ସେଲଫି ନେଉଥିବା ବେଳେ ହଠାତ୍ ବେକରେ ଗୁଡ଼ାଇ ହୋଇଗଲା ଅଜଗର, ଅଳ୍ପକେ ବର୍ତ୍ତିଲେ ଫରେଷ୍ଟ ରେଞ୍ଜ ଅଫିସର !

82

ସେଲଫି ନିଶା ଯେ କେତେ ଭୟଙ୍କର ତାହାର ଅନେକ ଉଦାହରଣ ଦେଖିବାକୁ ମିଳିଛି । ଅନେକ ସମୟରେ ସେଲଫି ନେବା ଚକ୍କରରେ ପ୍ରାଣ ହରାଇବାକୁ ମଧ୍ୟ ପଡ଼ିଥାଏ । ଠିକ୍ ଏହିଭଳି ଏକ ଘଟଣା ଏବେ ପଶ୍ଚିମବଙ୍ଗର ଜଲ୍ଲାପାଇଗୁଡ୍ଡିରେ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପଶ୍ଚିମବଙ୍ଗର ବୈକୁଣ୍ଠପୁରର ଫରେଷ୍ଟ ରେଞ୍ଜ ଅଫିସର ସଞ୍ଜୟ ଦତ୍ତ ଗାଁରୁ ଏକ ବଡ଼ ଅଜଗର ସାପ ଧରିଥିଲେ । ୨୦ ଫୁଟର ଅଜଗର ଗାଁ ଦାଣ୍ଡରେ ବୁଲୁଥିବା ଜାଣିବା ପରେ ଏହାକୁ ଧରିଥିଲେ ସଞ୍ଜୟ । ଏତେବଡ଼ ସାପକୁ ଗାଁ ଦାଣ୍ଡରେ ଦେଖି ଆତଙ୍କିତ ହୋଇପଡ଼ିଥିଲେ ଗ୍ରାମବାସୀ । ତେବେ ସାପଟିକୁ ସଞ୍ଜୟ ଧରିବା ପରେ ଫଟୋ ଉଠାଇବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।

ଏପରିକି ରେଞ୍ଜ ଅଫିସର ସଞ୍ଜୟଙ୍କୁ ଅଜଗରକୁ କାନ୍ଧରେ ରଖି ଫଟୋ ଉଠାଇବାକୁ କହିଥିଲେ ଗ୍ରାମବାସୀ । ତେବେ ରେଞ୍ଜ ଅଫିସର ଜଣକ ଫଟୋ ଉଠାଇବାରେ ଏତେ ବ୍ୟସ୍ତ ଥିଲେ ଯେ, ମଝିରେ ତାଙ୍କ ହାତରୁ ଅଜଗରର ମୁଣ୍ଡ ଖସିଯାଇଥିଲା । ତତକ୍ଷଣାତ ଅଜଗର ସାପଟି ରେଞ୍ଜ ଅଫିସରଙ୍କ ବେକରେ ଗୁଡ଼ାଇ ହୋଇଗଲା । ତେବେ କିଛି ଅଘଟଣ ଘଟିବା ପୂର୍ବରୁ କୌଶଳ କ୍ରମେ ସଞ୍ଜୟ ନିଜ ବେକରୁ ଅଜଗରକୁ କାଢ଼ିବାରେ ସଫଳ ହୋଇଥିଲେ । ତେବେ ଅଜଗର ଆକ୍ରମଣରୁ ଅଳ୍ପକେ ବଞ୍ଚିଥିଲେ ସଞ୍ଜୟ । ଏହାପୂର୍ବରୁ ସାପ ସହ ସେଲିଫି ନେବାର ନିଶା ଯୋଗୁଁ ଅନେକଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି ।