ରେଭେନ୍ସାରେ ରାଗିଂ ରିଟର୍ଣ୍ଣସ ! ଏକ ତରଫା ପ୍ରେମରୁ ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ସିନିୟର ଛାତ୍ରଙ୍କ ଖୁଲମଖୁଲା ଧମକ ଅଭିଯୋଗ । ଘଟଣାର ତଦନ୍ତ କରିବ ୟୁନିଭର୍ସିଟି ଆଣ୍ଟି ରାଗିଂ ସ୍କ୍ୱାର୍ଡ

485

କନକ ବ୍ୟୁରୋ: ରାଗିଂକୁ ନେଇ ପୂର୍ବରୁ ବିବାଦ ଘେରରେ ଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ପୁଣି ରାଗିଂ ବିବାଦରେ ଫସିଛି । ଯୁକ୍ତ ୩ ଛାତ୍ରୀ ଜଣକ ସଫା ସଫା କହୁଛନ୍ତି. ସିନିୟର ଛାତ୍ର ତାଙ୍କ ସହ ରାଗିଂର ସମସ୍ତ ସୀମା ଟପିଯାଇଛନ୍ତି । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରନ୍ତି । ମାଡ ବି ମାରିଛନ୍ତି । ଆଉ ପ୍ରତିବାଦ କଲେ, ଜୀବନରୁ ମାରିଦେବାକୁ ଧମକ ଦିଅନ୍ତି ।

ସିନିୟର ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିବା ସହ ସଂପୃକ୍ତ ଛାତ୍ରୀ ଏକ ଅଡିଓ କଲ୍ ମଧ୍ୟ ଦେଇଛନ୍ତି । ଯେଉଁଥିରେ , ସିନିୟର ଛାତ୍ର ଜଣକ ପୀଡିତା ଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଏବଂ ଭୁବନେଶ୍ୱରରେ ରହୁଥିବା ତାଙ୍କ ଭାଇଙ୍କୁ ହତ୍ୟା କରିବେ ବୋଲି ଧମକ ଦେଉଛନ୍ତି ।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ ସେ ଅତ୍ୟନ୍ତ ଭୟଭୀତ ଏବଂ ମାନସିକ ଚିନ୍ତାରେ ଥିବା ଛାତ୍ରୀ କହିଛନ୍ତି । ସେପଟେ ଉଭୟ ଛାତ୍ର ଛାତ୍ରୀଙ୍କୁ ଡାକି ପଚରାଉଚରା କରିଛନ୍ତି ରେଭେନ୍ସା ରାଗିଂ କମିଟି ମୁଖ୍ୟ । ଏପରିକି ଶନିବାର ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ବସିଛି ।

ରାଜ୍ୟର ଏହି ଐତିହାସିକ ବିଶ୍ୱବିଦ୍ୟାଳୟକୁ ଯେମିତି ପିଛା ଛାଡୁନି ରାଗିଂ ବିବାଦ । ରେଭେନ୍ସାରେ ରାଗିଂ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଏକ ରାଗିଂ ଏବଂ ଯୋ÷÷ନ ନିର୍ଯାତନା କମିଟି ଗଠନ ହୋଇଥିଲା । ଏସବୁ ଭିତରେ ପୁଣି ଆସିଛି ଅଭିଯୋଗ ।