ମାସକୁ ମିଳୁଛି ୧୦ ହଜାର ନିଯୁକ୍ତି

90

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍ ଗତ କିଛିଦିନ ହେଲା ଭାରତୀୟ ଅର୍ଥନୀତିର ବିଭିନ୍ନ ଦିଗ ଉପରେ ନିଜର ମତ ରଖିଆସୁଛନ୍ତି । ଏବେ ପୁଣି ଦେଶର ନିଯୁକ୍ତି କ୍ଷେତ୍ରର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ସେ ମତ ରଖିଛନ୍ତି । ରାଜନଙ୍କ ପୂର୍ବ ମନ୍ତବ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ କିଛି ଗୁରୁତ୍ୱ ରଖୁ କି ନରଖୁ ନିଯୁକ୍ତି ସମ୍ପର୍କିତ ମତ କିନ୍ତୁ ମୋଦିଙ୍କ କାନରେ ବାରମ୍ବାର ପ୍ରତିଧ୍ୱିନିତ ହେବା ଭଳି ହୋଇଛି।

ଏଠାରେ ତାଙ୍କ ପୁସ୍ତକ ‘ଆଇ ଡୁ ହ୍ଵାଟ୍ ଆଇ ଡୁ’ର ଉନ୍ମୋଚନ ଉତ୍ସବରେ ଯୋଗଦେଇ ରାଜନ୍ ଦେଶରେ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି ନିମନ୍ତେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ଵିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଦେଶର ବର୍ଦ୍ଧିତ ଜନସଂଖ୍ୟାକୁ ଆମେ ଲାଭାଂଶ ବୋଲି କହୁଛୁ । ପ୍ରତି ମାସରେ ୧୦ ଲକ୍ଷ ନୂଆ ଲୋକ ଦେଶର ଶ୍ରମ ବଜାରରେ ପ୍ରବେଶ କରୁଛନ୍ତି । ଯଦି ଶ୍ରମ ବଜାରରେ ପ୍ରବେଶ କରୁଥିବା ଏହି ନୂଆ ଲୋକମାନଙ୍କୁ ନିଯୁକ୍ତି ଯୋଗାଇ ଦିଆ ନଯାଏ କାଳକ୍ରମେ ନିୟୁତ ନିୟୁତ ଅସନ୍ତୁଷ୍ଟ ଲୋକ ବାହାରିବେ । ଏଥିଯୋଗୁଁ ଅନେକ ସାମାଜିକ ସମସ୍ୟା ସୃଷ୍ଟି ହେବ ବୋଲି ରାଜନ୍ କହିଛନ୍ତି ।

ରାଜନଙ୍କ ଏହି ମନ୍ତବ୍ୟ ମଧ୍ୟ ଠିକ୍ ମନେ ହେଉଛି । ୨୦୨୭ ସୁଦ୍ଧା ଭାରତ ବିଶ୍ୱର ବୃହତ୍ ଶ୍ରମ ଶକ୍ତିରେ ପରିଣତ ହେବ । ଅର୍ଥାତ୍ ଭାରତରେ ସବୁଠୁ ଅଧିକ ନିଯୁକ୍ତି ଆଶାୟୀ ସୃଷ୍ଟି ହେବେ । ଭାରତର ଦ୍ରୁତ ଅଭିବୃଦ୍ଧିକୁ ପରିଚାଳିତ କରିବା ପାଇଁ ନୂଆ ପିଢ଼ିର ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ ନୂଆ ନିଯୁକ୍ତି ସୁଯୋଗ ଖୁବ୍ କମ୍ ରହିଛି ଏବଂ ଆଜିର ଅଟୋମେସନ୍ ଯୁଗରେ ତିଷ୍ଠି ରହିବା ପାଇଁ ଶ୍ରମିକମାନଙ୍କୁ ତାଲିମ ଦେବାରେ ମଧ୍ୟ ପ୍ରଶାସନ ପଛରେ ପଡ଼ିଯାଇଛି ।

