ସରିଲା ପ୍ୟାରୀଙ୍କ ଜମାନା

93

ରାଜ୍ୟସଭାରୁ ୫୭ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ । ଓଡିଶାର ତିନି ସାଂସଦଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ପ୍ୟାରୀଙ୍କ ଉପରେ ସମସ୍ତଙ୍କ ନଜର ପଡିଛି । ଏବେ ତାଙ୍କ ରାଜନୈତିକ ଭବିଷ୍ୟତ କଣ । କେତେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥାଇପାରେ ରାଜ୍ୟ ରାଜନୀତିରେ ତାଙ୍କର ସ୍ଥାନ ଏବେ କେଉଁଠି । ଅବସର ପରେ କଣ ହେବ ତାଙ୍କ ଭାଗ୍ୟ ଓ ଭବିଷ୍ୟତ । ବିଜେଡିରୁ ଛିଣ୍ଡି ସାରିଛି ସଂପର୍କର ଡୋରି । ଓଡିଶା ଜନମୋର୍ଚ୍ଚାର ବର୍ତମାନ ମଧ୍ୟ ଅନ୍ଧାରରେ । ଏଭଳି ସ୍ଥିତିରେ ପ୍ୟାରୀଙ୍କ ଅବସରକୁ ନେଇ ଆରମ୍ଭ ହୋଇଛି ଆକଳନ ଓ ଅନୁମାନ । ଏହାକୁ ନେଇ ଦେଖିବା ସ୍ପେଶାଲ ରିପୋର୍ଟ “ସରିଲା ପ୍ୟାରୀଙ୍କ ଜମାନା”।

ରାଜ୍ୟସଭାରୁ ବିଦାୟ ନେଉଥିବା ସାଂସଦଙ୍କୁ ମୋଦି ଶୁଭକାମନା ଜଣାଉଥିଲେ । ଜୁନରେ ରାଜ୍ୟସଭାର ୫୭ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ବହୁ ସାଂସଦ ଜାଣି ନାହାନ୍ତି ମୌସୁମୀ ଅଧିବେଶନ ପୂର୍ବରୁ ସଂସଦଙ୍କୁ ଫେରି ପାରିବେ କି ନାହିଁ । ଜୁଲାଇ ପହିଲାରୁ ଓଡିଶାର ତିନି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ସରୁଛି । ସେମାନେ ହେଲେ ସାଂସଦ ଭୂପିନ୍ଦର ସିଂହ, ପ୍ୟାରିମୋହନ ମହାପାତ୍ର ଓ ବୈଷ୍ଣବ ପରିଡା । ଜୁନରେ ଟର୍ମ ଶେଷ ହେବା ସହ ପ୍ୟାରୀଙ୍କ ସମୟ ବି ସରିବାକୁ ଯାଉଛି । ଏକଦା ବିଜେଡିର ହର୍ତାକର୍ତା ବୋଲାଉଥିବା ପ୍ୟାରୀ । ଜୁଲାଇ ପହିଲାରୁ ହୋଇଯିବେ କ୍ଷମତାହୀନ । ବିଦାୟୀ ଭାଷଣରେ ପ୍ୟାରୀ ମୋହନ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ ।

