କେନ୍ଦ୍ରକୁ ରାଫେଲ ଝଟକା ! ସଂପୂର୍ଣ୍ଣ ମୂଲ୍ୟ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ, ସରକାରଙ୍କୁ ୧୦ ଦିନ ମହଲତ

ତଥ୍ୟ ଦେବାକୁ ମନାକଲା କେନ୍ଦ୍ର

111
କନକ ବ୍ୟୁରୋ : ରାଫେଲ ବିମାନ ଚୁକ୍ତିିକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ । ଦାମ୍ ସମ୍ପର୍କିତ ସବିଶେଷ ତଥ୍ୟ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ମାଗିଥିଲାବେଳେ କେନ୍ଦ୍ର ତଥ୍ୟ ଦେବାକୁ ମନାକରିଦେଇକ୍ତି । ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ କହିଛନ୍ତି ମୂଲ୍ୟ ବାବଦ ତଥ୍ୟ ସାର୍ବଜନୀନ କରିବା ସମ୍ଭବ ନୁହେଁ । ଫ୍ରାନ୍ସ ଓ ଭାରତ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷର ସମୟରେ କେତେକ ସର୍ତ୍ତାବଳୀ ରହିଥିଲା ଏବଂ ସେହି ସର୍ତ୍ତାବଳୀ ଅନୁସାରେ ମୂଲ୍ୟ ସମ୍ପର୍କିତ ତଥ୍ୟ ଦିଆଯାଇପାରିବ ନାହିଁ । ଏମିତି କି ସଂସଦରେ ମଧ୍ୟ ଏହା ପ୍ରକାଶ କରାଯାଇ ନାହିଁ ବୋଲି ସେ କହିଛନ୍ତି ।
ବେଣୁଗୋପାଳଙ୍କ ଜବାବ ଉପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ଚୁକ୍ତିି ସମ୍ପର୍କରେ ସରକାରଙ୍କୁ ଲୋକଙ୍କ ସମ୍ମୁଖରେ ତଥ୍ୟ ରଖିବାକୁ ହେବ । ଯଦି ଏହା ସାର୍ବଜନୀନ ହୋଇପାରିବ ନାହିଁ ବୋଲି ଚୁକ୍ତିରେ ସର୍ତ ରହିଛି ତେବେ ଏ ନେଇ ସତ୍ୟପାଠରେ ଉଲେଖ କରି ଜଣାଇବାକୁ ପଡିବ । ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଚୁକ୍ତି ସମ୍ପର୍କିତ ଗୋପନ ତଥା ରଣନୀତି ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିବା ଜରୁରୀ ନୁହେଁ । କେବଳ ମୂଲ୍ୟ ବାବଦରେ ସରକାର ସୂଚନା ଦିଅନ୍ତୁ । ଏହାପରେ ଖଣ୍ଡପୀଠ ମାମଲାର ପରବର୍ତୀ ଶୁଣାଣିକୁ ନଭେମ୍ବର ୧୪କୁ ଘୁଂଚାଇ ଦେଇଥିଲେ । ୧୦ଦିନ ମଧ୍ୟରେ ରାଫେଲର ଦାମ ଓ ଏଥିରୁ କଣ ଲାଭ ମିଳିବ ସେ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ  ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆଗକୁ ୪ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ସରକାରଙ୍କ ଅଡୁଆ ବଢାଇପାରେ ।