ମୋଦିଙ୍କୁ ଅପଶବ୍ଦ ପ୍ରୟୋଗ ପରେ ରାହୁଲଙ୍କୁ ଜେଟଲୀଙ୍କ ଟାର୍ଗେଟ୍ ! କହିଲେ, ଗଣତନ୍ତ୍ର ଦେଇଛି ସମାଲୋଚନାର ଅଧିକାର, କିନ୍ତୁ ଶବ୍ଦଚୟନରେ ରହୁ ଶାଳୀନତା

47

କନକ ବ୍ୟୁରୋ: ବାତିଲ୍ ହେବ ନାହିଁ ରାଫେଲ୍ ଡିଲ୍ । କଂଗ୍ରେସ ଆଣିଥିବା ଅଭିଯୋଗ ଭିତିହୀନ । କିଛି ଏଭଳି ଶବ୍ଦ ସହ ରାଫେଲ୍ ଡିଲ୍ ପ୍ରସଙ୍ଗରେ ବିବୃତି ଦେଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଏହା ବ୍ୟତୀତ ମୋଦିଙ୍କ ବିରୁଦ୍ଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜେଟଲି । ସେ କହିଛନ୍ତି ସାର୍ବଜନୀନ ଜୀବନରେ ମତ ପ୍ରକାଶ କୌଣସି ଲାଫ୍ଟର ଚାଲେଂଜ୍ ନୁହଁ ଯେ ଜଣେ କାହାକୁ ମଧ୍ୟ ଆଲିଙ୍ଗନ କରିବ, ଆଖି ମାରିବ ଓ ଲଗାତାର ଭୁଲ ବୟାନ ଦେବ ।

ସେ କହିଛନ୍ତି, ଗଣତନ୍ତ୍ରରେ ସମାଲୋଚନା କରିବାର ଅଧିକାର ରହିଛି ତେବେ ସମାଲୋଚନା ବେଳେ ଶବ୍ଦଚୟନରୁ ବୁଦ୍ଧିମତା ନଜର ଆସିବା ଉଚିତ । କେନ୍ଦ୍ର ସରକାରଙ୍କ ଉପରେ ଦୁର୍ନୀତିର ଆରୋପ ଲଗାଇବା କଂଗ୍ରେସର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଜେଟଲି କହିଛନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି, ଅଗଷ୍ଟ ୩୦ ତାରିଖରେ ରାହୁଲ ଟ୍ୱିଟ୍ କରି ଫ୍ରାନ୍ସରେ ବଡ଼ ଧମାକା ହେବା କହିବା ଓ ତା’ପରେ ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତି ଓଲାନ୍ଦେଙ୍କ ବୟାନ୍ ଆସିବା ଷଢଯନ୍ତ୍ର ଆଡ଼କୁ ଈଶାରା ଦେଉଛି ।

ଗତ କିଛି ଦିନ ହେଲା ରାଫେଲ୍ ଡିଲକୁ ନେଇ କଂଗ୍ରେସ ଅଧ୍ୟକ୍ଷ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଆସୁଛନ୍ତି । ଫ୍ରାନ୍ସର ପୂର୍ବ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚୋର କହିବା ପ୍ରସଙ୍ଗରେ ମୋଦି ଜବାବ୍ ଦେବା ଉଚିତ ବୋଲି ରାହୁଲ୍ କହିଥିଲେ, ଯାହାର ଜବାବ୍ ଦେଇଛନ୍ତି ଅରୁଣ ଜେଟଲି ।