ରାସ୍ତାରୁ ଅଳିଆ ଆବର୍ଜନା ଗୋଟାଉଥିବା ପିଲାମାନଙ୍କୁ ମିଳିବ ଶିକ୍ଷାଗତ ଅଧିକାର ! ସହାୟତାର ହାତ ବଢାଇଲା ବେସରକାରୀ ସଂଗଠନ ।

36

ପ୍ରତିଦିନ ବିଭିନ୍ନ ସହରର ରାସ୍ତା କଡ ଓ ଅଳିଆ ଗଦାରୁ ପ୍ଲାଷ୍ଟିକ ଏବଂ ଅଳିଆ ଆବର୍ଜନା ଗୋଟାଉଥିବାର ଅନେକ ଲୋକ ଦେଖିବାକୁ ମିଳିଥାନ୍ତି । ଏଥି ମଧ୍ୟରୁ ଅଧିକାଂଶ ଛୋଟ ପିଲା ପ୍ଲାଷ୍ଟିକ ଗୋଟାଉଥିବାର ଦେଖିବାକୁ ମିଳିଥାଏ । ରାସ୍ତାକଡରୁ ପ୍ଲାଷ୍ଟିକ ଗୋଟାଉଥିବା ଏହି ଛୋଟ ପିଲାମାନେ ସମାଜରେ ବଦନାମ ହେବା ସହ ଅନେକଙ୍କ ଠାରୁ ଅପମାନ ମଧ୍ୟ ସହିଥାନ୍ତି । ଏମାନଙ୍କ ପାଖରେ ଦୁଇ ଓଳି ପେଟପୁରା ଖାଇବା ପାଇଁ ଖାଦ୍ୟ ମିଳିନଥାଏ । ଶିକ୍ଷା ଦାନର କୌଣସି ସୁବିଧା ମଧ୍ୟ ଏହି ପିଲାମାନଙ୍କୁ ମିଳିପାରିନଥାଏ । କେବଳ ସେତିକି ନୁହେଁ ଏମାନଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ବି ଛାତଟିଏ ନଥାଏ । ରାସ୍ତା କଡରେ ରାତି କଟିଥାଏ ।

ତେବେ ରାସ୍ତା କଡରୁ ପ୍ଲାଷ୍ଟିକ ଗୋଟାଉଥିବା ଏହି ସବୁ ପିଲାମାନଙ୍କୁ ଶିକ୍ଷା, ସାମାଜିକ ସୁରକ୍ଷା ଏବଂ ଆର୍ଥିକ ସଂରକ୍ଷଣ ଭଳି ଅନ୍ୟାନ୍ୟ ସେବା ଯୋଗାଇଦେବା ପାଇଁ ଏକ ବେସରକାରୀ ସଂଗଠନ ଆଗେଇ ଆସିଛି । ଏହି ସଂଗଠନ ଜରିଆରେ କେନ୍ଦ୍ରରେ ପ୍ରାୟ ଦୁଇ ହଜାରରୁ ଅଧିକ ପିଲା ଏବେ ଶିକ୍ଷା ଗ୍ରହଣ କରିପାରିଛନ୍ତି ।

ଭାରତୀୟ ପ୍ରଦୂଷଣ ନିୟନ୍ତ୍ରଣ ସଂଘର ସଂସ୍ଥାପକ ଏବଂ ନିର୍ଦେଶକ ଆଶିଷ ଜେନଙ୍କ କହିବା ଅନୁସାରେ, ରାସ୍ତା କଡରୁ ଅଳିଆ ଏବଂ ପ୍ଲାଷ୍ଟିକ ଗୋଟାଉଥିବା ଲୋକ ପ୍ରତିଦିନ କଠିନ ଜୀବନଯାପନ କରୁଛନ୍ତି । ଏହି ଲୋକମାନେ ଅଳିଆ ଏକାଠି କରି ସେଗୁଡିକୁ ବିକ୍ରି କରି ନିଜର ଭରଣ ପୋଷଣ କରିଥାନ୍ତି । ରାସ୍ତା କଡରେ ଗରିବି, ଅପମାନ ଏବଂ ଲୋକଙ୍କ ଦୁର୍ବ୍ୟବହାର ସହିଥାନ୍ତି । ତେଣୁ ଏହି ଲୋକମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିଭୂତ କରି ଆଇଆଇଟି ଦିଲ୍ଲୀରୁ ପାଠ ପଢି ଆସିଥିବା ଆଶିଷ ଜେନ ୨୦୦୧ରେ ଭାରତୀୟ ପ୍ରଦୂଷଣ ନିୟନ୍ତ୍ରଣ ସଂଘର ସ୍ଥାପନା କରିଥିଲେ । ରାସ୍ତା କଡରେ ଅଳିଆ ଗୋଟାଉଥିବା ପିଲାଙ୍କ ପରିବାରଙ୍କୁ ଏହି ସଂଗଠନରେ ନିଯୁକ୍ତି ଦିଆଯାଇଛି । ଦିନ ତମାମ ଅଳିଆ ଗୋଟାଇବା କାରଣରୁ ଏହି ପରିବାରର ପିଲାମାନଙ୍କ ପାଖରେ ଟିକିଏ ବି ସମୟ ବଞ୍ଚୁନଥିଲା । ଏହି କାରଣରୁ ପିଲାମାନେ ପାଠ ପଢିପାରୁନଥିଲେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ସଂଗଠନ ୨୦୧୩ ମସିହାରେ ଦିଲ୍ଲୀ ଏବଂ ଏନସିଆରରେ ପିଲାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏବେ ଏଠାରେ ପ୍ରାୟ ୨୦୦୦ରୁ ଅଧିକ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି । ଏଥିସହିତ ପିଲାମାନଙ୍କ ଖାଦ୍ୟପେୟର ସମସ୍ତ ଖର୍ଚ୍ଚ ମଧ୍ୟ ଆଇପିସିଏ ବହନ କରୁଛି ।