ନିଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେବ ୧୨୦୦ ପ୍ରଶ୍ନର ବ୍ୟାଙ୍କ

43

କନକ ବ୍ୟୁରୋ: ମେଡ଼ିକାଲ କଲେଜ ମାନଙ୍କରେ ନାମ ଲେଖାପାଇଁ ବିଭିନ୍ନ ଭାଷାରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷାରେ ଏଥର ଆଉ ବିଭ୍ରାଟ ହେବନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏନେଇ ଗାଇଡଲାଇନ୍ସ ଜାରି କରିଛି । ଏହି ଅନୁଯାୟୀ ସିବିଏସଇକୁ ୧୦୦୦ରୁ ୧୨୦୦ ପ୍ରଶ୍ନର ଗୋଟିଏ ବ୍ୟାଙ୍କ୍ ପ୍ରସ୍ତୁତ କରିବାକୁ ପଡ଼ିବ । ଏହାପରେ ଭାଷା ବିଶେଷଜ୍ଞମାନେ ପ୍ରଶ୍ନଗୁଡ଼ିକର ଅନୁବାଦ କରିବେ । ପ୍ରଶ୍ନ ଗୁଡ଼ିକରେ ଭାଷା, ବାକ୍ୟ ଓ ତଥ୍ୟ ଗୁଡ଼ିକର ବିଭ୍ରାଟର ଯାଞ୍ଚ ତ୍ରିସ୍ତରୀୟ କମିଟି କରିବ । ସିବିଏସଇ ବୋର୍ଡର ପରୀକ୍ଷା ବିଭାଗ ଏହାପରେ ପ୍ରଶ୍ନପତ୍ରର ୪ କିମ୍ବା ୫ ସେଟ୍ ପ୍ରସ୍ତୁତ କରିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ପ୍ରଥମ ଥର ପାଇଁ ୨୦୧୮ରୁ ନିଟ୍ ପରୀକ୍ଷା ସବୁ ଭାଷାରେ ହେବ । ଏମିତିରେ ଭାଷା ଅଥବା ପ୍ରଶ୍ନରେ କୌଣସି ପ୍ରକାର ବିଭ୍ରାଟ କିମ୍ବା ଭୁଲର ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇଦେବାପାଇଁ ଏଭଳି ଏକ ପ୍ରୟାସ ଆରମ୍ଭ କରାଯାଇଛି । ସ୍ମରଣଯୋଗ୍ୟ, ପ୍ରଶ୍ନପତ୍ରରେ ବିଭ୍ରାଟ ଯୋଗୁଁ ଚଳିତ ବର୍ଷର ନିଟ୍ ପରୀକ୍ଷାରେ ବିଦ୍ୟାର୍ଥୀମାନଙ୍କୁ ୮ ମାର୍କ ବୋନସ୍ ଦିଆଯାଇଥିଲା । ଆଗକୁ ଏହାର ଯେଭଳି ପୁନରାବୃତ୍ତି ନହୁଏ ସେ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ମାସରେ ୨୦୧୮ର ନିଟ୍ ପରୀକ୍ଷା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ସିବିଏସଇର ବରିଷ୍ଠ ଅଧିକାରୀମାନଙ୍କ ବୈଠକ ହୋଇଥିଲା । ମନ୍ତ୍ରାଳୟ ଦ୍ୱାରା ସିବିଏସଇକୁ ପ୍ରଶ୍ନପତ୍ର ପାଇଁ ଜରୁରୀ ନିର୍ଦ୍ଦେଶ ଜାରି କରାଯାଇଛି । ପ୍ରଶ୍ନ ବ୍ୟାଙ୍କ୍ ପ୍ରସ୍ତୁତ ହୋଇ ସାରିବାପରେ ତାହାକୁ ଦେଶର ବିଭିନ୍ନ ରାଜ୍ୟର ବିଶେଷଜ୍ଞ ଅନୁବାଦକମାନଙ୍କୁ ପାଖକୁ ପଠାଯାଇ ଅନୁବାଦ କରାଯିବ । ଏଥିରୁ ଚୂଡ଼ାନ୍ତ ପ୍ରଶ୍ନ ସେଟ୍ ପ୍ରସ୍ତୁତ କରାଯିବ । କେନ୍ଦ୍ର ସରକାର ଏହି ପ୍ରକ୍ରିୟାକୁ ଖୁବ୍ ଶୀଘ୍ର ଆରମ୍ଭ କରିବାପାଇଁ ସିବିଏସଇକୁ ନିର୍ଦ୍ଦେଶ ଦେଇଛି ଯାହାଦ୍ୱାରା ଅନୁବାଦକମାନଙ୍କ ପାଇଁ ପର୍ଯ୍ୟାପ୍ତ ସମୟ ମିଳିପାରିବ ।