ନବୀନଙ୍କୁ କେନ୍ଦ୍ରର କଟାକ୍ଷ ! ଡେରିରେ ରିପୋର୍ଟ ଦେବା ପରେ ବି ଆମେ ତୁରନ୍ତ କ୍ଷମା କଲୁ

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନବୀନଙ୍କୁ କେନ୍ଦ୍ରର କଟାକ୍ଷ । ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ଟଙ୍କା ଦେବା ନେଇ ତାଲିକା ପ୍ରସ୍ତୁତିରେ ସାଢ଼େ ଚାରି ମାସର ବିଳମ୍ବକୁ କଟାକ୍ଷ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ । ନବୀନ ୨୪ ତାରିଖରେ ଚିଠି ଦେଇଥିଲେ ସୁଦ୍ଧା କେନ୍ଦ୍ର ସରକାର ମାତ୍ର ଦୁଇ ଦିନରେ ଏହି ବିଳମ୍ବକୁ କ୍ଷମା କରିଦେଇଛନ୍ତି ବୋଲି ଶ୍ରୀ ସିଂହ ତାଙ୍କ ପତ୍ରରେ ଆଜି ଉଲ୍ଲେଖ କରିଛନ୍ତି ।

ତେବେ ରାଜ୍ୟ ସରକାର ତାଙ୍କ ବୀମା ବାବଦ ଅଂଶ ତୁରନ୍ତ ପ୍ରଦାନ କଲେ, କେନ୍ଦ୍ର ସରକାର ତାଙ୍କ ଅଂଶଧନ ବାଦରେ ୭୯୫ କୋଟି ଟଙ୍କା ମଂଜୁର କରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି । ୨୦୧୫ର ଖରିଫ ଚାଷ ବାବଦରେ କେନ୍ଦ୍ର ସରକାର ତୁରନ୍ତ ବୀମା ବାବଦ ଅଂଶଧନ ଦେବାକୁ ନବୀନ ୨୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ରାଧାମୋହନଙ୍କୁ ପତ୍ର ଲେଖିଥିଲେ ।

ଜାତୀୟ କୃଷି ବୀମା ଯୋଜନାରେ ଭାରତୀୟ କୃଷି ବୀମା କମ୍ପାନୀକୁ କେନ୍ଦ୍ର ସରକାର ତାଙ୍କ ବୀମା ଅଂଶଧନ ବାବଦରେ ୭୯୫ କୋଟି ଟଙ୍କା ପ୍ରଦାନ କଲେ ଚାଷୀମାନେ ବୀମା ରାଶି ପାଇପାରିବେ ବୋଲି ନବୀନ ଦର୍ଶାଇଥିଲେ । ମାତ୍ର ରାଧାମୋହନ ନବୀନଙ୍କୁ କଡ଼ା ଟିପ୍ପଣୀ ଦେଇଛନ୍ତି । ରାଧାମୋହନ କହିଛନ୍ତି- ରାଜ୍ୟ ସରକାର ୨୦୧୬ ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଫସଲ କ୍ଷତିର ବିବରଣୀ ଦେବାକୁ କହିଥିଲେ ମଧ୍ୟ ତାର ସାଢ଼େ ୪ ମାସ ପରେ ତଥ୍ୟ ଦେଇଥିଲେ । କିଛି ସ୍ପଷ୍ଟୀକରଣ ଦେବା ପାଇଁ କେନ୍ଦ୍ର ରାଜ୍ୟକୁ ପତ୍ର ଲେଖିଥିଲା ।

ତେବେ ରାଜ୍ୟ ସରକାର ଅକ୍ଟୋବାର ୨୪ରେ ଉତ୍ତର ଦେଇଛନ୍ତି । ବିଳମ୍ବକୁ କେନ୍ଦ୍ର ସରକାର କ୍ଷମା କରିଦେଇଛନ୍ତି । ରାଜ୍ୟ ସରକାର ବୀମା ବାବଦ ତାଙ୍କ ଅଂଶଧନ ତୁରନ୍ତ ପ୍ରଦାନ କଲେ କେନ୍ଦ୍ର ସରକାର ମଧ୍ୟ ତାଙ୍କ ଅଂଶଧନ ଦେବେ ବୋଲି ରାଧାମୋହନ କହିଛନ୍ତି ।