ଛାତି ଉପରେ ଚଢିଗଲେ, ପିଟିପିଟି ମାରିଦେଲେ ସହପାଠୀ । ସାମ୍ନାକୁ ଆସିଲା ରାଗିଂର ଭୟାନକ ପରିଣତି । ସେପଟେ ୩ ଛାତ୍ର ବହିଷ୍କୃତ

27

କନକ ବ୍ୟୁରୋ : ରାଗିଂ କରି ପିଟିପିଟି ମାରିଦେଲେ । ଭାଇଜାଗର ଏକ କଲେଜରେ ସମ୍ବଲପୁରର ୧୬ ବର୍ଷର ଶ୍ରେୟସ କେଶରୱାନୀଙ୍କ ରାଗିଂରେ ଜୀବନ ଯାଇଛି । ସହପାଠୀ ମାନେ ଶ୍ରେୟସଙ୍କୁ ତଳେ ପକାଇ ତାଙ୍କ ଛାତି ଉପରେ ଚଢି ନିସ୍ତୁକ ମାଡ ମାରିଛନ୍ତି । ଯାହା ଫଳରେ ଶ୍ରେୟସ ପ୍ରାଣ ହରାଇଛନ୍ତି । ଆଜି ଶ୍ରେୟସଙ୍କ ମରଶରୀର ଘରେ ପହଁଚିବା ପରେ ସମ୍ବଲପୁର ଗଡପୋଷରେ ଉତ୍ୟକ୍ତ ଲୋକେ ବନ୍ଦ ପାଳନ କରିଛନ୍ତି । ସେପଟେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ପାଇଁ ବିଶାଖାପାଟଣା ଯିବ ସମ୍ବଲପୁର ପୋଲିସ ।

ଆଖି ଆଗରେ ପୁଅର ମୃତଦେହକୁ କେଉଁ ବାପାମାଆ ଦେଖିପାରିବେ  । କୋଳେଇ କାଖେଇ ବଡ କରିଥିବା ପୁଅ ଆଜି ଆଖି ସାମ୍ନାରେ ଅଛି ହେଲେ ଆଉ ଜୀବନ ନାହିଁ । ଘରଦାଣ୍ଡରେ ପୁଅକୁ ଦେଖି ଚିକ୍ରାର କରି କାନ୍ଦୁଛି ମାଆ, ଆଉ ଫାଟି ପଡୁଛି ବାପାର ହୃଦୟ ।

 ଭାଇଜାଗର ଏକ କଲେଜରେ ରାଗିଂରେ ଗାଁର ପୁଅର ଜୀବନ ଯିବା ପରେ ସ୍ତବ୍ଧ ହୋଇଯାଇଛି ଗଡପୋଷ । ଗାଁରେ ଦେଖାଦେଇଛି ଉତେଜନା । ସହର ବଜାର ବନ୍ଦ, ରେଳରୋକ ଓ ବନ୍ଦ ପାଳନ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଥିଲେ ସ୍ଥାନୀୟ ଲୋକ ।

ଯନ୍ତ୍ରଣାରେ ଛଟପଟ ହୋଇ ମରିବା ପୂର୍ବରୁ ପରିବାରକୁ ଶ୍ରେୟସ କହିଥିଲେ ଯନ୍ତ୍ରଣାର ଶେଷ କଥା । ବଖାଣିଥିଲେ ରାଗିଂର କରୁଣ କାହାଣୀ । କେମିତି କ୍ୟାମ୍ପସରେ ଅନ୍ୟ ଛାତ୍ରମାନେ ଅତି ନିର୍ଦୟ ଭାବେ ମାଡପିଟ୍ କରିଥିଲେ ଗୋଟି ଗୋଟି କହିଥିଲେ ଶ୍ରେୟସ । ପ୍ରଥମେ ବାଥରୁମରେ ପାଣି ପକାଇଥିଲେ ଏବଂ ସେ ତଳେ ପଡିଯିବା ପରେ ତାଙ୍କ ଛାତି ଉପରେ ଚଢିଯିବା ସହ ଆମାନବୀୟ ଭାବେ ନିସ୍ତୁକ ମାଡ ମାରିଥିଲେ ।

 ସହପାଠୀଙ୍କ ମାଡରେ ଶ୍ରେୟସଙ୍କ ମୃତ୍ୟୁ ହେବା ପରେ ୩ ଜଣ ଦୋଷୀ ଛାତ୍ରଙ୍କୁ କଲେଜରୁ ବାହାର କରିଦେଇଛନ୍ତି କର୍ତୃପକ୍ଷ । ସେପଟେ ନିଜେ ମାଜିଷ୍ଟ୍ରେଟ ପୋଲିସକୁ ଏନେଇ ଏଫଆଇଆର ଦେଇଛନ୍ତି । ଆଉ ଏପଟେ ମାମଲା ରୁଜୁ ହେବା ପରେ ତଦନ୍ତ ପାଇଁ ବିଶାଖାପାଟଣା ଯିବ ସମ୍ବଲପୁର ପୋଲିସ ।

 ଓଡିଶା ଛାଡି ପୁଅ ବିଶାଖାପାଟଣା ଯାଇଥିଲା ଉଚ୍ଚଶିକ୍ଷିତ ହେବାକୁ । ହେଲେ ଅଧାରେ ରହିଗଲା ଉଚ୍ଚଶିକ୍ଷା । କ୍ୟାମ୍ପସରେ ସହପାଠୀଙ୍କ ରାଗିଂ ନେଇଗଲା ଶ୍ରେୟସଙ୍କ ଜୀବନ ।