ଓଡ଼ିଶାବାସୀଙ୍କୁ ମୋଦି କରିଥିଲେ ଏପ୍ରିଲ ଫୁଲ : ରାହୁଲ । ଫଣ୍ଡ ଯୋଗାଡ଼ ନାଁରେ ରାହୁଲ କରୁଛନ୍ତି ସ୍କାମ : ଧର୍ମେନ୍ଦ୍ର

50

କନକ ବ୍ୟୁରୋ : ଆଇଜିଏଚ ପାଇଁ କାହାର ଦରଦ କେତେ? ଏହି ପ୍ରସଙ୍ଗ ଏବେ ବେଶ ବିବାଦୀୟ ହୋଇଛି । ୨୦୧୫ରେ ମୋଦି ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିବା ଅଭିଯୋଗ କରି ରାହୁଲ ଫଣ୍ଡ ଯୋଗାଡ ପାଇଁ ଅଂଟା ଭିଡିବା ପରେ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ । ମୋଦିଙ୍କ ପ୍ରତିଶ୍ରୁତିକୁ ରାହୁଲ ଗାନ୍ଧୀ ଏପ୍ରିଲ ଫୁଲ ଡେ ଜୋକ୍ କହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ଅଧ୍ୟକ୍ଷଙ୍କୁ ଫେକ୍ ନ୍ୟୁଜ ଫ୍ୟାକ୍ଟ୍ରି ଭାବେ ଅଭିହିତ କରି କହିଛନ୍ତି, ଆଇଜିଏଚ ପାଇଁ ୨୦୦ କୋଟି ମଂଜୁର ହୋଇସାରିଛି । ଏହି ବିବାଦ ଆଉ ଗୋଟିଏ ପାଦ ଆଗକୁ ବଢିଥିଲା ଯେତେବେଳେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଧର୍ମେନ୍ଦ୍ରଙ୍କୁ ଜବାବ ଦେଇ କହିଛନ୍ତି, ଏତେ ଦିନ ବିତିଲା, କିଛି କଲେନି, ୧୦ ମାସରେ କଣ ବା କରିପାରିବେ? ଆଇଜିଏଚ ପାଇଁ ଯେତେବେଳେ ରାଉରକେଲାରୁ ଦିଲ୍ଲୀ ମୁକ୍ତିକାନ୍ତ ବିଶ୍ୱାଳ ଚାଲିଚାଲି ଗଲେ, ସେବେଠାରୁ ରାଜନୀତିର ମୁଖ୍ୟ ମୁଦ୍ଦା ପାଲଟିଛି ଏହି ପ୍ରସଙ୍ଗ, ଯାହାକୁ ନେଇ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ୨ ପ୍ରମୁଖ ରାଜନୈତିକ ଦଳ ।


ଏପ୍ରିଲ ମାସରେ ଓଡ଼ିଶା ଲୋକଙ୍କୁ ବୋକା ବନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପ୍ରିଲ ୧ ତାରିଖରେ ରାଉରକେଲା ମାଟିରେ ଛିଡ଼ା ହୋଇ ଆଜିଏଚ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମୋଦି ଯେଉଁ ଘୋଷଣା କରିଥିଲେ ତାହା ଓଡ଼ିଶା ବାସୀଙ୍କ ପାଇଁ ଏପ୍ରିଲ ଫୁଲ ଜୋକ ଥିଲା ବୋଲି କହିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଉ ରାହୁଲଙ୍କ ଏହି ଟ୍ୱିଟ୍ ପରେ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଛି ଯୁଦ୍ଧ । ଦିଲ୍ଲୀରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ରାହୁଲ ଏକ ଭିଡିଓ ଟ୍ୱିଟ୍ କରି କହିଛନ୍ତି, ୧ ଏପ୍ରିଲ ୨୦୧୫ରେ ପ୍ରଧାନମନ୍ତ୍ରୀ ଓଡିଶା ଜନସାଧାରଣଙ୍କ ସହିତ ଏପ୍ରିଲ ଫୁଲ୍ ଡେର ମଜାକ କରିଥିଲେ । ନିଜ କଥାକୁ ରଖିବାରେ ନରେନ୍ଦ୍ର ମୋଦି ଯେତେବେଳେ ବିଫଳ ହୋଇଛନ୍ତି ସେତେବେଳେ କଂଗ୍ରେସ ଦଳ ଏକ କ୍ୟାମ୍ପେନ ଆରମ୍ଭ କରିଛି କଥା ରଖିବା ପାଇଁ । ଏହି କ୍ୟାମ୍ପେନରେ ଜନସାଧାରଣଙ୍କୁ ରାଉରକେଲାରେ ଆଇଜିଏଚ୍ ହସ୍ପିଟାଲ ପାଇଁ ନିଜ ସାମର୍ଥ୍ୟ ଅନୁଯାୟୀ ଟଙ୍କା ଦେବାକୁ କହିଛି କଂଗ୍ରେସ ।


