ଖେଳ ଦେଖାଉଥିଲା ସାପୁଆକେଳା । ଅଜଗର ଚିପିଲା ତଣ୍ଟି । ଲୋକେ କରୁଥିଲେ ଭିଡିଓ ।

67

ଉତ୍ତରପ୍ରଦେଶ ମଉ ଜିଲ୍ଲାର କୋତବାଲି ବଜାର ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଗୋଟେ ସାପୁଆ କେଳାକୁ ଏକ ଅଜଗର ତଣ୍ଟି ଚିପିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, କୋତବାଲି ବଜାର ନିକଟରେ ଜଣେ ସାପୁଆ କେଳା କିଛି ସାପ ଆଣି ଖେଳ ଦେଖାଇ ଲୋକଙ୍କ ମନୋରଞ୍ଜନ କରୁଥିଲା । ଲୋକମାନେ ମଧ୍ୟ ଉତ୍ସାହର ସହ ଏହି ଖେଳ ଦେଖିବା ପାଇଁ ଗୋଟିଏ ଜାଗାରେ ଏକାଠି ହୋଇଥିଲେ । କିଛି ଲୋକ ମଧ୍ୟ ଏହି ସାପ ଖେଳର ମଜା ମୋବାଇଲ ଦ୍ୱାରା ରେକର୍ଡ କରୁଥିଲେ ।

କିଛି ସମୟ ଧରି ସାପୁଆ କେଳା ତା କଳାର ପଦର୍ଶନ କରି ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲା । କିନ୍ତୁ ସେ ଜାଣିପାରି ନଥିଲା ତାର ଏହି ଖେଳ ତାକୁ ବିପଦ ମୁହଁକୁ ଠେଲିଦେବ । କେଳାଟି ଅଜଗର ସାପକୁ ନେଇ ଖେଳ ଦେଖାଉଥିବା ବେଳେ ଅଜଗରଟି ଧିରେ ଧିରେ ତା ବେକରେ ଗୁଡାଇ ହୋଇଯାଇଥିଲା । ସାପୁଆ କେଳାଟି କିଛି ଭାବିବା ପୂର୍ବରୁ ସାପଟି କେଳାର ତଣ୍ଟି ଚିପିଦେଇଥିଲା । ଠିକ ଯେପରି ଅଜଗର ତାର ଶିକାରର ଶିକାର କରିଥାଏ ଠିକ ସେହି ପରି ସାପୁଆ କେଳାର ବେକରେ ଗୁଡାଇ ହୋଇ ସାପୁଆ କେଳାର ଜୀବନ ନେବାକୁ ଚେଷ୍ଟା କରିଥିଲା ।

ସେଠାରେ ଉପସ୍ଥିିତ ଲୋକେ ପ୍ରଥମେ କିଛି ବୁଝି ପାରିନଥିଲେ । ଲୋକ ମାନେ ଭାବିଥିଲେ ଏହା ମଧ୍ୟ ଏକ ଖେଳର ଅଂଶ । କିନ୍ତୁ କିଛି ସମୟ ବିତିବା ପରେ କେଳାଟି ବେହୋସ ହୋଇ ତଳେ ପଡିଯାଇଥିଲା ଏବଂ ବହୁ ସମୟ ପର୍ଯ୍ୟନ୍ତ ତଳେ ପଡିରହିବା ପରେ ଲୋକମାନେ କେଳାକୁ ସାପ ମୁଁହରୁ ରକ୍ଷାକରିଥିଲେ । ପରେ ଗୁରୁତର ଅବସ୍ଥାରେ ଥିବା କେଳାକୁ ପ୍ରଥମେ ନିକଟସ୍ଥ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ କେଳାଟିର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାକୁ ବାରଣାସି ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ସାପୁଆ କେଳାଟି ଗୁରୁତର ଅବସ୍ଥାରେ ସେଠାରେ ଚିକିତ୍ସିତ ହେଉଥିବା ବେଳେ ଏପର୍ଯ୍ୟନ୍ତ କେଳାଟିର ପରିଚୟ ମିଳିପାରି ନାହିଁ ।