ଆତଙ୍କୀ ହମଲା ପରେ ଭାରତକୁ ମିଳୁଛି କୁଟନୈତିକ ସମର୍ଥନ: ଅଜିତ୍ ଡୋଭାଲଙ୍କ ସହ ଫୋନରେ କଥା ହେଲେ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା

ସେପଟେ ମସୁଦ ଆଜହର ପ୍ରସଙ୍ଗରେ ପୁନଃବିଚାର କରିପାରେ ଚୀନ

299

କନକ ବ୍ୟୁରୋ: ପାକିସ୍ତାନ ପ୍ରତ୍ୟକ୍ଷ ଭାବେ ଆତଙ୍କବାଦୀ ସଂଗଠନଗୁଡିକୁ ଅନୁଦାନ ଦେବା ସହ ଅନ୍ୟାନ୍ୟ ସହଯୋଗ କରୁଛି । ଅନ୍ତର୍ଜାତୀୟ ସଂଗଠନ ଆଗରେ ଏହାର ପ୍ରମାଣ ଦେବ ଭାରତ । ଅନ୍ତର୍ଜାତୀୟ ସମୁଦାୟରେ ପାକିସ୍ତାନକୁ ଏକଘରିକିଆ କରିବାକୁ ଭାରତର ଏହା ଆଉଏକ ପଦକ୍ଷେପ ହେବ । ଆତଙ୍କବାଦୀ ସଂଗଠନଗୁଡିକ କେଉଁଠାରୁ ଆର୍ଥିକ ସହାୟତା ମିଳୁଛି, ତା ଉପରେ ନଜର ରଖିଥାଏ ପ୍ୟାରିସର ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ । ଆଗାମୀ ସପ୍ତାହରେ ଏହି ସଂସ୍ଥାର ବୈଠକ ସବିବ । ଆଉ ପାକିସ୍ତାନ କିଭଳି ଆତଙ୍କୀ ସଂଗଠନଗୁଡିକୁ ଆର୍ଥିକ ସହାୟତା ଯୋଗାଇ ଦେଉଛି ତାର ପ୍ରମାଣ ଦେବା ସହ, ପଡୋଶୀକୁ ପାନେ ଦେବା ପାଇଁ ପଦକ୍ଷେପ ନେବ ।

source : New Indian Express

ବିଶେଷ କରି ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ କିଭଳି ଭାରତରେ ହମଲା ପାଇଁ ଷଡଯନ୍ତ୍ର କରୁଛି ଏବଂ ସଂଗଠନକୁ ସେଠାକାର ସରକାର ଓ ସେନାର ସମର୍ଥନ ରହିଛି ତାର ପ୍ରମାଣ ପ୍ରସ୍ତୁତ ହୋଇସାରିଛି । ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବାକୁ ଏଫଏଟିଏଫ ଉପରେ ଚାପ ପକାଇବ ଭାରତ । ଏଫଏଟିଏଫ ବ୍ଲାକଲିଷ୍ଟ କଲେ ପାକିସ୍ତାନକୁ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାରୁ ଆର୍ଥିକ ସହଯୋଗ ମିଳିବା ବନ୍ଦ ହୋଇଯିବ । ବିଶ୍ୱ ବ୍ୟାଙ୍କ ଓ ଆଇଏମଏଫ ଭଳି ସଂସ୍ଥା ଆର୍ଥିକ ସହାୟତା ବନ୍ଦ କରିଦେଲେ ଦୁର୍ବଳ ହୋଇଯିବ ପାକିସ୍ତାନ । ମୁଡିସ୍ ଓ ଫିଚ୍ ଭଳି ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ଏହାର ରେଟିଂ କମ୍ କରିଦେଲେ ଦେଶକୁ ନିବେଶ କମିଯିବ ।

ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନ ବିରୋଧରେ ଭାରତର କୁଟନୈତିକ ପଦକ୍ଷେପକୁ ସ୍ୱାଗତ କରିଛି ଆମେରିକା । ସୀମାପାର ଆତଙ୍କବାଦ ବିରୋଧରେ ଆତ୍ମରକ୍ଷା ପାଇଁ ଭାରତ ନେଉଥିବା ପଦକ୍ଷେପକୁ ଏକପ୍ରକାର ଗ୍ରୀନସିଗନାଲ ଦେଇଛି ଟ୍ରମ୍ପ ପ୍ରଶାସନ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଫୋନଯୋଗେ ଦୁଇଥର କଥା ହୋଇଛନ୍ତି ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବଲଟନ୍ । ପୁଲୱାମା ହମଲା ପଛରେ ଥିବା ଆତଙ୍କୀ ମାଷ୍ଟର ମାଇଣ୍ଡ ଓ ତାର ସମର୍ଥକ ମାନଙ୍କୁ ଶାସ୍ତି ଦେବାଲାଗି ଭାରତକୁ ଆମେରିକାର ସମର୍ଥନ ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

ସେପଟେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜହର ମାମଲାରେ ଚୀନ ତାର ଆଭିମୁଖ୍ୟ ନେଇ ଚିନ୍ତା କରିବ ବୋଲି କହିଛି । ମିଲିତ ଜାତିସଂଘ ସୁରକ୍ଷା ପରିଷଦରେ ଜେଇଏମ୍ ମୁଖ୍ୟ ମାସୁଦ ଆଜହରକୁ ଅନ୍ତର୍ଜାତୀୟ ଆତଙ୍କୀ ଘୋଷଣା ପାଇଁ ପ୍ରୟାସ କରିଆସୁଛି ଭାରତ । ହେଲେ ପାକିସ୍ତାନକୁ ଚୀନର ସମର୍ଥନ ଫଳରେ ଏହା ସମ୍ଭବ ହୋଇପାରୁ ନାହିଁ । ହେଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବିବୃତି ଜାରି କରି ଦୁଃଖ ପ୍ରକାଶ କରିଛି ବେଜିଂ । ଏପରିକି ମାସୁଦ ଆଜହରକୁ ଅନ୍ତର୍ଜାତୀୟ ଆତଙ୍କୀ ମାନ୍ୟତା ବାବଦରେ ଚୀନ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ, ବିନା କୌଣସି ପ୍ରରୋଚନାରେ ଏବଂ ସଞ୍ଜମତାର ସହ ନିଷ୍ପତି କରିବ ବୋଲି କହିଛି । କିନ୍ତୁ ଚୂଡାନ୍ତ ନିଷ୍ପତି କରିବା ପୂର୍ବରୁ ସବୁ ପକ୍ଷ ସହ ଭାରତ ସହିତ ମଧ୍ୟ ଆଲୋଚନା କରାଯିବ ବୋଲି ବେଜିଂ ସ୍ପଷ୍ଟ କରିଦେଇଛି ।