ରାଜନୀତିରେ ସବର୍ଣ୍ଣ ସଂରକ୍ଷଣ ବିଲ୍ । ରାଜ୍ୟସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍କୁ ନେଇ ସରଗରମ ବିତର୍କ ।

ବିଜେଡି ଏହି ବିଲ୍କୁ ସମର୍ଥନ କରିଥିବା ବେଳେ ସମାଜବାଦୀ ପାର୍ଟି ଓ ବହୁଜନସମାଜବାଦୀ ପାର୍ଟି ପ୍ରମୁଖ ଦଳ ଏହି ବିଲକୁ ସମର୍ଥନ ଜଣାଇଛନ୍ତି । କିନ୍ତୁ ବିଲ୍ ଆଗତର ସମୟକୁ ନେଇ ପ୍ରଶ୍ନ ଉଠାଛନ୍ତି କଂଗ୍ରେସ ।

128

କନକ ବ୍ୟୁରୋ: ସବର୍ଣ୍ଣ ସଂରକ୍ଷଣ ବିଲ୍କୁ ନେଇ ରାଜ୍ୟ ସଭାରେ ସରଗରମ ବିତର୍କ । ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଆଗତ ହୋଇଛି । ବିଜେଡି ଏହି ବିଲ୍କୁ ସମର୍ଥନ କରିଥିବା ବେଳେ ସମାଜବାଦୀ ପାର୍ଟି ଓ ବହୁଜନସମାଜବାଦୀ ପାର୍ଟି ପ୍ରମୁଖ ଦଳ ଏହି ବିଲକୁ ସମର୍ଥନ ଜଣାଇଛନ୍ତି । କିନ୍ତୁ ବିଲ୍ ଆଗତର ସମୟକୁ ନେଇ ପ୍ରଶ୍ନ ଉଠାଛନ୍ତି କଂଗ୍ରେସ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ପୂର୍ବାହ୍ନରେ ଗୃହକାର୍ଯ୍ୟ ପ୍ରଭାବିତ ହୋଇଥିବା ବେଳେ ଏବେ ସ୍ୱାଭାବିକ୍ ଚାଲିଛି ସବର୍ଣ୍ଣଙ୍କୁ ସଂରକ୍ଷଣ ବିତର୍କ ।

ଲୋକସଭାର ସ୍ୱୀକୃତି ପରେ ରାଜ୍ୟସଭାରେ ପହଂଚିଛି ସବର୍ଣ୍ଣ ସଂରକ୍ଷଣ ବିଲ । ୨୦୧୯ ଲୋକସଭା ନିର୍ବାଚନକୁ ଆଉ ପ୍ରାୟ ତିନି ମାସ ବାକି ଥିବାବେଳେ, ଦେଶର ଏକ ବଡ ବର୍ଗକୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି ମୋଦି ସରକାର । ଶିକ୍ଷା ଓ ସରକାରୀ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ୧୨୪ତମ ସମ୍ବିଧାନ ସଂଶୋଧନ ବିଧେୟକ ୨୦୧୯କୁ ସଂସଦର ଉଚ୍ଚ ସଦନରେ ଆଗତ କରିଛନ୍ତି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାବର ଚନ୍ଦ ଗେହଲଟ୍ । ଯାହା ଉପରେ ଜୋରଦାର ଚର୍ଚ୍ଚା, ଆଲୋଚନା ଜାରି ରହିଛି । ସାଧାରଣ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ଏହି ବିଲ ସାମାଜିକ ସମାନତା ପ୍ରଦାନ କରିବ । ଦାରିଦ୍ର୍ୟ ସୀମାରେଖା ନିକଟରେ ଜୀବନଯାପନ କରୁଥିବା ନାଗରିକଙ୍କ ପାଇଁ ଏହି ସଂରକ୍ଷଣ ଆଇନ୍ ନୂଆ ସୁଯୋଗ ଆଣିଦେବ । ବିଲକୁ ଚଳିତ ଅଧିବେଶନରେ ପାସ କରାଇବା ଲକ୍ଷ୍ୟରେ ରାଜ୍ୟସଭାର ଅବଧୀକୁ ଗୋଟିଏ ଦିନ ପାଇଁ ବୃଦ୍ଧି କରିଛନ୍ତି ମୋଦି ସରକାର ।

