ମଝିରାତିରେ ଫିଟିଲା ଶ୍ରୀମନ୍ଦିର ଦ୍ୱାର ! ଗ୍ରହଣ ଯୋଗୁଁ ସଅଳ ଚାଲିଛି ଦେବନୀତି

43

କନକ ବ୍ୟୁରୋ : ମଝିରାତିରେ ଖୋଲିଲା ଶ୍ରୀମନ୍ଦିର । ଆଜି ଚନ୍ଦ୍ରଗ୍ରହଣ ପଡୁଥିବାରୁ ସଅଳ ସମସ୍ତ ଦେବନୀତି ସାରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଗତରାତିରେ ୯ଟା ୨୫ରେ ପହଡ଼ ହୋଇଥିବା ବେଳେ ରାତି ୧୨ଟା ୨୦ରେ ଶ୍ରୀମନ୍ଦିର ଦ୍ୱାରା ଫିଟିଛି । ବଳଭଦ୍ରଙ୍କ ଜନ୍ମତିଥିରେ ରାହୁଗ୍ରସ୍ତ ଚନ୍ଦ୍ରଗହଣ ଯୋଗ ରହିଛି । ସେଥିପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଛି । ପୂର୍ବ ନିର୍ଦ୍ଧାରିତ ନୀତି ଅନୁସାରେ ଠିକ୍ ରାତି ୧୨ଟା ୨୦ ମିନିଟରେ ଦ୍ୱାରା ଫିଟିଥିଲା । ପରେ ଭିତରଶୋଧ, ମଙ୍ଗଳ ଆଳତି ହୋଇଥିଲା । ଏହାପରେ ମଇଲମ, ଅବକାଶ, ରୋଷହୋମ ଆଦି ନୀତିକାନ୍ତି ହୋଇଥିଲା ।

ସେହିପରି ଆଜି ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମନୀତି ପାଳନ ହେଉଛି । ସକାଳ ୫ଟା ବେଳେ ଯାତ୍ରାଙ୍ଗୀ ମହାସ୍ନାନ ହେବା ପରେ ୫ଟା ୪୫ରେ ନୂଆ ଲୁଗା ଲାଗି, ୬ଟାରେ ଅଳଙ୍କାର ଲାଗି, ରାକ୍ଷୀ ଗୁଆମାଳି ଲାଗି ବେଶ ହୋଇଛି । ଆଜି ଦିନ ଗୋଟିଏ ୫୨ ମିନିଟରେ ପାକ ତ୍ୟାଗ ରହିଥିବା ବେଳେ ୧୨ଟା ୪୮ ମିନିଟରେ ସର୍ବମୋକ୍ଷ ରହିଛି । ୧୨ଟା ୪୮ ମିନିଟ୍ ପରେ ଯାଇ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ । ଗ୍ରହଣ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ବ୍ୟାପକ ବ୍ୟବସ୍ଥା ସବୁ କରାଯାଇଛି ।