ରାୟବରେଲି କାରଗାର ଭିତରେ ମଦ ସିଗାରେଟର ଆସର ! ଜେଲ ଭିତରେ ଥାଇ ମୋବାଇଲରେ ଦେଉଛନ୍ତି ଧମକ କଏଦୀ,ଭିଡିଓ ଭାଇରାଲ

184

କନକ ବ୍ୟୁରୋ : ଜେଲ ଭିତରେ ମଦ ପାର୍ଟି । ଜେଲଖାନା ଅପରାଧୀଙ୍କ ପାଇଁ ପାଲଟିଲା ବାର୍ । ଭିଡିଓକୁ ଦେଖିଲେ ସତେ ଯେମିତି ମନେ ହେବ ଯେ ଜେଲ ଭିତର ଅପରାଧୀଙ୍କ ପାଇଁ କୌଣସି ସ୍ୱର୍ଗଠାରୁ ବି କମ୍ ନୁହେଁ । ନିଦ ଉଡାଇଦେଲାଭଳି ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି ଘଟିଛି ଉତ୍ତରପ୍ରଦେଶରେ । ୟୁପି ରାୟବରେଲି ଜେଲ ଭିତରର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲରେ ଅଭିଯୁକ୍ତ । ଜେଲର ବ୍ୟାରକ ନମ୍ବର ୧୦ । ଗ୍ଲାସରେ ମଦ, ପ୍ଲେଟରେ ଚାଖନା,ପାଖରେ ଥୁଆହୋଇଛି ଅଫୁଟା ଗୁଳି, ଅପରାଧୀଙ୍କର ଗୋଟିଏ ହାତରେ ମୋବାଇଲ ତ ଅନ୍ୟ ହାତରେ ସିଗାରେଟ ।

ଅପରାଧୀ ଜଣକ ସିଗାରେଟ ଟାଣୁଛନ୍ତି ତ ଅନ୍ୟପଟେ ଫୋନରେ କାହାକୁ ଧମକ ଚମକ ଦେଉଥିବାର ଦେଖିବାକୁ ମିଳିଛି । ଭିଡିଓରେ ନଜର ଆସୁଥିବା ଅପରାଧୀ ଜଣକ ହେଉଛି ଅଂଶୁ ଦୀକ୍ଷୀତ । ଯିଏକି ପେଶାରେ ଜଣେ ଅପରାଧୀ । ଭିଡିଓକୁ ଦେଖିଲେ ଲାଗୁଛି ପୁରା ଜେଲ ପ୍ରଶାସନ ଅପରାଧୀଙ୍କ ଆଗରେ ନତମସ୍ତକ । ଅପରାଧୀ ଜଣକ ଫୋନରେ କଥା ହେଉଥିବାବେଳେ କିଭଳି ଭାବେ ଜେଲର ଓ ଉପ ଜେଲର ୧୦ ହଜାର ଏବଂ ୫ହଜାର ଟଙ୍କାରେ ବିକ୍ରି ହେଇଯିବେ ସେନେଇ ଅପରାଧୀ ଖୁଲମଖୁଲ୍ଲା କହୁଥିବାର ଶୁଣିବାକୁ ମିଳିଛି ।

ଯୋଗୀଙ୍କ ରାଜ୍ୟରେ ଏହିଭଳି ଘଟଣା ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ଚମକାଇ ଦେଇଛି । ଯେଉଁଠି ଜେଲରେ ପୁଲିସ ପ୍ରଶାସନର ଶକ୍ତ ନିୟମ ଥାଏ ସେଠି ଅପରାଧୀଙ୍କ ହୁକୁମ ଚାଲିଛି । ଏଭଳି ଭିଡିଓ ଭାଇରାଲ ହେବା ପରେ ତନାଘନା ଆରମ୍ଭ ହୋଇଛି । ଘଟଣାରେ ୬ ଜଣକୁ ସସପେଣ୍ଡ କରିଦିଆଯାଇଛି । ଏସଏସପି, ଜେଲର, ଉପ ଜେଲରଙ୍କ ସମେତ ୬ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।