ରାଫେଲ୍ ମାମଲାରେ ନୂଆ ମୋଡ ! କାଗଜପତ୍ର ଚୋରିକୁ ନେଇ ସୁପ୍ରିମକୋର୍ଟରେ ଯୁକ୍ତିତର୍କ, ଜାଣନ୍ତୁ କିପରି ଥିଲା କୋର୍ଟ ରୁମର ଦୃଶ୍ୟ । 

210

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରାଳୟରୁ ରାଫେଲ ଡିଲ୍ ସଂପର୍କିତ ଗୁରୁତ୍ୱପୂର୍ଣ କାଗଜପତ୍ର ଚୋରୀ ପ୍ରସଙ୍ଗରେ ବୁଧବାର ଦିନ କୋର୍ଟ ରୁମରେ ହୋଇଥିଲା ଯୁକ୍ତିତର୍କ । ଆଟର୍ଣ୍ଣି ଜେନେରାଲ ଓ ପ୍ରଧାନ ବିଚାରପତିଙ୍କ ମଧ୍ୟରେ କିପରି ଥିଲା ଆଲୋଚନା ଆସନ୍ତୁ ଜାଣିବା ।

ରାଫେଲକୁ ନେଇ ସାରା ଦେଶରେ ତମ୍ବିତୋଫାନ ଚାଲିଥିବା ବେଳେ ଏହି ମାମଲାରେ ଆସିଛି ନୂଆ ମୋଡ଼ । ବୁଧବାର ଦିନ ଏନେଇ ସୁପ୍ରିମକୋର୍ଟରେ ଯୁକ୍ତିତର୍କ ହୋଇଥିଲା । କେନ୍ଦ୍ର ସରକାର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଉଥିବା ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା, ଅରୁଣ ସୌରୀ ଓ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମିଳିତ ଭାବେ ପିଟିସନ ଦାଖଲ କରିଥିଲେ । ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରୁଛନ୍ତି ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ବିଚାରପତି ଏସ୍.କେ. କୌଲ ଓ ବିଚାରପତି କେ.ଏମ୍. ଯୋଶେଫଙ୍କ ତିନିଜଣିଆ ଖଣ୍ଡପୀଠ ।

ରାଫେଲ ଡକ୍ୟୁମେଂଟ ଚୋରୀ ପ୍ରସଙ୍ଗରେ ଇଂରାଜୀ ଖବରକାଗଜ ଦି ହିନ୍ଦୁରେ ପ୍ରକାଶିତ ବରିଷ୍ଠ ସାମ୍ବାଦିକ ଏନ୍. ରାମଙ୍କ ଲେଖାକୁ ଉଲ୍ଲେଖ କରି ପ୍ରଶାନ୍ତ ଭୂଷଣ ଯୁକ୍ତି ଆରମ୍ଭ କରିଥିଲେ । ଏହାକୁ ବିରୋଧ କରିଥିଲେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ । ଆସନ୍ତୁ ଜାଣିବା କିପରି ଥିଲା କୋର୍ଟ ରୁମର ଦୃଶ୍ୟ ।

କେକେ ବେଣୁଗୋପାଳ : ଯେଉଁ ଆର୍ଟିକିଲ ସମ୍ପର୍କରେ ଉଲ୍ଲେଖ କରାଯାଉଛି ତାହା ଚୋରୀ ହୋଇଥିବା ଦସ୍ତାବିଜ ଉପରେ ଆଧାରିତ । ଏହି ଦସ୍ତାବିଜ ପ୍ରତିରକ୍ଷା ମନ୍ତ୍ରାଳୟର ପୂର୍ବତନ କିମ୍ବା ବର୍ତମାନର କର୍ମଚାରୀଙ୍କ ଦ୍ୱାରା ଚୋରୀ ହୋଇଛି । ଏହା ଉପରେ ତଦନ୍ତ ଚାଲିଛି । ଏବଂ ଏନେଇ ଆଇନଗତ ପଦକ୍ଷେପ ନିଆଯିବ ।

ପ୍ରଧାନ ବିଚାରପତି ରଂଜନ ଗୋଗୋଇ : ଏହାକୁ ନେଇ କଣ ପଦକ୍ଷେପ ନିଆଯାଇଛି?

କେକେ ବେଣୁଗୋପାଳ : ରାଫେଲ ସମ୍ପର୍କିତ କାଗଜପତ୍ରର ଚୋରୀ ନେଇ ତଦନ୍ତ ଚାଲିଛି । ଏବଂ ଯଦି ଏହାର ସିବିଆଇ ତଦନ୍ତ କରାଯାଏ ତେବେ ଏହା ଦେଶକୁ କ୍ଷତି ପହଂଚାଇବ । ଯାହା ଫଳରେ ରାଫେଲ ଯୁଦ୍ଧ ବିମାନ ପାଇବାରେ ବିଳମ୍ବ ହେବ । ଯେଉଁଟା ଦେଶ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନ ବିଚାରପତି ରଂଜନ ଗୋଗୋଇ : ଏହି ପ୍ରସଙ୍ଗରେ ଯଦି ଦୁର୍ନୀତି ହୋଇଛି, ତାହା ହେଲେ କଣ ପ୍ରମାଣ ଉପରେ କୋର୍ଟ ନଜର ଦେବେ ନାହିଁ କି ?

କେକେ ବେଣୁଗୋପାଳ : ହିନ୍ଦୁରେ ପ୍ରକାଶିତ ଆର୍ଟିକିଲ୍ ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଥିବା ଡକ୍ୟୁମେଂଟ୍ ଆଧାରରେ ଲେଖା ଯାଇଛି । ଆଉ ଏ ନେଇ ତଦନ୍ତ ଚାଲିଛି । ତେଣୁ ରିଭ୍ୟୁ ପିଟିସନକୁ ଖାରଜ କରାଯାଉ ।

ପ୍ରଶାନ୍ତ ଭୂଷଣ : ରାଫେଲ ତଦନ୍ତ ନେଇ ପିଟିସନ୍ ଦାଖଲ ହେବା ପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡିକୁ ଚାପି ଦିଆଯାଇଛି ।

ରାଫେଲ ଫାଇଲ୍ ଚୋରି ହୋଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ମାର୍ଚ୍ଚ ୧୪ ତାରିଖରେ ଏ ନେଇ ପରବର୍ତି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।