ରାଉରକେଲାରେ ନାଚିଲେ ରାହୁଲ ଗାନ୍ଧି । ଆଦିବାସୀ ମହିଳାଙ୍କ ସହ ପାରମ୍ପରିକ ନୃତ୍ୟରେ ନାଚିଲେ କଂଗ୍ରେସ ଅଧ୍ୟକ୍ଷ, ତାଳି ମାଡରେ ପ୍ରକମ୍ପିତ ହେଲା ପୂରା ପଡିଆ

217

କନକ ବ୍ୟୁରୋ : ୨୦୧୯ରେ ଓଡିଶାରେ ସରକାର ଗଢିବାକୁ କଂଗ୍ରେସ ଜୋର ଲଗାଇ ଦେଇଥିବା ବେଳେ ଏହାକୁ ବଳ ଯୋଗାଉଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବୟାନ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଡାଇରେକ୍ଟ ଆଟାକ୍ କରିବା ସହ କଂଗ୍ରେସ କର୍ମୀଙ୍କ ମନରେ ଜୋଶ ଭରିଛନ୍ତି ରାହୁଲ । ଖାସକରି ଭୁଷୁଡି ପଡିଥିବା କଂଗ୍ରେସର ପଶ୍ଚିମ ଓଡିଶା ଗଡକୁ ସଜାଡିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି କଂଗ୍ରେସ କମାଣ୍ଡର । ଗୋଟିଏ ପଟେ ରାହୁଲ ଆଦିବାସୀଙ୍କୁ ହକ୍ ଦେବାକୁ କହୁଥିବା ବେଳେ ଅନ୍ୟପଟେ ଆଦିବାସୀ ମହିଳାଙ୍କ ସହ ପାଦରେ ପାଦ ମିଶାଇ ନାଚିଛନ୍ତି ରାହୁଲ ।

କଳାହାଣ୍ଡି ପରେ ରାଉରକେଲାରେ ମଧ୍ୟ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ତେବେ ସଭା ପୂର୍ବରୁ ରାହୁଲଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇଥିଲେ କଂଗ୍ରେସ କର୍ମୀ । ରାହୁଲ ନିଜ ଅଭିଭାଷଣ ଦେବା ପୂର୍ବରୁ ଆଦିବାସୀ ମହିଳାଙ୍କ ସହ  ତାଳରେ ତାଳ ମିଳାଇ ପାରମ୍ପରିକ ନୃତ୍ୟ କରି ସମସ୍ତଙ୍କର ମନ ଜିଣିଛନ୍ତି ।

ରାଉରକେଲା ପରିବର୍ତ୍ତନ ସଂକଳ୍ପ ସମାବେଶରେ ମଞ୍ଚରେ ବସିଥିବା ବେଳେ ତଳେ ନାଚୁଥିବା ଆଦିବାସୀ ମହିଳାଙ୍କ ପାରମ୍ପରିକ ନୃତ୍ୟ ଉପରେ ରାହୁଲଙ୍କ ଦୃଷ୍ଟି ପଡିଥିଲା । ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ  ବାର୍ତ୍ତାଳାପ କରି ମଞ୍ଚ ତଳକୁ ଓହ୍ଲାଇ କିଛି ସମୟ ଏହି ନୃତ୍ୟକୁ ଦେଖିଥିଲେ ।  ତେବେ ନୃତ୍ୟ ଦେଖୁ ଦେଖୁ ନାଚିବା ଆରମ୍ଭ କରିଥିଲେ ରାହୁଲ । ଆଦିବାସୀ ମହିଳାଙ୍କ ପାଦରେ ପାଦ ମିଳାଇ ବେଶ କିଛି ସମୟ ନାଚିଥିଲେ ରାହୁଲ ।   କେବଳ ରାହୁଲ ନୁହଁନ୍ତି ବରଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବୀରମିତ୍ରପୁର ବିଧାୟକ ଜର୍ଜ ତୀର୍କି ମଧ୍ୟ ପାରମ୍ପରିକ ନାଚରେ ଝୁମିଥିଲେ । ଯାହା ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ମନରେ ଖୁସି ଭରି ଦେଇଥିଲା । ଆଉ ଏହାପରେ ମଞ୍ଚ ଉପରକୁ ଯାଇ ନିଜ ଅଭିଭାଷଣରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ ।

ମତାମତ

Your email address will not be published.