କେଜ୍ରିୱାଲଙ୍କ ରାଜନ ପ୍ରେମ ! ରାଜ୍ୟସଭା ପାଇଁ ଦେଲେ ଅଫର, ଉତ୍ତରକୁ ଅପେକ୍ଷା

35

ଆସନ୍ତାବର୍ଷ ରାଜ୍ୟସଭା ନିର୍ବାଚନ ପାଇଁ ଆରବିଆଇର ପୂର୍ବତନ ଅଧିକାରୀ ରଘୁରାମ ରାଜନଙ୍କୁ ଟିକଟ ଦେଇପାରେ ଆମ ଆଦମୀ ପାର୍ଟି । ଏଭଳି କରି ରାଜନୀତି ମଇଦାନରେ ବଡ ସଟ ଖେଳିବାକୁ ଯୋଜନା କରୁଛି ଆପ୍ । ଦିଲ୍ଲୀରେ ଆଗାମୀ ବର୍ଷ ପ୍ରାରମ୍ଭରେ ୩ଟି ରାଜ୍ୟସଭା ପଦ ପାଇଁ ନିର୍ବାଚନ ହେବ । ତେବେ ବିଧାନସଭା ଗଣିତ ଦୃଷ୍ଟିରୁ ଏହି ସବୁ ସିଟ୍ ଆପକୁ ଯିବା ଥୟ । ମିଳିଥିବା ସୁତ୍ର ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପାଇଁ ଦଳ ବାହାର ପ୍ରାର୍ଥୀଙ୍କୁ ଚୟନ କରିବ ବୋଲି ସ୍ଥିର ହୋଇଛି । ଏହାକୁ ନେଇ ଦଳ ଭିତରେ ମାନସ ମନ୍ଥନ ଆରମ୍ଭ ହୋଇଛି । କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ଜାତୀୟ ଚେହେରା ହୋଇଥିବା ବ୍ୟକ୍ତିତ୍ୱଙ୍କୁ ରାଜ୍ୟସଭା ଟିକଟ ଦେବାକୁ ଏକରକମ ସ୍ଥିର ହୋଇ ସାରିଛି । ଆଉ ଦୌଡରେ ରଘୁରାମ ରାଜନଙ୍କ ନାଁ ସବୁଠାରୁ ଆଗେର ଥିବାର ସୂଚନା ମିଳିଛି ।

ଦିଲ୍ଳୀର ୩ଟି ରାଜ୍ୟସଭା ସିଟ ଏବେ କଂଗ୍ରେସ କବଜାରେ ରହିଛି । ତେବେ ଆଗାମୀ ବର୍ଷ ଆରମ୍ଭରୁ ଏମାନଙ୍କ କାଯ୍ୟକାଳ ସରିବାକୁ ଯାଉଛି । ଏଭଳି କ୍ଷେତ୍ରରେ ପ୍ରଥମଥର ପାଇଁ ଆପ୍ ରାଜ୍ୟସଭା ସଦସ୍ୟକୁ ମନୋନୀତ କରିବାକୁ ଯାଉଛି । ୬୭ଟି ସିଟ ଜିତିଥିବା ଆପକୁ ୩ଟି ସିଟ ହାତେଇବା ପାଇଁ ବେଶି କଷ୍ଟ କରିବାକୁ ପଡିବନି । ରଘୁରାମ ରାଜନଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ଲୋକଙ୍କୁ ଏକ ଭିନ୍ନ ବାର୍ତ୍ତା ଦେବାକୁ ସ୍ଥିର କରିିଛି ଦଳ । ରଘୁରାମ ରାଜନଙ୍କୁ ପ୍ରାର୍ଥୀ କରାଗଲେ ଏହା ଦଳ ପାଇଁ ଫାଇଦା ହେବ ବୋଲି ଆପ ଚିନ୍ତା କରୁଛି । କାରଣ ରଘୁରାମ ରାଜନଙ୍କୁ ସମଗ୍ର ଦେଶ ଜାଣିଛି । ଏହାଛଡା ତାଙ୍କ କାର୍ଯ୍ୟ ଅନ୍ୟମାନଙ୍କ ଠାରୁ ତାଙ୍କୁ ଭିନ୍ନ କରିଥାଏ । ତେବେ ରଘୁରାମଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା କୁମାର ବିଶ୍ୱାସଙ୍କୁ ମହଙ୍ଗା ପଡିପାରେ । ରାଜନଙ୍କ ପାଇଁ ତାଙ୍କ ହାତରୁ ଚାଲି ଯାଇପାରେ ରାଜ୍ୟସଭା ସିଟ । କାରଣ ଗତ କିଛିଦିନ ପୂର୍ବରୁ ରାଜ୍ୟସଭା ସିଟ ପାଇଁ ନିଜ ଦାବିଦାର ଜାହିର କରିଥିଲେ କୁମାର ବିଶ୍ୱାସ । ତେବେ ଦଳ ମୁଖିଆ ଅରବିନ୍ଦ କେଜ୍ରିୱାଲ ଏନେଇ କୌଣସି ସ୍ୱଷ୍ଟ ମତ ଦେଇନାହାନ୍ତି ।ଆଗକୁ ଦିଲ୍ଲୀ ରାଜ୍ୟସଭା ରାଜନୀତି କଣ ହେବ ସେ କଥା ସମୟ କହିବ ।