କୋରାପୁଟ : ଜନବସତି ମୁହାଁ ଅଜଗର । କେତେବେଳେ ଜଙ୍ଗଲ ଜଳି ଯାଉଛି ତ ଆଉ କେତେବେଳେ ଖଣି ଖାଦାନ ପାଇଁ ଜଙ୍ଗଲକୁ ନଷ୍ଟ କରାଯାଉଛି । ଯାହାର ପ୍ରଭାବ ସିଧାସଳଖ ଜଙ୍ଗଲୀ ଜନ୍ତୁଙ୍କ ଉପରେ ପଡିଛି । ଖାଦ୍ୟାଭାବ ଯୋଗୁଁ ଗାଁ ଗାଣ୍ଡାକୁ ପଶି ଆସୁଛି ଅଜଗର । ଆଜି କୋରାପୁଟ ଜୟପୁର ଡଙ୍ଗାଗୁଡାରୁ ୯ ଫୁଟ ଲମ୍ବର ଏକ ଅଜଗର ଉଦ୍ଧାର ହୋଇଛି । ୧୯ କିଲୋଗ୍ରାମର ଅଜଗରକୁ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛି । ଅଜଗରଟି ଜଣଙ୍କ ଘରେ ପଶି ଯାଇଥିବାର ଦେଖି ଲୋକ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ବେଶ କିଛି ସମୟ ଧରି ଉଦ୍ୟମ କରିବା ପରେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ତେବେ ଅଜଗରଟିକୁ ବନ ବିଭାଗ ପକ୍ଷରୁ ଘଂଚ ଜଙ୍ଗଲ ଭିତରେ ଛାଡି ଦିଆଯାଇଛି ।