ରାଜନଙ୍କ ଟାର୍ଗେଟରେ ସରକାର ! ବିମୁଦ୍ରାକରଣ ପରେ ବ୍ୟାଙ୍କ ମିଶ୍ରଣ ନେଇ ପ୍ରଶ୍ନ ଉଠାଇଲେ

21

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପୁଣି ଥରେ ସରକାରଙ୍କୁ ଟାର୍ଗେଟ୍‌ କରିଥିବା ଭଳି ମନେ ହେଉଛି । କିଛି ଦିନ ତଳେ ବିମୁଦ୍ରାକରଣକୁ ସମାଲୋଚନା କରିଥିବା ରାଜନ ଏକ ସାକ୍ଷାତକାରରେ ବ୍ୟାଙ୍କ ମିଶ୍ରଣ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଆର୍‌ବିଆଇ ଗଭର୍ଣ୍ଣର ଥିବା ବେଳେ ସରକାରଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗ ହାତଛଡ଼ା କରୁନଥିଲେ ରାଜନ । ଦ୍ୱିତୀୟ ସୁଯୋଗ ନମିଳିବାରୁ ଆର୍‌ବିଆଇ ଛାଡ଼ି ସେ ଅଧ୍ୟାପନା କ୍ଷେତ୍ରକୁ ଫେରିଯାଇଥିଲେ ଏବଂ କିଛି ମାସ ସମ୍ପୂର୍ଣ୍ଣ ଚୁପ୍‌ ମଧ୍ୟ ହୋଇଯାଇଥିଲେ । ଏବେ ରାଜନ ପୁଣି ଥରେ ନିଜର ମୁହଁ ଖୋଲିବା ଆରମ୍ଭ କରିଛନ୍ତି ।

ବ୍ୟାଙ୍କ ମିଶ୍ରଣ ଯୋଜନା ଉପରେ ପ୍ରଶ୍ନ ଉଠାଇ ରାଜନ କହିଛନ୍ତି ଯେ, ଏହା ଏକ ଜଟିଳ ପ୍ରକ୍ରିୟା। ଏଥିପାଇଁ ଅନେକ ସମୟ ଏବଂ ଉଦ୍ୟମ ଦରକାର । ମିଶ୍ରଣ ହେବାକୁ ଥିବା ଦୁଇ ସଂସ୍ଥା ସୂଚନା ପ୍ରଯୁକ୍ତିଠାରୁ ଆରମ୍ଭ କରି କର୍ମ ସଂସ୍କୃତି ପର୍ଯ୍ୟନ୍ତ ସବୁ କିଛି ମିଶ୍ରଣ କରିବାକୁ ପଡ଼ିବ । ଏହା ଏକ ପାହାଡ଼ ଭଳି କାମ ବୋଲି ରାଜନ କହିଛନ୍ତି ।

ବ୍ୟାଙ୍କ ମିଶ୍ରଣରେ ସରକାରଙ୍କ ଭୂମିକାକୁ ନେଇ ରାଜନ ପ୍ରଶ୍ନ କରିଛନ୍ତି। ଏ ସବୁ ଯୋଜନାର ନିଷ୍ପତ୍ତି କଣ ନର୍ଥ ବ୍ଲକ୍‌ରେ ହୋଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁ ବ୍ୟାଙ୍କଗୁଡ଼ିକ ଦୁର୍ବଳ ସେମାନଙ୍କ ମିଶ୍ରଣ ହେଲେ ଆହୁରି ବଡ଼ ସମସ୍ୟା ସୃଷ୍ଟି ହେବ । ଏହା କିଭଳି ଭାବେ ସହଜରେ ହେବ । ଏଭଳି ମିଶ୍ରଣ ଦ୍ୱାରା ଗଠନ ହୋଇଥିବା ନୂଆ ସଂସ୍ଥା ମଧ୍ୟ ଦୁର୍ବଳ ହୋଇଯିବ ବୋଲି ସେ କହିଛନ୍ତି । ରାଜନ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକର ସ୍ଥିତି ଭଲ ହେବା ପରେ ସେଗୁଡ଼ିକର ମିଶ୍ରଣ କଲେ ଅଧିକ ଭଲ ଫଳ ମିଳିବ ।

ସରକାର ମିଶ୍ରଣ ଜରିଆରେ ୨୧ଟି ସରକାରୀ ବ୍ୟାଙ୍କ ସଂଖ୍ୟା ୧୫ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ କହିବା କଥା ହେଉଛି ଏହା ଦ୍ୱାରା ବଡ଼ ବ୍ୟାଙ୍କ ସୃଷ୍ଟି ହେବ ଏବଂ ସେମାନେ ଆର୍ଥିକ ନିଜର ପରିସୀମା ବଢ଼ାଇପାରିବେ । ୨୦୧୭-୧୮ରେ ୯ଟି ବ୍ୟାଙ୍କର ମୋଟ କ୍ଷତି ପରିମାଣ ଥିଲା ୧୮,୦୬୬ କୋଟି ଟଙ୍କା। ୬ଟି ବ୍ୟାଙ୍କର ସ୍ଥିତି ଏତେ ଦୁର୍ବଳ ଯେ ସେମାନଙ୍କ ସମ୍ପ୍ରସାରଣ ଉପରେ କଟକଣା ଜାରି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ମିଶ୍ରଣ ଯୋଜନାକୁ ନୀତିଗତ ମଞ୍ଜୁରି ପ୍ରଦାନ କରିବାକୁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ବ୍ୟାଙ୍କମାନେ କଣ ଚାହୁଁଛନ୍ତି

ବ୍ୟାଙ୍କଗୁଡ଼ିକ ଚାହୁଁଛନ୍ତି ଯେ ମିଶ୍ରଣ ନିଷ୍ପତ୍ତି ସରକାର ନୁହେଁ ବରଂ ବ୍ୟାଙ୍କର ବୋର୍ଡ ଗ୍ରହଣ କରିବା ଦରକାର। ଯଦି ବୋର୍ଡ ଚାହିଁବ ତେବେ ଯୋଜନା ଆଗକୁ ବଢ଼ିବ। ଅଧିଗ୍ରହଣ କରିବା ଭଳି ସ୍ଥିତିରେ ଥିବା ସରକାରୀ ବ୍ୟାଙ୍କ ଯଥା ପିଏନ୍‌ବି, କାନାରା ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ବରୋଦାର ମୁଖ୍ୟମାନେ ମଧ୍ୟ ମିଶ୍ରଣକୁ ନେଇ କେତେକ ସର୍ତ୍ତ ରଖିଛନ୍ତି । ସେମାନେ ସର୍ତ୍ତ ରଖିଛନ୍ତି ଯେ ଆମେ ଯେଉଁ ଛୋଟ ବ୍ୟାଙ୍କ ଅଧିଗ୍ରହଣ କରିବୁ ତାହା ଲାଭ କରୁଥିବା  ଦରକାର। କେବଳ ସେତିକି ନୁହେଁ ମିଶ୍ରଣ ପାଇଁ ବଡ଼ ବ୍ୟାଙ୍କଗୁଡ଼ିକ ସରକାରଙ୍କଠାରୁ ଅଧିକ ପୁଞ୍ଜି ମଧ୍ୟ ଦାବି କରିଛନ୍ତି ।