ରାଜନୀତିରେ ନୂଆ ଚେହେରା ! ଓଡିଶା ଜନମୋର୍ଚ୍ଚାର କମାଣ ସମ୍ଭାଳିଲେ ସ୍ୱର୍ଗତ ପ୍ୟାରୀବାବୁଙ୍କ ଝିଅ ସିକ୍ତା ମହାପାତ୍ର

36

କନକ ବ୍ୟୁରୋ : ଓଡିଶା ରାଜନୀତିରେ ନୂଆ ଚେହେରା । ରାଜନୀତିକୁ ଆସିଲେ ସ୍ୱର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ମହାପାତ୍ର । ଓଡିଶା ଜନମୋର୍ଚ୍ଚା ମହାସଚିବ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏଣିକି ଓଜେଏମର କମାଣ ସମ୍ଭାଳିବେ ସିକ୍ତା ମହାପାତ୍ର । ପ୍ୟାରୀମୋହନଙ୍କ ମୃତ୍ୟୁ ପରେ ଓଜେଏମ୍ ଦାୟିତ୍ୱ କିଏ ନେବ ତାକୁ ନେଇ ଚର୍ଚା ଚାଲିଥିଲା । ଅତିଶୀଘ୍ର ଦଳୀୟ ବୈଠକ ବସି ଦଳର ମୁଖ୍ୟ ସ୍ଥିର କରାଯିବ ବୋଲି ଓଜେଏମ୍ ନେତା ସୂଚନା ଦେଇଥିଲେ ।

ଆଜି ପ୍ୟାରୀମୋହନଙ୍କ ବଡ ଝିଅ ସିକ୍ତା ମହାପାତ୍ରଙ୍କୁ ଦଳର ମହାସଚିବ ଭାବେ ନିଯୁକ୍ତି ମିଳିଛି । ସିକ୍ତାଙ୍କ ନେତୃତ୍ୱରେ ଏବେ ଦଳ ସଂଗଠିତ ହେବ । ସିକ୍ତା ୟୁନିସେଫର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିଲେ । ପାଂଚଟି ରାଜ୍ୟରେ କାର୍ଯ୍ୟ କରୁଥିଲେ । ସେ ପ୍ରତ୍ୟକ୍ଷ ରାଜନୀତିରେ ନଥିଲେ । ହେଲେ ବାପା ପ୍ୟାରୀବାବୁଙ୍କ ସହ ସବୁ ସମୟରେ ରହୁଥିଲେ ବୋଲି କହୁଛନ୍ତି ସିକ୍ତା । ସେ ଜାଭିୟର ଇନଷ୍ଟିଚ୍ୟୁଟରୁ ମ୍ୟାନେଜମେଂଟରେ ଡିଗ୍ରୀ ହାସଲ କରିଛନ୍ତି ।