ଏପରିକି ମୋଦିଙ୍କ ଅବଧିରେ ନୂଆ ନିଯୁକ୍ତି ସୃଷ୍ଟିର ରେକର୍ଡ ପୂର୍ବର କଂଗ୍ରେସ ସରକାରଙ୍କ ତୁଳନାରେ ଖରାପ ରହିଛି । ଭାରତର ବର୍ଦ୍ଧିତ ଜନସଂଖ୍ୟାକୁ ନିଯୁକ୍ତି ଯୋଗାଇ ଦେବା ପାଇଁ ହେଲେ ପ୍ରତିମାସରେ ୧୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବାକୁ ହେବ । ଅନ୍ୟପକ୍ଷରେ ମୋଦିଙ୍କ ଅମଳରେ ମାସକୁ ମାତ୍ର ୧୦ ହଜାର ନିଯୁକ୍ତି ସୃଷ୍ଟି ହେଉଛି ବୋଲି ୨୦୧୫ ମସିହାର ସରକାରୀ ତଥ୍ୟ କହୁଛି । ଏହା ଏକ ବଡ଼ ବିଫଳତା । ଏଥିଯୋଗୁଁ ଭାରତରେ ବହୁସଂଖ୍ୟକ ଅସନ୍ତୁଷ୍ଟ ଯୁବବର୍ଗ ସୃଷ୍ଟି ହେବେ । ଏହି ପରିପ୍ରେକ୍ଷୀରେ ମୋଦି ଗତ ନିର୍ବାଚନ ସମୟରେ ବର୍ଷକୁ କୋଟିଏ ନିଯୁକ୍ତି ଦିଆଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହେବା ନେଇ ଅନେକ ବ୍ୟକ୍ତି ପ୍ରଶ୍ନ ଉଠାଇଲେଣି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ରାଜୀବ ପ୍ରତାପ ରୁଡ୍ଡୀଙ୍କ ସ୍ଥାନରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦକ୍ଷତା ବିକାଶ ମନ୍ତ୍ରାଳୟ ଦେଇଛନ୍ତି ।

ସେହିଭଳି ବନ୍ଦାରୁ ଦତ୍ତାତ୍ରେୟଙ୍କ ସ୍ଥାନରେ ଶ୍ରମମନ୍ତ୍ରୀଭାବେ ସନ୍ତୋଷ କୁମାର ଗଙ୍ଗଓ୍ଵାରଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜନୈତିକ ବିଶ୍ଳେଷକ ତଥା ମୋଦିଙ୍କ ଜୀବନୀ ଲେଖିଥିବା ନିଳଞ୍ଜନ ମୁଖୋପାଧ୍ୟାୟଙ୍କ କହିବାନୁଯାୟୀ, ନିଯୁକ୍ତି ସୃଷ୍ଟି ଓ ଦକ୍ଷତା ବିକାଶ କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଉପରୋକ୍ତ ଦୁଇଟି ବିଭାଗର ଦାୟିତ୍ୱ ନୂଆ ମନ୍ତ୍ରୀମାନଙ୍କୁ ଦେବାରୁ ଏହା ସ୍ପଷ୍ଟ ବୁଝାପଡ଼ୁଛି ଯେ ୨୦୧୯ରେ ବେକାରି ପ୍ରସଙ୍ଗ କେଉଁ ଧରଣର ରାଜନୈତିକ ବିପଦ ସୃଷ୍ଟି କରିପାରେ । ଏହାପୂର୍ବରୁ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅର୍ଥନୈତିକ ସର୍ବେକ୍ଷଣର ଦ୍ୱିତୀୟ ସଂସ୍କରଣରେ ଦେଶରେ ନିଯୁକ୍ତି ସଂକ୍ରାନ୍ତ ଖାସ୍ ତଥ୍ୟ ଉପଲବ୍ଧ ନଥିବା ନେଇ ସୂଚନା ଦେଇସାରିଛନ୍ତି ।

୨୦୧୪ ନିର୍ବାଚନରେ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ରହିଥିଲା ଅଧିକ ନିଯୁକ୍ତି ସୃଷ୍ଟି କରିବା। ୨୦୧୯ ସାଧାରଣ ନିର୍ବାଚନ ବେଳେ ମୋଦି ଏ ନେଇ ଲୋକଙ୍କ ନିକଟରେ ଉତ୍ତରଦାୟୀ ରହିବେ । ତେଣୁ ଦେଶରେ ବେକାରିଙ୍କ ସଂଖ୍ୟା କେତେ ସେ ନେଇ ବିଶ୍ୱସନୀୟ ତଥ୍ୟ ନରଖନ୍ତି କିମ୍ବା ନିଯୁକ୍ତି ସୃଷ୍ଟି ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନନିଅନ୍ତି ତାହେଲେ ୨୦୧୯ ନିର୍ବାଚନରେ ମୋଦି ଅପରାଜେୟ ରହିବେ ନାହିଁ ।