ପରଲୋକରେ ପ୍ୟାରୀ, ଚାଲିଗଲେ ଚାଣକ୍ୟ

43

କନକ ବ୍ୟୁରୋ : ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର । ୭୭ ବର୍ଷ ବୟସରେ ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ମାସ ଧରି କ୍ୟାନସର ରୋଗରେ ପୀଡିତ ଥିଲେ ପ୍ୟାରୀମୋହନ । ଓଡିଶା ଜନମୋର୍ଚ୍ଚା ପକ୍ଷରୁ ପ୍ୟାରୀମୋହନଙ୍କ ଦେହାନ୍ତ ନେଇ ସୂଚନା ଦିଆଯାଇଛି । ଦୀର୍ଘ ଦିନ ଧରି ହିନ୍ଦୁଜା ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ ହଠାତ ଗତ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଲା ଆଉ ତୁରନ୍ତ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ତେବେ ଡାକ୍ତରୀ ଟିମଙ୍କ ଶତ ଚେଷ୍ଟା ପରେ ବି ପ୍ୟାରୀମୋହନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଓଡିଶା ରାଜନୀତିରେ ଚାଣକ୍ୟ ଭାବେ ଜଣାଶୁଣା ଥିଲେ ପ୍ୟାରୀମୋହନ । ପ୍ରଥମେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଆଉ ପରେ ରାଜନୀତିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସେ ତିଆରି କରିଥିଲେ । ଏପରିକି ଓଡିଶା ଶାସନକୁ ନିଜ ନିୟନ୍ତ୍ରଣରେ ରଖିବା ସହ ବିଜୁ ଜନତା ଦଳକୁ ସଫଳତାର ଶୀର୍ଷରେ ପହଂଚାଇବା ପଛରେ ତାଙ୍କର ଅବଦାନ ଯଥେଷ୍ଟ ଅଧିକ ଥିବା ଚର୍ଚ୍ଚାହୁଏ ।

ଜାନୁୟାରୀ ୨୫, ୧୯୪୦ରେ ଜନ୍ମ ହୋଇଥିଲେ ପ୍ୟାରୀମୋହନ । ଜଣେ ପ୍ରଶାସନିକ ଅଧିକାରୀ ଭାବେ ବୃତ୍ତିଗତ ଜୀବନ ସେ ଆରମ୍ଭ କରିଥିଲେ । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡିଶା ସରକାରଙ୍କ ପ୍ରିନସିପାଲ ସେକ୍ରେଟେରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଚାକିରିରୁ ଅବସର ନେବାପରେ ନବୀନଙ୍କ ପରାମର୍ଶଦାତା ଆଉ ବିଜୁ ଜନତା ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ଉଭା ହୋଇଥିଲେ । ପରେ ମେ ୨୯ ବହୁ ଚର୍ଚ୍ଚିତ ମିଡ ନାଇଟ ଅପରେସନ ଅଭିଯୋଗରେ ସେ ଦଳରୁ ବହିଷ୍କୃତ ହୋଇଥିଲେ ଆଉ ପରେ ନିଜର ଏକ ଦଳ ଓଡିଶା ଜନମୋର୍ଚ୍ଚା ଗଠନ କରିଥିଲେ ପ୍ୟରୀମୋହନ ।