହୁଲ ଗାନ୍ଧୀଙ୍କ ସମର୍ଥନରେ ୯୦ ସେଟ୍ ନାମାଙ୍କନ ପତ୍ର ଦାଖଲ ହୋଇଛି । ଦୀର୍ଘ ୧୯ବର୍ଷ ଧରି ଦଳକୁ ସମ୍ଭାଳି ଆସୁଥିବା ମାଆ ସୋନିଆ ଗାନ୍ଧୀଙ୍କ କାନ୍ଧରୁ ବୋଝ ହାଲୁକା କରିବା ପାଇଁ ସଭାପତି ପଦଲାଗି ନାମାଙ୍କନ ଦାଖଲ କରିଛନ୍ତି ରାହୁଲ ଗାନ୍ଧୀ ।

ଅନ୍ୟପଟେ ରାହୁଲ ଗାନ୍ଧୀ ଅଧ୍ୟକ୍ଷପଦ ପାଇଁ ନାମାଙ୍କନ କରିବା ନେଇ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜାରଟରେ ନିର୍ବାଚନୀ ରାଲିକୁ ସମ୍ବୋଧନ ବେଳେ ମୋଦି କହିଛନ୍ତି-କଂଗ୍ରେସକୁ ଔରଙ୍ଗଜେବ ଶାସନ ପାଇଁ ଶୁଭେଚ୍ଛା । ମୋଦି ଆହୁରି କହିଛନ୍ତି- କଂଗ୍ରେସ ଦଳର ବରିଷ୍ଠ ନେତାମାନେ ବି ଭାବୁଛନ୍ତି କଂଗ୍ରେସ ଏକ ଦଳ ନୁହେଁ ବରଂ ଏକ ଗୋଷ୍ଠୀ । ରାହୁଲଙ୍କ ହାତରେ ଏହି ସର୍ବପୂରାତନ ଦଳର ନେତୃତ୍ୱକୁ ମୋଗଲ ଶାସନ ସହ ତୁଳନା କରିଛନ୍ତି ମୋଦି ।