ପିସିକୁ ନେଇ ବିଧାନସଭାରେ ହଙ୍ଗାମା ! ଶାସକ ଓ ବିରୋଧିଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ

39

tara-1କନକ ବ୍ୟୁରୋ : ପିସି କାରବାର ନେଇ ବିଧାନସଭାରେ ହଙ୍ଗାମା । ଶାସକ ଦଳକୁ ଘେରିଲେ ବିରୋଧୀ । ଶାସକ-ବିରୋଧୀ ଟଣା ଓଟଣା ଭିତରେ ଘଂଟା ଘଂଟା ଧରି ପ୍ରଭାବିତ ହେଲା ଗୃହକାର୍ଯ୍ୟ । ଆଉ ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଡକୁ ଇଙ୍ଗିତ କରି ପୁଣି ମାଡ଼ତତ୍ତ୍ୱ ଦୋହରାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦବାହିନୀ ପତି । ଏପରିକି ତୃତୀୟ ମହଲାର ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଥିବା ସମୟରେ ଅଫିସ ଭିତରେ ପଶି ପିଟିବାକୁ ଚେତାବନୀ ଦେଇଛନ୍ତି ତାରା ।

କାଲି ଯାହା କହିଥିଲେ, ଆଜି ପୁଣି ଦୋହରାଇଲେ । ଅର୍ଥାତ୍ ମାଡ଼ତତ୍ତ୍ୱରେ ଅଟଳ ଅଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ଆଉ ଟାର୍ଗେଟ୍ରେ ତୃତୀୟ ମହଲା, ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତୃତୀୟ ମହଲା ଯିବେ ଏବଂ ଯାହା ହେବ ଦେଖା ଯିବ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ତାରାବାହିନୀ ପତି ।

ପିସି କାରବାର ତୃତୀୟ ମହଲାରୁ ଆରମ୍ଭ ହେଉଥିବା କହୁଥିବା ତାରା, ସିଧାସଳଖ କିଛି ବରିଷ୍ଠ ଅଧିକାରୀଙ୍କୁ ଏହି ଦୁର୍ନୀତି ପାଇଁ ଦାୟୀ କରିଛନ୍ତି । ଦାସ, ମହାପାତ୍ର, ମହାନ୍ତି ଏବଂ ପାଣ୍ଡିଆନ୍ ସାଜ୍ଞାଧାରୀ, ୪ରୁ ୫ ଜଣ ଅଧିକାରୀ, ଯେଉଁମାନେ ନିଯୁକ୍ତି ଏବଂ ବଦଳି ପ୍ରକ୍ରିୟା ମାଧ୍ୟମରେ ଦୁର୍ନୀତିକୁ ପ୍ରସୟ ଦେଉଥିବା ଅଭିଯୋଗ କରିଛନ୍ତି ।

ଆଜି ଯେତେବେଳେ ପିସି କାରବାରକୁ ନେଇ ବିଧାନସଭାରେ ହଙ୍ଗାମା ହେଉଛି, ଘଂଟା ଘଂଟା କାଳ ଗୃହକାର୍ଯ୍ୟ ପ୍ରଭାବିତ ହେଉଛି । ଆଉ ସରକାରୀ ଦଳର ସଦସ୍ୟମାନେ ସଫେଇ ଦେବାକୁ ଆଗେଇ ଆସୁଛନ୍ତି, ଠିକ୍ ସେତିକିବେଳେ ତାରା କହିଛନ୍ତି-ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ଟିକେଟ୍ ନମିଳିବା ଭୟରେ ଚୁପ୍ ରହୁଛନ୍ତି । ଦୁର୍ନୀତି ଅଭିଯୋଗ ନେଇ ତୃତୀୟ ମହଲାକୁ ଇଙ୍ଗିତ କରିଥିବା ତାରାଙ୍କ ସହ ସ୍ୱର ମିଳାଇଛି ବିଜେପି । ହେଲେ ବିଜେଡି କିନ୍ତୁ ଏହାକୁ ଆଲୋଚନାର ବିଷୟବସ୍ତୁ ନୁହେଁ ଏବଂ ସାରା ବିଶ୍ୱରେ ପିସି କାରବାର ଚାଲିଥିବା କହିଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି-ଯେତେବେଳେ ମୁଖ୍ୟମନ୍ତ୍ରୀ ପିସି କାରବାର ବିରୋଧରେ ଜିରୋ ଟଲରାନ୍ସର ନାରା ଦେଉଛନ୍ତି । ଠିକ୍ ସେତିକିବେଳେ କେମିତି ବିଜେଡି ମୁଖପାତ୍ର ଖୋଲାଖୋଲି କ୍ୟାମେରା ଆଗରେ, ସାରା ବିଶ୍ୱରେ ପିସି କାରବାର ଚାଲେ ବୋଲି ଯୁକ୍ତି ରଖୁଛନ୍ତି ।