ଉପବାସରେ ମହାପ୍ରଭୂ ! ଶ୍ରୀମନ୍ଦିରରେ ନୀତି ବନ୍ଦ, ପ୍ରଶାସନ-ସେବାୟତ ଆଲୋଚନା ବିଫଳ ।

207

କନକ ବ୍ୟୁରୋ : ଉପବାସରେ ମହାପ୍ରଭୁ । ଏଯାଏଁ ଖୋଲିନି ଶ୍ରୀମନ୍ଦିର । ପୁରୀରେ ସେବାୟତ-ପୋଲିସ ମୁହାଁମୁହିଁ ଘଟଣାକୁ ନେଇ ବିବାଦ ଘନେଇବାରେ ଲାଗିଛି । ଶ୍ରୀମନ୍ଦିରରେ ନୀତି ବନ୍ଦ ଯୋଗୁଁ ମହାପ୍ରଭୁ ଉପବାସରେ ରହିଛନ୍ତି । ଅଚଳାବସ୍ଥା ଦୂର ପାଇଁ ସେବାୟତ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ଏହାପରେ ପୁରୀ ଜିଲ୍ଲାପାଳ ଓ ଏସପି ସମସ୍ୟାର ସମାଧାନ ପାଇଁ ସେବାୟତଙ୍କ ସହ ଆଲୋଚନା କରିବାକୁ ମନ୍ଦିର ଭିତରକୁ ଯାଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଅନ୍ୟପଟେ ଶ୍ରୀମନ୍ଦିରର ଭିତର ଦ୍ୱାର ଖୋଲିନଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଛନ୍ତି । ସେବାୟତଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ସେବାୟତ ନିଜ ବିବେକ ଅନୁସାରେ କାମ କରନ୍ତୁ । ଗତକାଲି ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ସେବାୟତ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ । ସେହି ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି ।

ସୂଚନା ଅନୁସାରେ ଭିତର ସେବାୟତ ତାଙ୍କ ଶ୍ରଦ୍ଧାଳୁଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ । ଏହି ସମୟରେ ଯାତ୍ରୀ ଜଣଙ୍କ ବିଦେଶୀ ବୋଲି ସନ୍ଦେହ କରି ପୋଲିସ ଅଟକାଇଥିଲା । ଯାତ୍ରୀଙ୍କ ସପକ୍ଷରେ ଯୁକ୍ତିବାଢି ସେବାୟତ କହିଥିଲେ ସେ ବିଦେଶୀ ନୁହନ୍ତି ବଙ୍ଗାଳି ଭାଷାରେ କଥା ହେଉଛନ୍ତି । ତେବେ ସଂପୃକ୍ତ ଶ୍ରଦ୍ଧାଳୁ ପରିଚୟ ପତ୍ର ଦେଇନପାରିବାରୁ ମନ୍ଦିର ଭିତରକୁ ଛାଡିନଥିଲା ପୁଲିସ । ଆଉ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୋଲିସ- ସେବାୟତ ମୁହାଁମୁହିଁ ହୋଇଥିଲେ । ଏହି ପୁରା ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ ।