ଏମକେସିଜିରେ ରାଗିଂ ଅଭିଯୋଗ ! ରାତିସାରା ଧାରଣାରେ ବସିଲେ ଜୁନିଅର ଡାକ୍ତରୀ ଛାତ୍ର

28

କନକ ବ୍ୟୁରୋ : ଏମକେସିଜିରେ ପୁଣି ରାଗିଂ ଅଭିଯୋଗ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ସିନିଅର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ରାତିସାରା ଧାରଣାରେ ବସିଛନ୍ତି ଜୁନିୟର ଛାତ୍ର । ବାରମ୍ବାର ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ ହେଉଛି । ଧାରଣାରେ ବସିଥିବା ଜୁନିଅର ଛାତ୍ରଙ୍କ କହିବା ଅନୁଯାୟୀ, ପ୍ରଥମ ବର୍ଷ ଶେଷ ହେବା ପରେ ସିନିୟର ରହୁଥିବା ହଷ୍ଟେଲକୁ ତାଙ୍କୁ ସିଫ୍ଟ କରାଯାଇଥିଲା । ଏହି ହଷ୍ଟେଲରେ ରହିବା ପରେ ପୁଣି ଥରେ ସିନିୟର ଛାତ୍ର ରାଗିଂ ଆରମ୍ଭ କରିଥିଲେ । ଏପରିକି କିଛି ସିନିୟର ଛାତ୍ର ଜୁନିଅର ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ପୂର୍ବେ ସିନିୟର ଛାତ୍ର ଜୁନିୟର ଛାତ୍ରଙ୍କୁ ଚୁଟି କାଟି ଲଣ୍ଡା ହେବାକୁ କହିଥିଲେ । ସିନିୟର ଛାତ୍ରଙ୍କ ଏଭଳି ନିୟମକୁ କିଛି ଜୁନିଅର ଛାତ୍ର ବିରୋଧ କରିବାରୁ ଏଭଳି ପରିସ୍ଥିିତି ଉପୁଜିଛି । ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହାପ୍ରତି କର୍ଣ୍ଣପାତ କରିନଥିଲେ ବୋଲି ଜୁନିଅର ଛାତ୍ର ଅଭିଯୋଗ କରିଛନ୍ତି ।