ପ୍ରତିଶୃତିପତ୍ରରେ ଘୋଷଣା କଲେନି, ମୁହଁରେ ମୁହଁରେ ଲୁଣ,ଚାଉଳ ଓ ଡାଲି ଦେବାକୁ ପ୍ରତିଶୃତି ଦେଲେ ଧର୍ମେନ୍ଦ୍ର । ଲୋକ ପଚାରିଲେ ୧ ଟଙ୍କାରେ ପେଟ୍ରୋଲ ଓ ଡିଜେଲ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ ।

630

କନକ ବ୍ୟୁରୋ : ମାତ୍ର ୧ ଟଙ୍କାରେ ମିଳିବ ୫ କିଲୋ ଚାଉଳ, ଅଧକିଲୋ ଲୁଣ ଓ ଡାଲି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶୃତିର ପାହାଡ ଛିଡା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିନ୍ତୁ ଏହି ପ୍ରତିଶୃତି ଦଳୀୟ ଘୋଷଣାପତ୍ର ବଦଳରେ ମୁହଁରେ ମୁହଁରେ କହିଛନ୍ତି ଧର୍ମେନ୍ଦ୍ର । ତାହା ବି ପୁଣି ଏକ ନିର୍ବାଚନ ସଭାରେ । ସାଧାରଣତଃ ନିର୍ବାଚନ ସମୟରେ ନେତା ମାନେ ଏଭଳି ଅନେକ ପ୍ରତିଶୃତି ଦେଇଥାନ୍ତି ଯାହାକୁ ନେଇ ପରବର୍ତ୍ତୀ ସମୟରେ ପ୍ରଶ୍ନ ଉଠାଇଥାନ୍ତି ଭୋଟର । ଭାରତ ତଥା ଓଡିଶା ରାଜନୀତିରେ ଏହା ନୂଆ କଥା ନୁହେଁ ।

ଧର୍ମେନ୍ଦ୍ରଙ୍କ ଏହି ଘୋଷଣା ପରେ ଏବେ ଲୋକେ ସିଧାସଳଖ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାପାଇଁ କେଉଁଠୁ ଟଙ୍କା ଆସିବ ବୋଲି ପ୍ରଶ୍ନ ପଚାରିଛନ୍ତି ଜନତା । କାରଣ ଧର୍ମେନ୍ଦ୍ରଙ୍କ ଘୋଷଣା ଅନୁଯାୟୀ, ସରକାରକୁ ଆସିବା ପରେ ଯଦି ଏକ ଟଙ୍କାରେ ୫ କିଲୋ ଚାଉଳ, ଡାଲି ଓ ଲୁଣ ଦିଆଯାଏ । ତେବେ ଏବେ ଏହି ସାମଗ୍ରୀର ଥିବା ବଜାର ଦର ଅନୁଯାୟୀ ବାର୍ଷିକ ପ୍ରାୟ ୨୧୧୨.୪୮ କୋଟି ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ଏହି ଟଙ୍କା କେଉଁଠୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି ଜନତା । କାରଣ ଇସ୍ତାହାର ପତ୍ରରେ ଏନେଇ ବିଜେପି କୌଣସି ସଂକେତ ଦେଇନଥିବା ବେଳେ ନିର୍ବାଚନ ସଭାରେ ଏ ବାବଦରେ ଘୋଷଣା କରିଛନ୍ତି ଧର୍ମେନ୍ଦ୍ର । ତେଣୁ ଧର୍ମେନ୍ଦ୍ରଙ୍କ କଥାକୁ କିଭଳି ଭୋଟର ବିଶ୍ୱାସକୁ ନେବେ ତାହା ସବୁଠୁ ବଡ ପ୍ରଶ୍ନ ।

