ଶିକ୍ଷକ, କର୍ମଚାରୀଙ୍କୁ କ୍ୟାମ୍ପସରେ ମିଳିବ ଘର ! ସୁଦୃଢ଼ ହେବ ସରକାରୀ ବିଦ୍ୟାଳୟ

84

କନକ ବ୍ୟୁରୋ : ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷକ, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଏଣିକି କ୍ୟାମ୍ପସରେ ରହିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘର ଯୋଗାଇ ଦିଆଯିବ । ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଘର ନିର୍ମାଣ ଲାଗି ଶହେ କୋଟି ଟଙ୍କାର ବଜେଟ ବରାଦ ଲାଗି ପ୍ରସ୍ତାବ ଦେଇଥିଲା ଷ୍ଟାଣ୍ଡିଂ କମିଟି । ବିଦ୍ୟାଳୟରେ ଘର ନିର୍ମାଣ ଲାଗି କିଭଳି ଭିତ୍ତିଭୂମି ରହିଛି, କେତେ ପରିମାଣର ବାସଗୃହ ଆବଶ୍ୟକ ସେନେଇ ଅକ୍ଟୋବର ୩୧ ସୁଦ୍ଧା ରିପୋର୍ଟ ଦେବାକୁ ବିଭାଗୀୟ ଯୁଗ୍ମ ସଚିବ ବିଶ୍ୱନାଥ ସେଠୀ ଆଜି ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି ।

ଉଲ୍ଳେଖଯୋଗ୍ୟ, ଷ୍ଟାଣ୍ଡିଂ କମିଟି ସୁପାରିସ କରିଥିଲେ ଯେ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଉ । ପ୍ରାଥମିକ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ଲାଗି ଅଙ୍ଗନବାଡିଗୁଡ଼ିକରେ ଚାଟଶାଳୀ ପାଠ୍ୟକ୍ରମ ଆରମ୍ଭ ଲାଗି ବି ପ୍ରସ୍ତାବ ଦେଇଥିଲେ । ଆଗରୁ ପିଲାମାନେ ଚାଟଶାଳୀରେ ଯେଉଁଭଳି ଶିକ୍ଷା ଗ୍ରହଣ କରୁଥିଲେ ସେଭଳି ପରିବେଶରେ ପିଲାଙ୍କୁ ପଢ଼ାଇବାକୁ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାଦ୍ୱାରା ଅଙ୍ଗନବାଡିରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା ଛୋଟ ଛୋଟ ପିଲାଙ୍କ ଦକ୍ଷତା ବୃଦ୍ଧି ପାଇବ । ସେମାନେ ପରବର୍ତ୍ତୀ ସମୟରେ ଗୁଣାତ୍ମକ ଶିକ୍ଷା ପାଇପାରିବେ ।

କେବଳ ସେତିକି ନୁହେଁ, ୨୫ ବର୍ଷ ପୂରଣ କରିଥିବା ବିଦ୍ୟାଳୟ, ଯେଉଁମାନଙ୍କର ନିଜସ୍ୱ ଖେଳପଡ଼ିଆ ଥିବ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଦେବା ଲାଗି ସୁପାରିସ ହୋଇଥିଲା । ଯେଉଁ ଅର୍ଥରେ ବିଦ୍ୟାଳୟଗୁଡ଼ିକ ଖେଳ ପଡ଼ିଆର ବିକାଶ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରିପାରିବେ । ଏହାଦ୍ୱାରା ପିଲାଙ୍କ କ୍ରୀଡ଼ା ଦକ୍ଷତା ବୃଦ୍ଧି ପାଇବ । ବ୍ଲକଗ୍ରାଣ୍ଟ/ଅନୁଦାନପ୍ରାପ୍ତ ହାଇସ୍କୁଲ ଏବଂ ୟୁପି ସ୍କୁଲଗୁଡ଼ିକର ଭିତ୍ତିଭୂମି ଏବଂ ସ୍କୁଲ ବିଲଡିଂ ତିଆରି ଲାଗି ପୂର୍ବରୁ ମିଳୁଥିବା ଫଣ୍ଡ୍‌କୁ ବୃଦ୍ଧି କରିବାକୁ କମିଟି ପ୍ରସ୍ତାବ ଦେଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ଯୋଜନାକୁ ମିଳୁଥିବା ଅର୍ଥକୁ ବୃଦ୍ଧି କରିବାକୁ ମଧ୍ୟ ପ୍ରସ୍ତାବ ରହିଛି ।

ରାଜ୍ୟର ବିଭିନ୍ନ କୋର୍ଟରେ ପଡ଼ିରହିଥିବା ମାମଲାଗୁଡ଼ିକର ସମାଧାନ କରିବା ଲାଗି ବିଭାଗର ବିଭିନ୍ନ ନିର୍ଦେଶାଳୟରେ ଆଇନ ଅଧିକାରୀଙ୍କୁ ନିୟୋଜିତ କରିବା ଲାଗି ବଜେଟ ବ୍ୟବସ୍ଥା କରିବାକୁ କୁହାଯାଇଛି । ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଏବଂ କର୍ମଚାରୀଙ୍କ ଅବସରଗ୍ରହଣ ପରେ ଖାଲିପଡ଼ିଥିବା ସ୍ଥାନ ପୂରଣ କରିବା ଲାଗି ବିଧାନସଭା ଷ୍ଟାଣ୍ଡିଂ କମିଟି ପ୍ରସ୍ତାବ ଦେଇଛି । ସରକାରୀ ହାଇସ୍କୁଲରେ ଥିବା ଛାତ୍ରୀନିବାସଗୁଡ଼ିକରେ ମହିଳା ସୁପରିଟେଣ୍ଡେଣ୍ଟ/ମାଟର୍ନ ନିଯୁକ୍ତ କରିବାକୁ ବି ପ୍ରସ୍ତାବରେ ଉଲ୍ଲେଖ ରହିଛି । ବି.ଏଡ୍‌, ସିଟି, ଡିଆଇଇଟି ତାଲିମଧାରୀ ସ୍ନାତ୍ତକ ଶିକ୍ଷକଙ୍କୁ ରେଗୁଲାର ଶିକ୍ଷକଙ୍କ ପରି ଦରମା ଦେବାକୁ କୁହାଯାଇଛି ।