ଫେବ୍ରୁଆରି ଶେଷ ସୁଦ୍ଧା ୪୩ % ବଢ଼ିଲା ଧାନ ସଂଗ୍ରହ ! ମେ ପହିଲାରୁ ରବି ଋତୁ ପାଇଁ ଆରମ୍ଭ ହେବ ଧାନ ସଂଗ୍ରହ

74

କନକ ବ୍ୟୁରୋ : ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି । ମଣ୍ଡିରେ ପଡ଼ିରହୁଛି ଟ୍ରକ ଟ୍ରକ ଧାନବସ୍ତା । ଯୋଗାଣ ବିଭାଗ ଓ ପ୍ରାଥମିକ କୃଷି ସମବାୟ ସମିତି(ପାକ୍‌ସ) ଅଧିକାରୀଙ୍କ ଅଧିକାଂଶ ମିଲ୍‌ ମାଲିକ ସଲାସୁତୁରାରେ ଚାଷୀଙ୍କ ଧାନ ଲୁଟି ଚାଲିଛନ୍ତି । ଏକ କ୍ବିଣ୍ଟାଲ୍‌ ଧାନରେ ୫ କିଲୋ ଯାଏ କଟ୍‌ନି ଛଟ୍‌ନି ଓ ଛତିଶଗଡ଼ ରାଜ୍ୟକୁ ଧାନ ଚାଲାଣ ଆଦି ଅଭିଯୋଗ ଏଥରର ଖରିଫ ଧାନ ସଂଗ୍ରହ ଋତୁକୁ ସରଗରମ କରିରଖିଛି । କିନ୍ତୁ ସରକାରୀ ତଥ୍ୟ ବୟାନ କରୁଛି ଭିନ୍ନ ତଥ୍ୟ । ଏହି ତଥ୍ୟ ଅନୁଯାୟୀ ବିଗତ ବର୍ଷ‌ ଫେବ୍ରୁଆରି ମାସ ଶେଷ ସୁଦ୍ଧା ଖରିଫ ଋତୁରେ ଯେତିକି ଧାନ ସଂଗ୍ରହ ହୋଇଥିଲା ଚଳିତ ଖରିଫ ଧାନ ସଂଗ୍ରହ ଋତୁରେ ସେହି ହାର ପ୍ରାୟ ୪୩ ପ୍ରତିଶତ ଅଧିକ ହୋଇଛି ।

କେବଳ ସେତିକି ନୁହେଁ, ଗତ ଖରିଫ ଓ ରବି ଋତୁର ଧାନ ସଂଗ୍ରହକୁ ମିଶାଇଲେ ଯେତିକି ପରିମାଣ ହୋଇଛି, ଏଥରର କେବଳ ଖରିଫ ଋତୁ ସେହି ହାରକୁ ଖୁବଶୀଘ୍ର ଭାଙ୍ଗିଦେବାର ସମ୍ଭାବନା ସୃଷ୍ଟି ହୋଇଛି । ବିଭାଗୀୟ ତଥ୍ୟ ମୁତାବକ ଗତ ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ୪୮ ଲକ୍ଷ ୮୭ ହଜାର ୭୦୯ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି । ଗତବର୍ଷ ଏହି ସମୟରେ ସଂଗୃହୀତ ହୋଇଥିଲା ୩୩.୯୮ ଲକ୍ଷ ମେଟ୍ରିକ ଟନ୍‌ । ଗତବର୍ଷର ଉଭୟ ଖରିଫ ଓ ରବି ଋତୁରେ ଧାନ ସଂଗ୍ରହ ପରିମାଣ ୫୦ ଲକ୍ଷ ମେଟ୍ରିକ ଟନ୍‌ ଟପିଥିଲା । ଏଥିରୁ କୁହାଯାଇପାରେ, ଆଉ ଅଳ୍ପଦିନ ଭିତରେ ଚଳିତ ଖରିଫ ଧାନ ସଂଗ୍ରହ ହାର ଗତବର୍ଷର ଖରିଫ ଓ ରବିଋତୁର ଧାନ ପରିମାଣ ହାରକୁ ଟପିଯିବ ।

ସେ ଯାହାହେଉ, ଗତକାଲି ସୁଦ୍ଧା ସଂଗୃହୀତ ଧାନର ମୂଲ୍ୟ ୮୫୫୫ କୋଟି ହୋଇଥିବା ବେଳେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ପ୍ରାୟ ୮୩୩୫ କୋଟି ଟଙ୍କା । ବର୍ତମାନ ସୁଦ୍ଧା ୮.୨୩ ଲକ୍ଷ ଚାଷୀ ଧାନ ବିକ୍ରି କରିଥିବା ଯୋଗାଣ ବିଭାଗ କହୁଛି । ଇତି ମଧ୍ୟରେ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୋନପୁର ଆଦି ୧୨ଟି ଜିଲ୍ଲାରେ ଧାନ ସଂଗ୍ରହ ସରିଛି । ଚଳିତ ମାସ ଶେଷ ସୁଦ୍ଧା ଖରିଫ ଧାନ ସଂଗ୍ରହ ଋତୁ ବି ଶେଷ ହେବ । ମେ ପହିଲାରୁ ଆରମ୍ଭ ହେବ ରବି ଋତୁ ପାଇଁ ଧାନ ସଂଗ୍ରହ । ଏଥିପାଇଁ ଆଜିଠାରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି ଯୋଗାଣ ବିଭାଗ ।