ଧର୍ମେନ୍ଦ୍ରଙ୍କ ଘୋଷଣା ଅନୁଯାୟୀ ଜାତୀୟ ଖାଦ୍ୟ ସୁରକ୍ଷାରେ ଅର୍ନ୍ତଭୁକ୍ତ ଥିବା ୩.୨୬ କୋଟି ହିତାଧିକାରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ଏବେ ଜାତୀୟ ଖାଦ୍ୟ ସୁରକ୍ଷାରେ ଅର୍ନ୍ତଭୁକ୍ତ ଥିବା ହିତାଧିକାରୀଙ୍କୁ ୧ ଟଙ୍କାରେ ୧ କିଲୋ ଚାଉଳ ଯୋଗାଇ ଦେଇ ଆସୁଛନ୍ତି ରାଜ୍ୟ ସରକାର । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ, ୧ କିଲୋ ଚାଉଳର ମୂଲ୍ୟ ୩୨ ଟଙ୍କା ଥିବା ବେଳେ କେନ୍ଦ୍ର ସରକାର ୨୯ ଟଙ୍କା ଓ ରାଜ୍ୟ ସରକାର ୨ ଟଙ୍କା ସବସିଡି ଦେଉଥିବା ବେଳେ ହିତାଧିକାରୀ ୧ଟଙ୍କା ଦେଇ ୧ କିଲୋ ଚାଉଳ ପାଉଛନ୍ତି । କିନ୍ତୁ ଧର୍ମେନ୍ଦ୍ରଙ୍କ ପ୍ରତିଶୃତି ଅନୁଯାୟୀ, ୧ ଟଙ୍କାରେ ୧ କିଲୋ ଚାଉଳ ବଦଳରେ ଅତିରିକ୍ତ ୪ କିଲୋ ଚାଉଳ ଅଥାର୍ତ ମୋଟ ୫ କିଲୋ ଚାଉଳ ଓ ଅଧ କିଲୋ ଲେଖାଏଁ ଡାଲି ଓ ଲୁଣ ମିଳିବ ।

ଧର୍ମେନ୍ଦ୍ର ଦେଇଥିବା ପ୍ରତିଶୃତି ଅନୁଯାୟୀ, ହିତାଧିକାରୀ ଅଧିକ ୪ କିଲୋ ଚାଉଳ ପାଇବେ । ଅର୍ଥାତ ଏହି ୪ କିଲୋ ପିଛା ଅତିରିକ୍ତ ୪ ଟଙ୍କା ଖର୍ଚ୍ଚ କରାଯିବ । ବାକି ଟଙ୍କା କେନ୍ଦ୍ର ଓ ରାଜ୍ୟ ସରକାର ସବସିଡି ଆକାରରେ ଦେବେ । ଏହି ହିସାବରେ ମୋଟ ୩.୨୬ କୋଟି ଲୋକଙ୍କୁ ଅତିରିକ୍ତ ୪ କିଲୋ ଚାଉଳ ବାବଦକୁ ବାର୍ଷିକ ୧୫୬.୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିଭଳି ଏବେ ଲୁଣ ଓ ଡାଲିର ଥିବା ବଜାର ଦର ଅନୁଯାୟୀ, ଏହା ବାବଦରେ ମଧ୍ୟ ବାର୍ଷିକ ଅତିରିକ୍ତ ୧୯୫୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହିଭଳି ଭାବେ ମୋଟ ୨୧୧୨.୪୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ । କିନ୍ତୁ ଯେତେବେଳେ ବିଜେପି ଏନେଇ ନିଜ ଇସ୍ତାହର ପତ୍ରରେ ଘୋଷଣା କରିନାହିଁ ସେଭଳି ସ୍ଥିତିରେ ଏ ବାବଦକୁ ଖର୍ଚ୍ଚ ହେବାକୁ ଥିବା ଅତିରିକ୍ତ ଟଙ୍କା କେଉଁଠୁ ଆସିବ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ।

ଧର୍ମେନ୍ଦ୍ରଙ୍କ ଏହି ଘୋଷଣା ପରେ ସୋସିଆଲ ମିଡିଆରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ କଡା ପ୍ରଶ୍ନବାଣର ସାମ୍ନା କରିବାକୁ ପଡିଛି । ଧର୍ମେନ୍ଦ୍ର ଲୁଣ, ଚାଉଳ ଓ ଡାଲି ଛାଡି ପ୍ରଥମେ ତେଲ ଶସ୍ତା କରନ୍ତୁ ବୋଲି କହିଛନ୍ତି ୟୁର୍ଜସ । ଏହାସହ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପିର ସ୍ଥିତି ଜାଣିବା ପରେ ଧର୍ମେନ୍ଦ୍ର ଏଭଳି ପ୍ରତିଶୃତି ଦେଉଛନ୍ତି ବୋଲି କହିଛନ୍ତି ନିରଞ୍ଜନ ।