ବିମୁଦ୍ରାକରଣର ମୂଲ୍ୟ ସମ୍ପର୍କରେ ସରକାରଙ୍କୁ ସଚେତନ କରାଇଥିଲେ ରଘୁରାମ୍‌ ରାଜନ୍‌ !

43

କନକ ବ୍ୟୁରୋ : ବିମୁଦ୍ରାକରଣର ମୂଲ୍ୟ ସମ୍ପର୍କରେ ସରକାରଙ୍କୁ ସଚେତନ କରାଇଥିଲେ ତତ୍କାଳୀନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ୍‌ ରାଜନ୍‌ । ବିମୁଦ୍ରାକରଣ ଯୋଗୁଁ ଦୀର୍ଘ ମିଆଦିରେ ଯେଉଁ ଲାଭ ମିଳିବ ସ୍ୱଳ୍ପ ମିଆଦିରେ ତା’ଠାରୁ ଅଧିକ କ୍ଷତି ହେବ ବୋଲି ସେ କହିଥିଳେ । ଏପରିକି ଅର୍ଥନୀତିରୁ କଳାଟଙ୍କାକୁ ବାଦ୍‌ ଦେବା ସମ୍ପର୍କିତ ଲକ୍ଷ୍ୟ ହାସଲ ପାଇଁ ବିକଳ୍ପ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ବୋଲି ରାଜନ୍‌ କହିଛନ୍ତି । ରାଜନ୍‌ ତାଙ୍କ ନୂଆ ପୁସ୍ତକ ‘ଆଇ ଡୁ ହ୍ଵାଟ୍‌ ଆଇ ଡୁ: ଅନ୍‌ ରିଫର୍ମସ ରେଟୋରିକ୍‌ ଆଣ୍ଡ୍‌ ରିଜଲଭ୍‌’ରେ ଏହା ଉଲ୍ଲେଖ କରିଛନ୍ତି ।

ଏହି ପୁସ୍ତକ ନିକଟ ଭବିଷ୍ୟତରେ ପ୍ରକାଶିତ ହେବ । ଉକ୍ତ ପୁସ୍ତକରେ ରାଜନ୍‌ କହିଛନ୍ତି, ବିମଦ୍ରାକରଣ ନେଇ ସେ ତାଙ୍କ ମତ ପ୍ରଥମେ ୨୦୧୬ ଫେବ୍ରୁଆରିରେ ମୌଖିକ ଭାବେ ଦେଇଥିଲେ । ଏହାପରେ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲିଖିତ ଆକାରରେ କେତେକ ବିଷୟ କୁହାଯାଇଥିଲା । ସରକାର ଯଦି ବିମୁଦ୍ରାକରଣ କରନ୍ତି ତାହେଲେ କି ପ୍ରକାର ପଦକ୍ଷେପ ନେବାକୁ ହେବ ଏବଂ ଏଥିପାଇଁ କେତେ ସମୟ ଆବଶ୍ୟକ ସେ ନେଇ କୁହାଯାଇଥିଲା । ଏପରିକି ଉପଯୁକ୍ତ ପଦକ୍ଷେପ ନିଆ ନଗଲେ ଏହାର ପରିଣତି କ’ଣ ହେବ ତାହା ରାଜନ୍‌ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ରାଜନ୍‌ କହିଛନ୍ତି ଯେ ଯଦିଓ ବିମୁଦ୍ରାକରଣର ଉଦ୍ଦେଶ୍ୟ ମହତ ଥିଲା । କିନ୍ତୁ ଏଥିପାଇଁ ବହୁତ ମୂଲ୍ୟ ଦେବାକୁ ପଡ଼ିଛି । ଏହା ଏକ ଅର୍ଥନୈତିକ ସଫଳତା ବୋଲି ବର୍ତ୍ତମାନ ସମୟରେ କେହି କରିପାରିବେ ନାହିଁ ବୋଲି ରାଜନ୍‌ କହିଛନ୍ତି ।

ଏକ ଇଂରାଜୀ ଖବରକାଗଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ରାଜନ୍‌ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ଯଦିଓ ରିଜର୍ଭ ବ୍ୟାଙ୍କର ପରାମର୍ଶ ଏଥିପାଇଁ ନିଆଯାଇଥିଲା ତଥାପି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିମୁଦ୍ରାକରଣ ସମ୍ପର୍କରେ ନିଷ୍ପତ୍ତି ନେବାକୁ କେବେବି କୁହାଯାଇ ନଥିଲା । ରିଜର୍ଭ ବ୍ୟାଙ୍କରେ ରାଜନ୍‌ଙ୍କ କାର୍ଯ୍ୟକାଳ ୨୦୧୬ ସେପ୍ଟେମ୍ବର ୫ରେ ଶେଷ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ ତାରିଖରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିଲେ ।

ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ତଥ୍ୟ ପ୍ରକାଶ କରାଯାଇଥିଲା । ଏଥିରେ ଦର୍ଶାଯାଇଛି ଯେ ଅଚଳ କରାଯାଇଥିବା ୯୯ ପ୍ରତିଶତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ବ୍ୟାଙ୍କରେ ଜମା କରାଯାଇଛି । ମାତ୍ର ୧ ପ୍ରତିଶତ ଅଚଳ ନୋଟ୍‌ ଫେରି ନଥିବାରୁ ବିରୋଧୀ ଦଳ ଗୁଡ଼ିକ ବିମୁଦ୍ରାକରଣର ସଫଳତା ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଦେଇଛନ୍ତି । ତେବେ ବିମୁଦ୍ରାକରଣର ଅନେକ ଲାଭ ମିଳିଛି ବୋଲି ସରକାର ସଫେଇ ଦେଉଛନ୍ତି । ଏଥିଯୋଗୁଁ ଟିିକସଦାତାଙ୍କ ସଂଖ୍ୟା ଏବଂ ଡିଜିଟାଲ କାରବାର ବୃଦ୍ଧି ପାଇଛି ବୋଲି ସରକାର ଦାବି କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ରାଜନ୍‌ ଆମେରିକାର ଚିକାଗୋ ବୁଥ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସ୍‌କୁ ଫେରିଯାଇ ସେଠାରେ ଅଧ୍ୟାପନା କରୁଛନ୍ତି ।