ପରୀକ୍ଷାମୂଳକ ଭାବେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଧାଡି ଦର୍ଶନ ! ପ୍ରଥମ ଦିନରୁ ବିରୋଧ କଲେ ଭକ୍ତ, ଭାଙ୍ଗିଲେ ବାରିକେଡ୍, ଧାଡି ମାନିଲେନି ଶ୍ରଦ୍ଧାଳୁ ।

59

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଧାଡି ଦର୍ଶନ । ପରୀକ୍ଷାମୂଳକ ଭାବେ ଏହିି ବ୍ୟବସ୍ଥା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା । ହେଲେ ପ୍ରଥମ ଦିନରୁ ପ୍ରଶାସନର ନିଷ୍ପତିକୁ ନେଇ ଅସନ୍ତୋଷ ଦେଖାଦେଇଛି । ଧାଡିରେ ଦର୍ଶନ ବିଳମ୍ବିତ ହେଉଥିବାରୁ ଅନେକ ଭକ୍ତ, ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନରୁ ବଂଚିତ ହୋଇଛନ୍ତି । ବାଇସି ପାହାଚରେ ପିଣ୍ଡଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଯାହାକୁ ପ୍ରତିବାଦ କରି ପ୍ରଶାସନ ଲଗାଇଥିବା ବାରିକେଡକୁ କାଢି ଫିଙ୍ଗି ଦେଇଥିଲେ ଶ୍ରଦ୍ଧାଳୁ । ତେଣୁ ପ୍ରଶ୍ନ ଉଠୁଛି ଭକ୍ତଙ୍କ ପ୍ରତିବାଦ ଭିତରେ ସଂସ୍କାର ପ୍ରକ୍ରିୟାକୁ କିଭଳି ଆଗେଇ ନେବ ପ୍ରଶାସନ ।

ଯେଉଁ ଚକା ନୟନକୁ ଚାହିଁଦେଲେ ଦୁଇ ଆଖିରେ ଭକ୍ତିର ଲୁହ ଜକେଇ ଆସୁଥିଲା, ଆଜି ସେହି ଆଖିରେ ଭିନ୍ନ କାରଣରୁ ଝରୁଛି ଧାରଧାର ଲୁହ । ଶ୍ରୀମନ୍ଦିର ପ୍ରଶାସନର ଧାଡି ଦର୍ଶନ ବ୍ୟବସ୍ଥାରେ ମନ୍ଦିର ପ୍ରବେଶ ବିଳମ୍ବ ହେବାରୁ କୋହ ଉଠାଇ କାନ୍ଦିଥିଲେ ଜଣେ ମହିଳା । ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିପାରି ନାହାନ୍ତି ଶ୍ରଦ୍ଧାଳୁ । ଯେଉଁଥିପାଇଁ ପ୍ରଶାସନର ପଦକ୍ଷେପକୁ ନିନ୍ଦା କରିଛନ୍ତି ।

ପ୍ରଥମ ଦିନରୁ ପ୍ରତିବାଦ । ଧାଡ଼ି ମାନିଲେନି ଭକ୍ତ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିଥିଲା ପ୍ରଶାସନ । ହେଲେ ଏହାକୁ ବିରୋଧ କରି ଭକ୍ତମାନେ ବାଇସି ପାହାଚ ନିକଟରେ ବାରିକେଡକୁ ଭାଙ୍ଗି ଧସେଇ ପଶିଥିଲେ । ପରେ ପୋଲିସ ଓ ପ୍ରଶାସନର ଅଧିକାରୀମାନେ ପହଂଚି ପୁଣି ଧାଡି ଦର୍ଶନ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିଥିଲେ । ଧାଡି ଦର୍ଶନକୁ ମୂଳରୁ ବିରୋଧ ହୋଇ ଆସୁଥିବା ବେଳେ ଆଜି ବାଇସି ପାହାଚରେ ପିଣ୍ଡଦାନ ପ୍ରକ୍ରିୟାରେ ବାଧା ଉପୁଜିଥିବା ଅଭିଯୋଗ ହୋଇଛି ।

ପୁରୀ ଜିଲ୍ଲାପାଳ କହିଛନ୍ତି ସିସିଟିଭି ଯାଂଚ ପରେ ଯେଉଁମାନେ ବାରିକେଡ ଭାଙ୍ଗିଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଶ୍ରୀମନ୍ଦିରକୁ କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ଅନ୍ୟ ତିନି ଦ୍ୱାର ଦେଇ ବାହାରି ପାରିବେ । ପ୍ରଶାସନ କରିଥିବା ବାରିକେଡ ଦେଇ ଗଲେ ଗରୁଡ ସ୍ତମ୍ଭକୁ ଛୁଇଁବାର ଅବକାଶ ମିଳିବ ନାହିଁ । ଯାହାକୁ ନେଇ ମଧ୍ୟ ଭକ୍ତଙ୍କ ଭିତରେ ଅସନ୍ତୋଷ ବଢୁଛି ।

ସେପଟେ ଶ୍ରୀମନ୍ଦିର ପ୍ରଶାସନର କହିବା ହେଲା ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି । ଏବଂ ଭକ୍ତଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆବଶ୍ୟକ ସଂଶୋଧନ କରାଯିବ । ବାଇସି ପାହାଚ ସହ ଭକ୍ତଙ୍କ ଭାବାବେଗ ଜଡିତ । ସେହିପରି ଗରୁଡ ସ୍ତମ୍ଭକୁ ସ୍ପର୍ଶ କରିନପାରିବା ଓ ଖରା, ବର୍ଷା, ଶୀତ, କାକରରେ ଘଂଟାଘଂଟା ଧରି ଭକ୍ତମାନେ ଧାଡିରେ ଛିଡାହେବା ଭଳି ସମସ୍ୟାକୁ କିଭଳି ସମାଧାନ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରିବାକୁ ପଡିବ ।