ରାହୁଲ ଓ ପ୍ରିୟଙ୍କାଙ୍କ ନିର୍ବାଚନୀ ପ୍ରଚାର ! ମୋଦିଙ୍କୁ କଲେ ଟାର୍ଗେଟ୍, କହିଲେ ମୋଦି ଯଦି ରାଷ୍ଟ୍ରବାଦୀ, ତେବେ କୃଷକଙ୍କୁ ଭେଟିଲେ ନାହିଁ କାହିଁକି ।

135

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଜୋର ଧରିଛି ରାଜନୀତି । କମ୍ପୁଛି ପ୍ରଚାର ମଇଦାନ । ଆଜି ଉତ୍ତରପ୍ରଦେଶ ଆଗ୍ରାର ଫତେହପୁର ସିକରୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ସଭା କରିଛନ୍ତି । ଫତେହପୁର ସିକରୀରୁ କଂଗ୍ରେସ ପ୍ରାର୍ଥୀ ରାଜ ବବରଙ୍କ ପାଇଁ ଭୋଟ ମାଗିଛନ୍ତି ଭାଇ ରାହୁଲ ଓ ଭଉଣୀ ପ୍ରିୟଙ୍କା । ପ୍ରଚାର ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

ପ୍ରିୟଙ୍କା କହିଛନ୍ତି, ମୋଦି ଯଦି ଜଣେ ରାଷ୍ଟ୍ରବାଦୀ ତେବେ କୃଷକଙ୍କୁ କାହିଁକି ଭେଟିଲେ ନାହିଁ । ନାରୀ ଉପରେ ଅଭଦ୍ର ଟିପ୍ପଣୀ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ କାହିଁକି । ମିଛ ପ୍ରଚାରର ପ୍ରକୃତ ସତ ଲୋକଙ୍କୁ ଜଣା, ଦେଶର ଲୋକ ବେଶ ସଚେତନ ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

ସେହିପରି ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଆପଣ କେବେ ଗରିବଙ୍କ ଘରେ ଚୌକିଦାରକୁ ଦେଖିଛନ୍ତି କି ବୋଲି ରାହୁଲ ଜନତାଙ୍କୁ ପ୍ରଶ୍ନ କରିଛନ୍ତି । ନିର୍ବାଚନ ଯେତିକି ପାଖଉଛି, ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ମଧ୍ୟ ସେତିକି ତେଜିବାରେ ଲାଗିଛି । ୨୦୧୯ ନିର୍ବାଚନରେ ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରୁଛନ୍ତି ସମସ୍ତ ରାଜନୈତିକ ଦଳ । ତେବେ ନେତାଙ୍କ ଏହି ଦମ୍ଭୋକ୍ତି ଭିତରେ ଅପେକ୍ଷା ଆସନ୍ତା ମେ ମାସ ୨୩ ତାରିଖକୁ, ଯେତେବେଳେ ସ୍ପଷ୍ଟ ହୋଇଯିବ, ଜନମତ କାହା ସପକ୍ଷରେ ଯାଉଛି, ଆଉ କାହାକୁ ଭରସୁଛନ୍ତି ଜନତା ।