ସଂସଦରେ ରାହୁଲ ଆଖି ମାରିଲେ, ମୋଦିଙ୍କୁ ଆଲିଙ୍ଗନ କଲେ । ଅନାସ୍ଥା ପ୍ରସ୍ଥାବରେ ରାହୁଲ ଗାନ୍ଧୀଙ୍କ ଭିନ୍ନ ଅବତାର

60

କନକ ବ୍ୟୁରୋ: ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିବା ପରେ ହଠାତ୍ ପ୍ରଧାନମନ୍ତ୍ରୀଙ୍କ ଆସନ ଆଡକୁ ଚାଲିଯାଇଥିଲେ ଏବଂ ମୋଦିଙ୍କୁ କୁଣ୍ଢାଇ ପକାଇଥିଲେ । ଏହି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ବାଚସ୍ପତି ସୁମିତ୍ରା ମହାଜନ ଏହାକୁ ନାପସନ୍ଦ କରି ମନ୍ତବ୍ୟ ରଖିଥିଲେ । ରାହୁଲ କୁଣ୍ଢାଇବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟିକିଏ ହଡବଡେଇ ଯାଇଥିବାର ଦେଖିବାକୁ ମିଳିଥିଲା । ରାହୁଲ ପ୍ରମାଣ କରିବାକୁ ଚାହୁଁଥିଲେ ଯେ ବିଜେପି ଘୃଣାର ଭାଷା କହୁଥିବା ବେଳେ କଂଗ୍ରେସ ପ୍ରେମର ଭାଷା କହୁଛି ।

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନାବେଳେ କିଛି ଏଭଳି ଢଙ୍ଗରେ ନଜର ଆସିଥିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ନିଜ ଆସନରୁ ସିଧା ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବସିଥିବା ସ୍ଥାନରେ ଆଲିଙ୍ଗନ କଲେ । ଆଉ ପୁଣି ନିଜ ଆସନକୁ ଫେରି ଆସୁଥିବାବେଳେ ମୋଦି ତାଙ୍କୁ ଡାକି ପିଠି ଥାପୁଡାଇଥିଲେ । କହିବାକୁ ଗଲେ ବେଶ ପରିପକ୍ୱ ନଜର ଆସିଥିଲେ ରାହୁଲ ଗାନ୍ଧି ଆଉ ନାଟକୀୟ ଢଙ୍ଗରେ ଦେଇଥିଲେ ପ୍ରେମର ବାର୍ତ୍ତା । କାରଣ ନିଜ ଅଭିଭାଷଣ କିଛି ଏଭଳି ଶବ୍ଦରେ ଶେଷ କରିଥିଲେ ରାହୁଲ ଗାନ୍ଧି । ଆବଶ୍ୟକ ସଂଖ୍ୟା ନଥାଇ ମଧ୍ୟ ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ପଛରେ କଂଗ୍ରେସର ଉଦ୍ଦେଶ୍ୟ ଥିଲା ସରକାରଙ୍କ ବିଫଳତାକୁ ନେଇ ସଂସଦରେ ଆକ୍ରମଣ କରିବା । ଯାହା ଗୃହରେ ଅଭିଭାଷଣ ଆରମ୍ଭରୁ ସ୍ପଷ୍ଟ କରିଦେଇଥିଲେ ରାହୁଲ ଗାନ୍ଧି । ଯେତେବେଳେ ଗୋଟି ଗୋଟି କରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶାଣିତ ଟିପ୍ପଣୀ କରିଥିଲେ । ଆଉ ସବୁର କେନ୍ଦ୍ରବିନ୍ଦୁରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବିମୁଦ୍ରାୟନ, ବେରୋଜଗାରୀ, ଜିଏସଟିଠାରୁ ଆରମ୍ଭ କରି ମୋଦିଙ୍କ ବିଦେଶ ନୀତି ଯାଏଁ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ କଡା ସମାଲୋଚନା କରିଥିଲେ ରାହୁଲ ଗାନ୍ଧି । ଆଉ ଫ୍ରାନ୍ସ ସହ ରାଫାଲ ଚୁକ୍ତି ନେଇ ପ୍ରତିରକ୍ଷା ମନ୍ତ୍ରୀ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଅଭିଯୋଗ ମଧ୍ୟ ଆଣିଥିଲେ । ଯାହାକୁ ନେଇ ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା । ସେପଟେ କିନ୍ତୁ ଅଭିଭାଷଣ ଶେଷରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଭଳି ଆଲିଙ୍ଗନ କରିବା ଅଶୋଭନୀୟ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ୍ ।

ତେବେ ମୋଦିଙ୍କୁ ଆଲିଙ୍ଗନ କରି ରାହୁଲ ଗାନ୍ଧି ନିଜ ଆସନକୁ ଆସି ବସିବା ପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବକ୍ତବ୍ୟ ରଖିୁଥିଲେ । ଏହି ସମୟରେ ରାହୁଲ ଗାନ୍ଧିଙ୍କ ଏକ ଆଖିମରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଏହେଉଛି ସେହି ଦୃଶ୍ୟ । ତେବେ ଏଭଳି ସେ କାହିଁକି କଲେ ତାହା ସ୍ପଷ୍ଟ ହୋଇ ନାହିଁ । ଅନୁମାନ କରାଯାଉଛି କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଅନ୍ୟ ସହଯୋଗୀଙ୍କ ଉଦ୍ଦେଶ୍ୟରେ ଆଖିମାରି କିଛି ଇଂଗିତ ଦେଇଥିଲେ ରାହୁଲ । ଲାଗୁଥିଲା, ଅନାସ୍ଥା ବିତର୍କ ବେଳେ ନିଜ ପ୍ରଦର୍ଶନ ନେଇ ସେ ଖୁସି ଥିଲେ । କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଦୃସ୍ୟ ଭାଇରାଲ ହେବାରେ ଲାଗିଛି ।