Pyari Mohapatraସାଂସଦ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପ୍ୟାରୀଙ୍କ ରାଜନୈତିକ ଭବିଷ୍ୟତ କଣ । ସୁତା ଥାନରୁ ଛିନ୍ନ ଗୁଡି ଭଳି ସେ କେତେ କାଳ ହାୱା ସାହାରାରେ ଆକାଶରେ ଉଡିବେ । ଏ ପ୍ରଶ୍ନର ଉତର ହୁଏତ ଆପଣଙ୍କ ପାଖରେ ଥାଇପାରେ । ଏମିତି ବି ବିଜେଡିରୁ ତଡା ଖାଇବା ପରେ ପ୍ୟାରୀଙ୍କ ପାଖରେ କେବଳ ପଦବୀ ଥିଲା । ପ୍ରଭୁତ୍ୱର ଚିହ୍ନବର୍ଣ୍ଣ କେବଠୁ ହଜି ସାରିଥିଲା । ଏବେ ପୁଣି ଥରେ ରାଜ୍ୟସଭା ଯିବା ତାଙ୍କ ପାଇଁ ଏକପ୍ରକାର ଅସମ୍ଭବ । ଅଳ୍ପ ସମୟ ପାଇଁ ଯଦି କ୍ରିକେଟ ଓ ରାଜନୀତିର ସବୁ କିଛି ସମ୍ଭବ ବାଣୀକୁ ଭୁଲିଯିବା, ତେବେ ବୁଝିବା ସୁବିଧା ହେବ । ନିଜେ ଗଢିଥିବା ଓଡିଶା ଜନମୋର୍ଚ୍ଚାକୁ କେତେ ଯେ ଜନସମର୍ଥନ ତାହା କାହାକୁ ଅଜଣା ନାହିଁ । ସ୍ଥିତି ଏମିତି ଯେ ରାଜ୍ୟ ରାଜନୀତିରେ ରହିବାକୁ ତାଙ୍କୁ ସଂଘର୍ଷ କରିବାକୁ ପଡିବ । ପାୱାର କରିଡରରେ ପାୱାର ଫୁଲ୍ ହେବାକୁ ରାଜନୀତିର ଏହି ଚାଣକ୍ୟଙ୍କୁ କରିବାକୁ ପଡ଼ିବ ଜି ତୋଡ଼ ମେହେନତ୍ ।

ପ୍ୟାରୀ ମହାପାତ୍ର । ଏକଦା ରାଜ୍ୟ ରାଜନୀତିର ସୂତ୍ରଧର । ବିଜେଡି ସଫଳତା ପଛର ନେପଥ୍ୟ ନାୟକ । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶ ଦାତା ତଥା ବିଜେଡି ଚାଣକ୍ୟ । ହେଲେ ୨୦୧୨ ମେ ୨୯ ମିଡ ନାଇଟ ଅପରେସନ ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହେଲା । ପ୍ୟାରୀ ପ୍ରଶାସନିକ ଅଧିକାରୀ ଭାବେ ଚାକିରୀ ଆରମ୍ଭ କରିଥିଲେ । ପରେ ରାଜନୀତିରେ ଯୋଗ ଦେଇ, ମୁଖ୍ୟମନ୍ତ୍ରୀ ନବୀନଙ୍କ ପରାମର୍ଶ ଦାତା ସାଜିଥିଲେ । ପ୍ରଶାସନିକ ଅଧିକାରୀରୁ, ରାଜନୈତିକ ପରାମର୍ଶଦାତା, ସାଂସଦ ଯାଏଁ ଜାବନଯାତ୍ରା । ତେବେ ବିଜେଡ଼ି ସୁପ୍ରିମୋଙ୍କ ଅନୁପସ୍ଥିତିରେ କ୍ଷମତା ହାତେଇବାକୁ ଉଦ୍ୟମ କରି ସେ ଦଳରୁ ବିଦା ହେଲେ ।

