‘ଲେମ୍ବୁ’ ଲଗାଇଲା ରାଜନୀତିରେ ରଙ୍ଗ । ରାଫେଲରେ ରାଜନାଥଙ୍କ ଲେମ୍ବୁ ପୂଜା ନେଇ ତେଜିଲା ରାଜନୀତି

798

କନକ ବ୍ୟୁରୋ: ଫ୍ରାନ୍ସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବହୁ ପ୍ରତିକ୍ଷୀତ ରାଫେଲ ବିମାନକୁ ପୂଜା କରିବା ପରେ ଆରମ୍ଭ ହୋଇଛି ରାଜନୀତି । ଗତକାଲି ଶସ୍ତ୍ରପୂଜା ବେଳେ ରାଜନାଥ ରାଫେଲରେ ଓଁ ଲେଖିବା ସହ ଭାରତୀୟ ପରମ୍ପରା ଅନୁସାରେ ବିମାନ ଚକ ତଳେ ଲେମ୍ବୁ ରଖିଥିଲେ । ଆଉ ଫ୍ରାନରେ ଲେମ୍ବୁ ଚାପି ରାଫେଲ ଆକାଶରେ ଉଡିବା ପରେ ଭାରତରେ ଆରମ୍ଭ ହୋଇଛି ‘ଲେମ୍ବୁ ରାଜନୀତି’

ତେବେ ବିଜେପିର ଏଭଳି ସୋ’ ବାଜିକୁ ସମାଲୋଚନା କରିଛନ୍ତି ବିରୋଧୀ । ଭାରତୀୟ ପରମ୍ପରା ଅନୁସାରେ ଏସବୁ କରିବା ଠିକ ମାତ୍ର ଲୋକ ଦେଖାଣିଆ ପୂଜା କଣ ପାଇଁ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ମଧ୍ୟ ରାଫେଲ ରାଜନୀତିରେ ରଙ୍ଗ ମାରିଛି ଲେମ୍ବୁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏହା ବିଜେପିର ଲୋକ ଦେଖାଣିଆ କାମ ବୋଲି କହିଥିବା ବେଳେ ମୋଦିଙ୍କ ଗୁମ୍ଫା ତପସ୍ୟାର ଉଦାହରଣ ଦେଇଛନ୍ତି । ତେବେ ଲୋକଙ୍କ ଭାବାବେଗ ସହ ଖେଳିବା ସମ୍ବିଧାନ ବିରୋଧୀ ବୋଲି ନିରଞ୍ଜନ କହିଛନ୍ତି । ସେହିପରି ସିପିଆଇ ନେତା ରାମକୃଷ୍ଣ ପଣ୍ଡା କହିଛନ୍ତି କି ଯେଉଁ ରାଫେଲ ଦେଶକୁ ସୁରକ୍ଷା ଦେବାକୁ ଆସୁଛି ତାକୁ ଲେମ୍ବୁ ଲଙ୍କା କେମିତି ସୁରକ୍ଷା ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ବିରୋଧୀଙ୍କ ସମାଲୋଚନାକୁ ଖଣ୍ଡନ କରିଛି ବିଜେପି । ଆଉ କହିଛି ପୋଖରୀଏ ପାଣିରେ ବୁନ୍ଦାଏ ବିଷ ମିଶାଇବା ବିରୋଧୀଙ୍କ କାମ ।

ତେବେ ରାଫେଲକୁ ନେଇ ରାଜନୀତି କିଛି ନୂଆ କଥା ନୁହେଁ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ରାଫେଲ ଚୁକ୍ତିରେ ବଡ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲା କଂଗ୍ରେସ । ଆଉ ଏହି ରାଫେଲ ପ୍ରସଙ୍ଗ ନେଇ ଉଭୟ ବିଜେପି, କଂଗ୍ରେସ ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଯାଇଥିଲେ । ତେବେ ପୁଣି ଏବେ ରାଫେଲ ଚକ ତଳେ ଲେମ୍ବ ରଖାଯିବାକୁୁ ନେଇ ହେଉଥିବା ନୂଆ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି ।