ପୁଣି ପୁରୀରେ କୂଳ ଲଂଘିଲା ସମୁଦ୍ର । ବଡ ଜୁଆରରେ ଭାସିଗଲା ଉଠାଦୋକାନ, ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ଭୟଭୀତ

38

କନକ ବ୍ୟୁରୋ: ପୁଣି କୂଳ ଲଂଘିଲା ସମୁଦ୍ର । ପୁରୀ ବେଳାଭୂମିରେ ଗତ ୫-୬ ଦିନ ହେଲା ବାରମ୍ବାର କୂଳ ଲଙ୍ଘୁଥିବା ସମୁଦ୍ର ପୁଣି ଅଶାନ୍ତ ହୋଇ ଉଠିଛି । ଗତକାଲି ରାତିରେ ସ୍ୱର୍ଗଦ୍ୱାର ସମ୍ମୁଖରେ ପୁଣି କୂଳ ଲଙ୍ଘିବା ସହ ୭-୮ ଫୁଟ ବେଳାଭୂମି ସମୁଦ୍ର ଗର୍ଭକୁ ଟାଣି ନେଇଛି ।

ପୂର୍ବାପେକ୍ଷା  ଆହୁରି ଭୟଙ୍କର ରୂପ ଧାରଣ କଲା ସମୁଦ୍ର । ଗତକାଲି ରାତିରେ ସମୂଦ୍ରରେ ଆସିଥିବା ଉତାଳ ଜୁଆର ଓ ଢେଉ ୩ ରୁ ୪ଟି ଦୋକାନକୁ ଭସାଇ ନେଇଛି । ଉଠାଦୋକାନୀ ମାନେ ନିଜ ଦୋକାନ ଓ ଆସବାବପତ୍ର ନେଇ ରାସ୍ତା ଉପରକୁ ଉଠିଯାଇଛନ୍ତି । ରାସ୍ତା ଉପରେ ବି ପାଣିମାଡ ହେଉଥିବା ଦେଖିବାକୁ ମିଳିଛି । ସ୍ୱର୍ଗଦ୍ୱାର ସମ୍ମୁଖରେ ସମୂଦ୍ର କୂଳ ଲଂଘିବା ଫଳରେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି ।

ଗତକାଲି ପ୍ରଶାସନିକ ଅଧିକାରୀଙ୍କ ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଆଜି ଦିଲ୍ଲୀରୁ ଏକ ବଶେଷଜ୍ଞ ଟିମ୍ ପୁରୀ ବେଳାଭୂମିର ସ୍ଥିତି ପରଖିବାକୁ ଆସୁଛନ୍ତି । କଣ ପ୍ରତିକାର ବ୍ୟବସ୍ଥା କରାଯାଇ ପାରିବ ସେ ନେଇ ବିଶେଷଜ୍ଞ ଦଳ ରିପୋର୍ଟ ଦେବା ପରେ ସେହି ଅନୁସାରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।