ପାରିକରଙ୍କ ଅଭିଯୋଗକୁ ରାହୁଲଙ୍କ ଖଣ୍ଡନ ! କହିଲେ ଚାପଗ୍ରସ୍ତ ହୋଇ ମୋଦିଙ୍କ ବିଶ୍ୱାସ ଜିତିବାକୁ ଉଦ୍ୟମ କରୁଛନ୍ତି ପାରିକର, ରହିଛି ସମ୍ପୂର୍ଣ୍ଣ ସହାନୁଭୂତି  ।

122

କନକ ବ୍ୟୁରୋ : ରାହୁଲ ଗାନ୍ଧୀ ଓ ମନୋହର ପାରିକରଙ୍କ ମଧ୍ୟରେ ପତ୍ର ଯୁଦ୍ଧ । ସୌଜନ୍ୟମୂଳକ ସାକ୍ଷାତରୁ ରାଜନୈତିକ ଫାଇଦା ଉଠାଉଥିବା ପାରିକରଙ୍କ ଅଭିଯୋଗକୁ ଖଣ୍ଡନ କଲେ  ରାହୁଲ । ପ୍ରଧାନମନ୍ତ୍ରୀଙ୍କ ଚାପରେ ପାରିକର ତାଙ୍କୁ ଟାର୍ଗେଟ କରୁଥିବା ଉଲ୍ଲେଖ କରି ରାହୁଲ, ପାରିକରଙ୍କୁ ଏକ ପତ୍ର ଲେଖିଛନ୍ତି  । ପୂର୍ବରୁ ରାହୁଲ ପାରିକରଙ୍କୁ ସାକ୍ଷାତ କରି ରାଫେଲ୍ ମାମଲାରେ ସରକାରଙ୍କୁ ଘେରିଥିଲେ ଓ ପାରିକର ଦେଇଥିଲେ ବୟାନ୍  ।

ରାହୁଲ ବନାମ ପାରିକର । ସାକ୍ଷାତକାରକୁ ନେଇ ଜୋର ଧରିଲା ରାଜନୀତି । ସୌଜନ୍ୟମୂଳକ ସାକ୍ଷାତକୁ ନେଇ  ରାଜନୈତିକ ଫାଇଦା ଉଠାଇଥିବା ପାରିକରଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତିି ରାହୁଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାପ ଓ ତାଙ୍କର ବିଶ୍ୱସ୍ତ ହୋଇ ରହିବା ପାଇଁ ରାହୁଲ ଗାନ୍ଧୀଙ୍କୁ ଗୋଆ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଥିବା ରାହୁଲ ଏହି ପତ୍ରରେ ଲେଖିଛନ୍ତି । ତେବେ ପାରିକର ତାଙ୍କୁ ଲେଖିଥିବା ପତ୍ର ତାଙ୍କ ପୂର୍ବରୁ ଗଣମାଧ୍ୟମ ନିକଟରେ ପହଂଚିବା ତାଙ୍କୁ ଦୁଃଖ ଦେଇଛି ବୋଲି ରାହୁଲ ଲେଖିଛନ୍ତି । 

ପାରିକରଙ୍କ ସହ ହୋଇଥିବା ବ୍ୟକ୍ତିଗତ କଥା ସେ ସାର୍ବଜନୀନ କରିନାହାନ୍ତି ବରଂ ରାଫେଲ ସର୍ମ୍ପକରେ ଯେଉଁ ଆଲୋଚନା କରିଛନ୍ତି ତାହା ପୂର୍ବରୁ ମଧ୍ୟ ସର୍ବସାଧାରଣ ହୋଇ ସାରିଛି ବୋଲି କଂଗ୍ରେସ ଅଧ୍ୟକ୍ଷ ଲେଖିଛନ୍ତି  । ସସମ୍ମାନେ ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ଏହି ସାକ୍ଷାତକାର ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ଥିଲା । ଏବଂ ଆପଣଙ୍କ ମନେ ଥିବ ଆମେରିକାରେ ଚିକିତ୍ସା ସମୟରେ ବି ମୁଁ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ଆପଣଙ୍କୁ ଯୋଗାଯୋଗ କରିଥିଲି ବୋଲି ରାହୁଲ ପ୍ରତିକ୍ରିୟା ରଖିଛନ୍ତି । ମନୋହର ଓ ରାହୁଲଙ୍କ ମଧ୍ୟରେ ଏହି ପତ୍ର ବିବାଦକୁ ନେଇ ଜୋର ଧରିଛି ରାଜନୀତି ।

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ରାହୁଲ ତାଙ୍କୁ ଭେଟିବା ବେଳେ ରାଫେଲ ବିଷୟରେ କୌଣସି ଆଲୋଚନା ହୋଇ ନଥିବା ଉଲ୍ଲେଖ କରିଥିଲେ । ଗୋଆ ଗସ୍ତ ଅବସରରେ ରାହୁଲ ଗାନ୍ଧୀ ଅସୁସ୍ଥ ଥିବା ମୁଖ୍ୟମନ୍ତ୍ରୀ ପାରିକରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଏହି ସମୟରେ ପାରିକର ରାଫେଲ ନେଇ ସରକାରଙ୍କ ନୂଆ ଚୁକ୍ତି ନେଇ କିଛି ଜାଣି ନଥିବା କହିଥିଲେ ବୋଲି ରାହୁଲ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପାରିକର ରାହୁଲଙ୍କୁ ଚିଠି ଲେଖିଥିଲେ । ମାତ୍ର ୫ ମିନିଟ୍ ପାଇଁ ଭେଟିବାକୁ ଆସିଥିବା ରାହୁଲ ତାଙ୍କର ଏହି ଭେଟକୁ ନେଇ ନିଜ ଶସ୍ତା ରାଜନୀତିର ରୂପ ଦେଇଥିବା ଅଭିଯୋଗ କରିଥିଲେ ମନୋହର ପାରିକର । ଏହା ସହ ସାକ୍ଷାତକାର ସମୟରେ କେହି ମଧ୍ୟ ରାଫେଲ ପ୍ରସଙ୍ଗ ଉଠାଇ ନଥିଲେ ବୋଲି ନିଜ ଚିଠିରେ ଉଲ୍ଲେଖ କରିଥିଲେ ପାରିକର ।