ବାଇଗଣୀ ରଙ୍ଗର ହେବ ନୂଆ ୧୦୦ ଟଙ୍କିଆ ନୋଟ୍ : ଆସନ୍ତା ମାସରେ ନୂଆ ନୋଟ୍ ଜାରି କରିପାରେ ଆରବିଆଇ

32

ରିଜର୍ଭ ବ୍ୟାଙ୍କ ଖୁବ ଶୀଘ୍ର ବଜାରକୁ ୧୦୦ ଟଙ୍କିଆ ନୋଟ୍ ଜାରି କରିବ । ନୂଆ ନୋଟର ରଙ୍ଗ ବାଇଗଣୀ ହେବ ବୋଲି ଜଣାପଡ଼ିଛି । ଆକରରେ ଏହା ପୁରୁଣା ୧୦୦ ଟଙ୍କିଆ ନୋଟ ଠାରୁ ଛୋଟ ଓ ୧୦ ଟଙ୍କିଆ ନୋଟରୁ ସାମାନ୍ୟ ବଡ଼ ହେବ । ତେବେ ସୂଚନା ଅନୁସାରେ ନୂଆ ନୋଟ୍ ବଜାରକୁ ଆସିବା ପରେ ମଧ୍ୟ ପୁରୁଣା ନୋଟର ପ୍ରଚଳନ ବନ୍ଦ ହେବ ନାହିଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୦୦ଟଙ୍କିଆ ନୋଟ ଛପା ଆରମ୍ଭ କରି ଦେଇଛି । ପୂର୍ବରୁ ଆରବିଆଇ ନୂଆ ୧୦, ୫୦,୨୦୦, ୫୦୦ ଓ ୨୦୦୦ଟଙ୍କିଆ ନୋଟ ବଜାରରେ ଜାରି କରିଥିଲା । ୧୦୦ଟଙ୍କିଆ ନୋଟ୍ ଛପା ବିଏନ୍ପିରେ ଆରମ୍ଭ ହୋଇଯାଇଛି। ଏହି ପ୍ରେସରେ ନୂଆ ୫୦୦ ଓ ୨୦୦୦ଟଙ୍କିଆ ନୋଟ ବି ଛପା ଯାଇଥିଲା । କୁହାଯାଉଛି କି, ଅଗଷ୍ଟ ଶେଷ ସପ୍ତାହ ବେଳକୁ ଏହି ନୋଟ ବଜାରକୁ ଆସି ଯାଇଥିବ। ନୂଆ ୧୦୦ଟଙ୍କିଆ ନୋଟର ବିଶେଷତ୍ୱ ହେଉଛି, ହୋସଙ୍ଗବାଦର ସିକ୍ୟୁରିଟି ପେପର ମିଲର ସ୍ୱଦେଶୀ ପେପର ଓ କାଳିରେ ଛପା ଯିବ ।

ନୂଆ ନୋଟରେ ସାମାନ୍ୟ ସୁରକ୍ଷା ଫିଚର ସହ ପାଖାପାଖି ଏକ ଡ଼ର୍ଜନ ସୂକ୍ଷ୍ମ ସୁରକ୍ଷା ଫିଚର ମଧ୍ୟ ଯୋଡ଼ାଯାଇଛି । ଏହାକୁ କେବଳ ଅତି ବାଇଗଣୀ ରଶ୍ମୀରେ ହିଁ ଦେଖିହେବ । ଉଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ଅଚଳ ବୋଲି ଘୋଷଣା କରିଥିଲେ । ଏହାପରେ ରିଜର୍ଭ ବ୍ୟାଙ୍କ ୨୦୦୦ ଓ ୫୦୦ଟଙ୍କିଆ ନୂଆ ନୋଟ ବଜାର ପ୍ରବେଶ କରାଇଥିଲା ।  ରିଜର୍ଭ ବ୍ୟାଙ୍କ ଏଯାବତ୍ ନୂଆ ୧୦, ୨୦. ୫୦, ୨୦୦, ୫୦୦ ଓ ୨୦୦୦ଟଙ୍କିଆ ନୂଆ ନୋଟ ଜାରି କରିଛି । କେବଳ ୧୦୦ଟଙ୍କିଆ ନୋଟ ପୁରୁଣା ଥିଲା । ଗତ ବର୍ଷ ଅଗଷ୍ଟରେ ଆରବିଆଇ ନୂଆ ୨୦୦ଟଙ୍କିଆ ନୋଟ ଜାରି କରିଥିଲା ।