naveen & pyariପ୍ୟାରୀ ମୋହନ ମହାପାତ୍ର । ବିଜେଡିର ଜଣେ ଶକ୍ତିଶାଳୀ ନେତା ଭାବେ କାମ କରୁଥିଲେ । ପ୍ୟାରୀଙ୍କ ବିନା ପରାମର୍ଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୌଣସି ନିଷ୍ପତି ନେଉନଥିଲେ । ପ୍ରଶାସନିକ ଅଧିକାରୀ ଭାବେ ଅବସର ନେଇ ରାଜନୀତିରେ ପଶି ଥିବାରୁ ତାଙ୍କ ପାଖରେ ଥିଲା ପ୍ରଚୁର ଅଭିଜ୍ଞତା । ନବୀନଙ୍କ ପରାମର୍ଶ ଦାତା ସାଜି ଅଭିଜ୍ଞତା ଓ ପ୍ରଖର ବୁଦ୍ଧି ବଳରେ ସେ ଜଟିଳ ସମସ୍ୟାର ସରଳ ସମାଧାନ କରିପାରୁଥିଲେ । ଅଭିଯୋଗ ହୁଏ ସେ ଉପଦେଷ୍ଟା ବଦଳରେ ସେ କ୍ଷମତାସୀନ ହେବାକୁ ଚାହିଁଲେ । ମେ’ ୨୯, ୨୦୧୨ । ମଧ୍ୟ ରାତ୍ରିରେ ସାଂସଦ ପ୍ୟାରୀଙ୍କ ସହିଦନଗର ସ୍ଥିତ ବାସଭବନ ଆଗରେ ଗହଳ ଚହଳ । ବିଜେଡି ସୁପ୍ରିମୋ ଥାଆନ୍ତି ବିଦେଶ ଗସ୍ତରେ । ତାଙ୍କ ପରାମର୍ଶଦାତାଙ୍କ ଘରେ ଚାଲିଥାଏ ଗୋପନ ମନ୍ତ୍ରଣା । ଜଣକ ପରେ ଜଣେ ବିଧାୟକ ଭେଟୁଥାନ୍ତି ପ୍ୟାରୀଙ୍କୁ । ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ । କ’ଣ ହେବାକୁ ଯାଉଛି ତାହା ଥିଲା ସମସ୍ତଙ୍କ କଳ୍ପନାର ବାହାରେ । ଖବର ପାଇ ସମାନ୍ତରଳ ଭାବେ ନବୀନ ନିବାସରେ ନବୀନଙ୍କ ସମର୍ଥକଙ୍କ ବୈଠକ ହୁଏ । ଦଳ ମୁଖିଆଙ୍କୁ ଖବର ଦିଆଯାଏ । ବିଦେଶ ଗସ୍ତ ଅଧାରୁ ଛାଡି ଓଡିଶା ଉଡି ଆସନ୍ତି ନବୀନ ପଟ୍ଟନାୟକ । ଦୀର୍ଘ ୧୨ ବର୍ଷର ଦୁଇ ବିରଳ ବନ୍ଧୁଙ୍କ ବିଚ୍ଛେଦ ହୁଏ । ଦଳରୁ ପ୍ୟାରୀଙ୍କୁ ବହିଷ୍କାର କରାଯାଏ । ବିଜେଡିର ମଙ୍ଗ ଧରିବାକୁ ପ୍ରସ୍ତୁତ ହେଲେ ନବୀନ, ଆଉ ତଥାକଥିତ ଚାଣକ୍ୟ ବି ନବୀନଙ୍କୁ ଧ୍ୱଂସ କରିବା ପାଇଁ ଗଠନ କଲେ ଓଡିଶା ଜନମୋର୍ଚ୍ଚା । ହେଲେ ବିଜେଡ଼ି ମ୍ୟାଜିକ୍ ଆଗରେ ଫଳପ୍ରଦ ହେଲା ନାହିଁ ଜନମୋର୍ଚ୍ଚାର କ୍ରେଜ୍ । ଏକଦା ରାଜ୍ୟର ମୋଷ୍ଟ ପାୱାରଫୁଲ୍ ଥିବା ପ୍ୟାରୀ ହରାଇଲେ କ୍ଷମତା ।

ନିଜ ଢୋଲ ନିଜେ ପିଟିବା । ଏହି ଫର୍ମୁଲା ରାଜନୀତିରେ ଚଳେ, ଚାଲିଛି, ଆଗକୁ ବି ଚଳିବ । ଓଡିଶାରେ ଦୁଇ ଜାତୀୟ ଦଳଙ୍କ ସ୍ଥିତି ଦେଖିଲେ, ପ୍ୟାରୀଙ୍କୁ ଏହି ସରଳ ସୂତ୍ର ସହାୟ ହେବ ଏଭଳି ମନେ ହେଉନି । ମୋଟାମୋଟି କହିବାକୁ ଗଲେ ତାଙ୍କ ସମୟ ସରିଛି । ଇତିହାସରେ ଚାଣକ୍ୟଙ୍କ ଅନ୍ତର୍ଧାନ ଯେମିତି ରହସ୍ୟମୟ । ଠିକ୍ ସେମିତି ରାଜ୍ୟ ରାଜନୀତିର ଚାଣକ୍ୟ ରାଜନୀତିରେ ଥାଇ ବି ଅଦୃଶ୍ୟ ହୋଇଯିବା ମଧ୍ୟ ସମ୍ଭବ ।