ମଙ୍ଗଳବାର ଏହି ବିଲ ବାଚନିକ ଭୋଟରେ ଲୋକସଭାରେ ଗୃହୀତ ହୋଇଥିଲା । ବିଲ ସପକ୍ଷରେ ୩୨୩ ଭୋଟି ପଡିଥିବାବେଳେ ବିପକ୍ଷରେ ପଡିଥିଲା ୩ଟି ଭୋଟ୍ । ତେବେ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଲକୁ ମୋଦି ସରକାର ତରବରିଆ ଭାବେ ଲାଗୁ କରାଇବାକୁ ଚାହୁଁଥିବାରୁ ବିଜେପିର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଉଛନ୍ତି ବିରୋଧୀ । ବିଲକୁ ସିଲେକ୍ଟ କମିଟିର ବିଚାର ପାଇଁ ପଠାଇ ଦେବାକୁ ଦାବି କରିଛନ୍ତି । ସେହିପରି ବିରୋଧୀଙ୍କୁ ବିଶ୍ୱସକୁ ନନେଇ ଏକପାଖିଆ ଭାବେ ରାଜ୍ୟସଭା ଅଧିବେଶନର ଅବଧିକୁ ଗୋଟିଏ ଦିନ ପାଇଁ ବୃଦ୍ଧି କରିଥିବାରୁ ସରକାରଙ୍କ ଉପରେ ବର୍ଷିଛନ୍ତି । ଦଳିତ ବିରୋଧୀ ଆକ୍ରୋଶ ନିରାକରଣ ଆଇନରେ ମୋଦି ସରକାରଙ୍କ ଆଭିମୁଖ୍ୟକୁ ନେଇ ଅସନ୍ତୁଷ୍ଟ ଥିବା ସବର୍ଣ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ କରାଯାଇଛି ବୋଲି ଅଭିଯୋଗ ବାଢିଛନ୍ତି ।

ରାଜ୍ୟସଭାରେ ସରକାରୀ ଦଳ ନିକଟରେ ଆବଶ୍ୟକ ସଂଖ୍ୟା ନଥିଲେ ମଧ୍ୟ ବିଲକୁ ବହୁମତ ମିଳିବା ଆଶାରେ ଅଛନ୍ତି ମୋଦି ସରକାର । କାରଣ ବିଜେଡି ପରି ଆଂଚଳିକ ଦଳ ବିଲକୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି । ସବର୍ଣ୍ଣଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିବା ଅନ୍ୟ ବିରୋଧୀ ଦଳ ବି ଖୋଲାଖୋଲି ବିଲକୁ ବିରୋଧ କରୁନାହାନ୍ତି । ସେପଟେ ମୂଳରୁ ଉଚ୍ଚ ଜାତି ବର୍ଗର ଏକ ଦଳ ଭାବେ ଜଣାଶୁଣା ବିଜେପି ନିକଟରେ ସେହି ବର୍ଗର ଭରସା ହରାଇ ବସିଛି । ହିନ୍ଦି ଭାଷାଭାଷି ତିନି ରାଜ୍ୟରେ ବିଜେପି ହାତରୁ କ୍ଷମତା ଖସିଯିବା ତାର ପ୍ରମାଣ ବୋଲି କୁହାଯାଉଛି । ତେଣୁ ସମାଜର ଏହି ଶ୍ରେଣୀର ବିଶ୍ୱାସ ଜିତି ମୂଳ ସମର୍ଥକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଛନ୍ତି ମୋଦି ସରକାର ।