ଷଡ଼ଯନ୍ତ୍ରକୁ ୪ ବର୍ଷ : ସହୀଦନଗରରୁ ନବୀନ ନିବାସ ଯାଏଁ ଚିତ୍ରର ଫ୍ଲାସବ୍ୟାକ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଷଡଯନ୍ତ୍ରକୁ ଚାରି ବର୍ଷ । ଆଜିକୁ ୪ ବର୍ଷ ତଳେ ମେ ୨୯ ତାରିଖରେ ଓଡିଶାର ରାଜନୈତିକ ଇତିହାସରେ ଏକ ବଡ ଧରଣର ହଲଚଲ ହୋଇଥିଲା । କୁହାଗଲା, ସରକାର ଅପହରଣ କରିନେବାକୁ ଚେଷ୍ଟା କରିଥିଲେ ପ୍ୟାରୀ । ସେପଟେ ଚାଲିଥିଲା ପ୍ୟାରୀଙ୍କ ଘରେ ବୈଠକ ଏପଟେ ନବୀନ ନିବାସରେ ଚାଲିଲା ମୁକାବିଲାର ରଣନୀତି । ତାପରେ କଣ ଘଟିଲା ତାହା ସମସ୍ତେ ଜାଣନ୍ତି କିନ୍ତୁ ପ୍ରକୃତରେ ସେ ଦିନ ପ୍ୟାରୀଙ୍କ ଘରେ କଣ ଚାଲିଥିଲା ତାହା ଏବେବି ସବୁଠାରୁ ବଡ ରହସ୍ୟ ।

ଠିକ ପରଦିନ ମୁହଁ ଖୋଲିଥିଲେ ପ୍ୟାରୀମୋହନ ମହାପାତ୍ର । ମିଡ ନାଇଟ ଅପରେସନ ବାବଦରେ ରଖିଥିଲେ ପ୍ରତିକ୍ରିୟା । ପ୍ୟାରୀ କହିଥିଲେ, ବିଦ୍ରୋହ କଥା ମିଛ । ଦଳରେ ବିଭାଜନ ହେବନାହିଁ । ହେଲେ ଭବିଷ୍ୟତରେ କିନ୍ତୁ କଣ ହେବ କହିହେବ ନାହିଁ । କୁଚକ୍ରୀ ଗୋଷ୍ଠୀ ନବୀନଙ୍କୁ ଘେରି ରହିଛନ୍ତି ।

ତେବେ ୧ ଜୁନରେ ନବୀନ ଦେଖାଇଥିଲେ ଦମ । ପ୍ୟରୀ ମୋହନ ମହାପାତ୍ରଙ୍କୁ ଦଳରୁ ସସପେଣ୍ଡ କଲେ ନବୀନ । ଏଥିସହ ମନ୍ତ୍ରୀ ଅଂଜଳୀ ବେହେରା, ସଂଜୀବ ସାହୁଙ୍କୁ ବରଖାସ୍ତ କରିବା ସହ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଭୁତି ବଳବନ୍ତରାୟଙ୍କୁ ନିଲମ୍ବିତ କଲେ ।

ଏହାପରେ ବି ପ୍ୟାରୀ ଚୁପ ବସିନଥିଲେ । ଦଳରୁ ନିଲମ୍ବିତ ହେବା ପରେ ନାଲିଆଖି ଦେଖାଇ କହିଥିଲେ, ମୁଁ ଚୁପ ବସିବା ଲୋକ ନୁହଁ । ନବୀନଙ୍କୁ ଇଙ୍ଗିତ କରି କହିଥିଲେ, ଭସ୍ମାସୁରକୁ ସୃଷ୍ଟି କରି ଭୁଲ କରିଛି । ଦଳକୁ ମୁଁ ଗଢିଥିଲେ ନବୀନ ନୁହେଁ । ହେଲେ କେଉଁଠି ନା କେଉଁଠି ଏହି ସମୟ ବେଳକୁ ପ୍ୟାରୀ ବୁଝିସାରିଥିଲେ, କ୍ଷମତା ହରଣ ରାଜନୀତିରେ ତାଙ୍କ ମନ୍ତ୍ରଣା ବିଫଳ ହୋଇଥିଲା ।

ନବୀନ ପୁରା ଏପିସୋଡକୁ ଦେଇଥିଲେ ମିଡ ନାଇଟ ଅପରେସନର ନାଁ । ଦଳର ନେତା ମନ୍ତ୍ରୀଙ୍କ ଉଦେଶ୍ୟରେ କହିଥିଲେ, ଓଡିଶାବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି, ପ୍ୟାରୀ ବାବୁ ନୁହେଁ । ଏପରିକି ଗାଦିଚ୍ୟୁତ ଉଦ୍ୟମ ହୋଇଥିବା କଥା ବି ନବୀନ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଥିଲେ । ଆଉ ଏହାରି ଭିତରେ ଘଟଣାକୁ ପୁରିଛି ୪ ବର୍ଷ । ହେଲେ ୨୯ ମେ ୨୦୧୨ରେ ପ୍ରକୃତରେ କଣ ଘଟିଥିଲା, ତାହା ଏବେ ବି ସନ୍ଦେହରେ ।