ଆଣ୍ଠେଇବା ମାମଲାରେ ପ୍ରତିକିୟା ରଖିଲେ ମହିଳା ହୋମଗାର୍ଡ : ନୟାଗଡ଼ରେ ରାସ୍ତା ଉପରେ ଛାତ୍ରଙ୍କୁ ଆଣ୍ଠେଇଲେ ଶିକ୍ଷକ

38

କନକ ବ୍ୟୁରୋ : ଶୃଙ୍ଖଳିତ କରିବାକୁ ସମ୍ମାନ ହାନୀ ହେଲା ଭଳି ଦଣ୍ଡ । କେଉଁଠି ତଳିଆ କର୍ମଚାରୀଙ୍କୁ ଆଣ୍ଠେଇ ଦେଉଛନ୍ତି ବଡବାବୁ, ତ ପୁଣି କେଉଁଠି ଛାତ୍ରଙ୍କୁ ରାଜରାସ୍ତାରେ ଆଣ୍ଠେଇ ଦେଉଛନ୍ତି ଶିକ୍ଷକ । ବାରିପଦା ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ମହିଳା ହୋମଗାର୍ଡ । କ୍ୟାମେରା ସାମ୍ନାରେ କହିଛନ୍ତି ସମସ୍ତଙ୍କ ସାମ୍ନାରେ ଏମିତି ଆଣ୍ଠେଇ ଦେବା ଫଳରେ ଖୁବ୍ ଲାଜ ଲାଗୁଛି । ସେପଟେ ନୟାଗଡରେ ଛାତ୍ରଙ୍କୁ ଆଣ୍ଠେଇବା ଘଟଣାରେ ଛାନଭିନ୍ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ସର୍ବସାଧାରଣରେ ବଡ଼ବାବୁ ଆଣ୍ଠେଇଦେବା ଫଳରେ ସମ୍ମାନ ହାନୀ ହୋଇଥିବା ଅଭିଯୋଗ କରିଛନ୍ତି ମହିଳା ହୋମଗାର୍ଡ । ଗତ ୧୪ ତାରିଖରେ ମୟୁରଭଞ୍ଜ ଜିଲ୍ଲା ଭଞ୍ଜପୁର ହୋମଗାର୍ଡ କମାଣ୍ଡାଂଟଙ୍କ କାର୍ଯ୍ୟାଳୟ ସାମ୍ନାରେ ୪ଜଣଙ୍କୁ ଆଣ୍ଠେଇ ଦେଇଥିଲେ ରିଜର୍ଭ ଇନସ୍ପେକ୍ଟର । ଠିକରେ ୟୁନିଫର୍ମ ପିନ୍ଧିନଥିବାରୁ ଦେଇଥିଲେ ପନିସମେଂଟ । ହେଲେ ବିଳମ୍ବରେ ପହଂଚିଥିବାରୁ ବଡବାବୁ ଏଭଳି କଡ଼ା ପନିସମେଂଟ ଦେଲେ ବୋଲି କ୍ୟାମେରା ସାମ୍ନାରେ କହିଛନ୍ତି ମହିଳା ହୋମଗାର୍ଡ ଜଣକ ।

ନୟାଗଡ ପାଣ୍ଡୁସର ନିକଟ ଜାତୀୟ ରାଜପଥ କଡ଼ରେ ଆଣ୍ଠେଇଛନ୍ତି ତିନିଜଣ ଛାତ୍ର । ଲର୍ଡ ଜଗନ୍ନାଥ ଟ୍ୟୁଟୋରିଆଲର ଏମାନେ ନବମ ଶ୍ରେଣୀ ଛାତ୍ର । ପରସ୍ପର ଭିତରେ ଝଗଡ଼ା ଓ ମାରପିଟ କରିବା ପରେ ଏଭଳି ଦଣ୍ଡ ଦେଇଛନ୍ତି ଟ୍ୟୁଟୋରିଆଲର ଶିକ୍ଷକ ଗୋବିନ୍ଦ ପରିଡା । ଅବାଧ୍ୟ ହେବାରୁ ସାବାଡ଼ କରିବାକୁ ଏଭଳି ଦଣ୍ଡ ଦେଇଥିବା ସ୍ୱୀକାର କରିଛନ୍ତି ଶିକ୍ଷକ ଜଣକ ।

ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିଛନ୍ତି ସରକାର । ତେଣୁ ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ସର୍ବଶିକ୍ଷା ଅଭିଯାନ ଅଧିକାରୀ ଘଟଣାର ଛାନଭିନ୍ କରିଛନ୍ତି ।

ବିଶୃଙ୍ଖଳା ନାଁରେ କେଉଁଠି ତଳିଆ କର୍ମଚାରୀଙ୍କୁ ଆଣ୍ଠେଇ ଦେଉଛନ୍ତି ବଡ଼ବାବୁ ତ ପୁଣି କେଉଁଠି ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଟ୍ୟୁସନ ଶିକ୍ଷକ । ହେଲେ ସମ୍ମାନହାନୀ ହେଲା ଭଳି ପଦକ୍ଷେପ ନେବାଲାଗି ଏମାନଙ୍କୁ ଅଧିକାର ଦେଲା କିଏ, ତାହା ହିଁ ସବୁଠାରୁ ବଡ ପ୍ରଶ୍ନ ।

ଦେଖନ୍ତୁ ଏହି ଭିଡ଼ିଓ –