କଂଗ୍ରେସର ଏଭଳି ପ୍ରୟାସକୁ କିନ୍ତୁ ଏକ ସ୍କାମ ଭଳି ଦେଖୁଛି ବିଜେପି । ରାହୁଲଙ୍କ ଟ୍ୱିଟ ଉପରେ ଜବାବ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମିଛ ଖବରର ଫ୍ୟାକ୍ଟ୍ରି ରାହୁଲ ଗାନ୍ଧୀ ଆଉ ଏକ ମିଛ ସାମ୍ନାକୁ ଆଣିଲେ । ୨୦୦ କୋଟି ହସ୍ପିଟାଲ ପାଇଁ ଅନୁଦାନ ମିଳିଛି , ଡିପିଆର ଦିଆ ସରିଛି । ହେଲେ ରାହୁଲ କେବେ ତଥ୍ୟ ପାଇଁ ଚିନ୍ତା କରନ୍ତି କି! ଫଣ୍ଡ ଯୋଗାଡ କରିବା ମାଧ୍ୟମରେ ନୂଆ ସ୍କାମକୁ ଜନ୍ମ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ।


ଆଉ ଏହାରି ଭିତରେ ପିସିସି ସଭାପତି ସେହି ସୋସିଆଲ ମିଡିଆ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଛନ୍ତି ଜବାବ । ଟ୍ୱିଟ୍ କରି କହିଛନ୍ତି, ଦେଖନ୍ତୁ କିଏ ଓଡିଶା ପାଇଁ ଚିନ୍ତା କରୁଛି । ନିଜ ବ୍ୟସ୍ତବହୁଳ ବିଦେଶ ଗସ୍ତ କାର୍ଯ୍ୟସୂଚୀରୁ ସମୟ ବାହାର କରି ଓଡିଶା ବାବଦରେ କଥା କହିଥିବାରୁ ଧନ୍ୟବାଦ । ହେଲେ ଗୋଟିଏ ପ୍ରଶ୍ନ ଅଛି, ୨୦୧୫ରେ ପ୍ରଧାନମନ୍ତ୍ରୀ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ କଥା ଦେଇଥିଲେ । ଏପର୍ଯ୍ୟନ୍ତ କିଛି ବି ହୋଇନାହିଁ । ଆଗାମୀ ୧୦ ମାସରେ ଆପଣ କଣ କରିପାରିବେ?

ନିଜର ୩ଟି ଟ୍ୱିଟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଇଥିବା ନିରଂଜନ ପଟ୍ଟନାୟକ, ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ଉକ୍ତିକୁ ମଧ୍ୟ ଉପସ୍ଥାପନ କରୁଛନ୍ତି, ଯେଉଁଠି ନିଜେ ଦିଲ୍ଲୀପ ରାୟ, ଆଇଜିଏଚ କାର୍ଯ୍ୟ ବାବଦରେ ପ୍ରଶ୍ନ ଉଠାଇଥିଲେ । ରାଉରକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟ ଟ୍ୱିଟ୍ କରି କହିଛନ୍ତି, ଆଇଜିଏଚ ହସ୍ପିଟାଲ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭ ଥର ଭେଟିଛନ୍ତି । ଏପରିକି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ୧୫ରୁ ୨୦ ଥର ଚିଠି ମାଧ୍ୟମରେ ଜଣାଇଛନ୍ତି । କିନ୍ତୁ ଆଇଜିଏଚ୍ କାମ ଏଯାଏଁ ଆରମ୍ଭ ହୋଇପାରିନି । ତେଣୁ ରାଉରକେଲା ବିଧାୟକ ଭାବେ ସେ ଲଜ୍ଜା ଅନୁଭବ କରୁଛନ୍ତି ।

ଆଇଜିଏଚ ବାବଦରେ ମୋଦି ଦେଇଥିବା ପ୍ରତିଶ୍ରୁତି ପାଳନରେ ଯେତେବେଳେ ବିଫଳ ହେଲେ ସେତେବେଳେ ରାଉରକେଲାରୁ ଆରମ୍ଭ ହୋଇଥିଲା ଦିଲ୍ଲୀ ଚଲୋ ଅଭିଯାନ । ୧୦୦୦ କିମିରୁ ଅଧିକ ବାଟ ଚାଲି ଚାଲି ଯେତେବେଳେ ମୁକ୍ତିକାନ୍ତ ଆଗ୍ରାରେ ଅସୁସ୍ଥ ହୋଇପଡିଲେ ସେତେବେଳେ ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଲା । ଆଉ ଏବେ ରାଜନୀତିକୁ ମଧ୍ୟ ଏହା ପ୍ରଭାବିତ କରିବାକୁ ଯାଉଛି, ଆଇଜିଏଚ ପାଇଁ କାହାର ଦରଦ କେତେ?